ଜଗତସିଂହପୁର/କୁଜଙ୍ଗ/ବାଲିତୁଠ: ବହୁ ଚର୍ଚ୍ଚିତ ଢିଙ୍କିଆ ଚାରିଦେଶରେ ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲୁ ଗ୍ରୁପ୍ର ବୃହତ୍ ଇସ୍ପାତ କାରଖାନାର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ତିନିଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଯେଉଁଥିରେ ମୋଟ ୮୭,୫୦୦ କୋଟି ଟଙ୍କା ନିବେଶ ହେବ। ଜେଏସ୍ଡବ୍ଲୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପରେ ୬୫,୦୦୦ କୋଟି ଟଙ୍କାରେ ଏକ ୧୩.୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା, ରିନିଉ ଇ-ଫୁଏଲ୍ସ ୨୨,୦୦୦ କୋଟି ଟଙ୍କା ବିନିଯୋଗରେ ଏକ ୧.୨ ଏମ୍ପିଟିଏ ଗ୍ରିନ୍ ଆମୋନିଆ କାରଖାନା ଏବଂ ସିଲକ୍ସ ଇଣ୍ଡିଆ ୫୦୦ କୋଟି ଟଙ୍କା ନିବେଶରେ ଏକ ୨୫,୦୦୦ ଏମ୍ପିଟିଏର ରାସାୟନିକ କାରଖାନା ସ୍ଥାପନ କରିବ। ଏହି ତିନି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ପ୍ରାୟ ୩୫ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଷାଠିଏ ଦଶକର ପ୍ରାରମ୍ଭରେ ବିଜୁ ବାବୁ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇ ପାରାଦୀପ ବନ୍ଦର ସ୍ଥାପନ କରିଥିଲେ। ଓଡ଼ିଶାର ବିକାଶରେ ଏହା ଏକ ମାଇଲଖୁଣ୍ଟ ଥିଲା। ଆଜି ପାରାଦୀପ ସାରା ପୂର୍ବ ଭାରତରେ ଏକ ପ୍ରମୁଖ ପୁଞ୍ଜି ନିବେଶସ୍ଥଳୀ ହୋଇ ପାରିଛି। ଏକ ବନ୍ଦର ନଗରୀ ଭାବେ ପାରାଦୀପର ସୁନାମ ମଧ୍ୟ ବୃଦ୍ଧି ପାଇଛି। ପାରାଦୀପ ଆସିଲେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତି ମନକୁ ଆସିଯାଏ ବୋଲି ସେ କହିଛନ୍ତି। ଓଡିଶାରେ ଶିଳ୍ପ, ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରାୟ ସବୁ କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ଓଡିଶାର ବିକାଶ ଧାରା ଆହୁରି ଉଜ୍ଜ୍ୱଳ ହୋଇଛି। ସବୁ ବର୍ଗର ଲୋକ ବିକାଶର ସହଭାଗୀ ହୋଇଛନ୍ତି। ନୂଆ ଓଡିଶା ଗଠନ ପାଇଁ ଆମ କାର୍ଯ୍ୟକ୍ରମକୁ ଆଗକୁ ନେଉଛନ୍ତି। ପାରାଦୀପର ଶିଳ୍ପ ବିକାଶ ପାଇଁ ପାରାଦୀପ ଓ ଜଗତସିଂହପୁର ଜିଲ୍ଲାର ଲୋକମାନଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ଏହି ଶିଳ୍ପାନୁଷ୍ଠାନ ଦ୍ୱାରା ଅଞ୍ଚଳର ସବୁ ପରିବାର ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଜେଏସ୍ଡବ୍ଲୁ ଗ୍ରୁପ୍ର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି ଯେ ବହୁ ବର୍ଷ ପୂର୍ବେ ରାଷ୍ଟ୍ର ନାୟକ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। ପ୍ରକୃତରେ ଏହା ଥିଲା ବିଜୁବାବୁଙ୍କ ସ୍ୱପ୍ନ। ଆଜି ତାଙ୍କ ପୁତ୍ରଙ୍କ ଦ୍ୱାରା ଏହି ସ୍ୱପ୍ନ ସାକାର ହୋଇଥିବା ଦେଖି ସେ ଯେଉଁଠି ବି ଥିବେ ଖୁସି ଅନୁଭବ କରୁଥିବେ ବୋଲି କହିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ଆଜି ପ୍ରକୃତ ବିକାଶ ଘଟିଛି ଏବଂ ଓଡିଶାରେ ଶିଳ୍ପାୟନ ପ୍ରକ୍ରିୟା ଦ୍ରୁତ ହୋଇଛି ବୋଲି କହି ଜେଏସଡବ୍ଲୁ ପାଇଁ ଓଡିଶା ହେଉଛି ପ୍ରମୁଖ ନିବେଶସ୍ଥଳୀ, ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ସବୁବେଳେ ସହଯୋଗ ରହିବ ବୋଲି ଶ୍ରୀ ଜିନ୍ଦଲ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏହି ଅବସରରେ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେସନର ମୁଖ୍ୟ ସଙ୍ଗୀତା ଜିନ୍ଦଲ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ଓ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଢିଙ୍କିଆରେ ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ‘ପୋସ୍କୋ’ ୫୨ ହଜାର କୋଟି ଟଙ୍କା ବିନିଯୋଗରେ ଏକ ବୃହତ୍ ଇସ୍ପାତ କାରଖାନା ନିର୍ମାଣ କରିବାକୁ ଯୋଜନା ରଖିଥିଲା। ମାତ୍ର ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କମ୍ପାନିର ପ୍ରକଳ୍ପ ଆଗକୁ ବଢ଼ିପାରିନଥିଲେ। ସେହି ସ୍ଥାନରେ ଜେଏସ୍ଡବ୍ଲୁ ଗ୍ରୁପ୍ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯାଉଛି।