ଓଡ଼ିଶାରେ ଓଭରଲୋଡିଂ ପାଇଁ ମରିଛନ୍ତି ୮୭୦

ଗତବର୍ଷ ସାରା ଦେଶରେ ୮୫୦୦ ଜଣ ମରିଛନ୍ତି
ଦେଶରେ ୨୧୨୦୦ ଜଣ, ଓଡ଼ିଶାରେ ୨୧୧୦ଜଣ ଆହତ ହୋଇଛନ୍ତି
ଜରିମାନା ଆଦାୟ ଜୋରଦାର୍‌ କରିବାକୁ କେନ୍ଦ୍ର ଲେଖିଲା ‌ଚିଠି

ଭୁବନେଶ୍ବର : ମାଲବାହୀ ଗାଡ଼ିର କ୍ଷମତା ଯେତିକି ତା’ଠାରୁ ଅଧିକ ସାମଗ୍ରୀ ପରିବହନ ହେଉଛି। ଗାଡ଼ିର ଡାଲାଠାରୁ ୩ରୁ ୪ଫୁଟ୍‌ ଉପରକୁ, ଡାଲା ବାହାରକୁ ବାହାର କରି ସାମଗ୍ରୀ ଲୋଡିଂ ହେଉଛି। ଗାଡ଼ି ଓଭରଲୋଡ୍‌ ରହୁଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ଚକିତ କଲା ଭଳି ଖବର ଯେ ୨୦୧୯ରେ ଓଭରଲୋଡିଂ ଗାଡ଼ି ଜନିତ ଦୁର୍ଘଟଣାରେ ଓଡ଼ିଶାରେ ୮୭୦ଜଣ ମରିଛନ୍ତି। ୨୧୧୦ଜଣ ଆହତ ହୋଇଛନ୍ତି। ଯେତେବେଳେକି ୨୦୧୯ରେ ସାରା ଦେଶରେ ଓଭରଲୋଡିଂ ଗାଡ଼ି ଜନିତ ଦୁର୍ଘଟଣାରେ ୮୫୦୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧,୨୦୦ଜଣ ଆହତ ହୋଇଛନ୍ତି।

ସାରା ଦେଶରେ ଯେତେ ଲୋକ ଓଭରଲୋଡିଂ ଜନିତ ଦୁର୍ଘଟଣାରେ ମରିଛନ୍ତି ସେଥିରୁ ୧୦.୨୩% ଓଡ଼ିଶାର। ମୋଟ୍‌ ଆହତର ୯.୯୫% ଓଡ଼ିଶାର। ଯାହା ଚିନ୍ତାଜନକ। ତେଣୁ କୌଣସି ଗାଡ଼ି ଯେପରି ଓଭରଲୋଡିଂ ହେବନି, ସେନେଇ କଡ଼ାକଡ଼ି ଯାଞ୍ଚ କରିବା ସହ ଜରିମାନା ଆଦାୟ କରିବାକୁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ (ଲଜିଷ୍ଟିକ୍‌ସ) ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହାପରେ ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରିବା ସହ ଜରିମାନା ଆଦାୟ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ପୂର୍ତ୍ତ ସଚିବ, ପରିବହନ କମିସନର, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି।

ପରିବହନ ବିଭାଗ ପ୍ରମୁଖ ସଚିବ ଲେଖିଛନ୍ତି ଯେ, ଓଭରଲୋଡିଂ କରି ଗାଡ଼ିରେ ମାଲ୍‌ ପରିବହନ କରିବା ମୋଟର ଯାନ ନିୟମ ଅନୁଯାୟୀ ଅପରାଧ। ଏଥିପାଇଁ ୬ମାସ କାରାଦଣ୍ଡ ସହ ସର୍ବନିମ୍ନ ହଜାରେ ଟଙ୍କା ଜରିମାନା ଆଦାୟ ନିୟମ ଅଛି। କୌଣସି ପରିସ୍ଥିତିରେ ଗାଡ଼ିର କ୍ଷମତାଠାରୁ ଅଧିକ ସାମଗ୍ରୀ ପରିବହନ ହୋଇପାରିବନି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ ଟୋଲ୍‌ ପ୍ଲାଜା ଏବଂ ବିଭିନ୍ନ ଛକ ନିକଟରେ ଜରିମାନା ଆଦାୟ କରାଯାଉ। କେଉଁଠି କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା, କେତେ ଜରିମାନା ଆଦାୟ ହେଲା ସେନେଇ ୧୫ଦିନ ମଧ୍ୟରେ ଏକ ସବିଶେଷ ରିପୋର୍ଟ ମୁଖ୍ୟ ସଚିବ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟକୁ ପଠାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର