ମାଲକାନଗିରି: ବଡ଼ଧରଣର ସାଇବର ଠକେଇର ପର୍ଦାଫାସ କରି ଗୁଜରାଟରୁ ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ। ମାଲକାନଗିରି ହାଇଟେକ୍ କଲୋନିର ମନୋଜ କୁମାର ଲାଉଡ଼ିଆଙ୍କ ଅଭିଯୋଗକ୍ରମେ କ୍ରାଇମ୍ରବାଞ୍ଚ ମାମଲାର ତଦନ୍ତ କରି ସଫଳତା ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ମାଜ ଜୁବେରଭାଇ ଘାନଚି (୧୮), ଠାକର କରଶାନଜୀ ଶୋଭାଜୀ (୪୮) ଏବଂ କୁରେଶି କରଶାନଜୀ ଶୋଭାଜୀ (୩୧)। ଇଡି, ସିବିଆଇ, ପୁଲିସ, ଅର୍ଥ ବିଭାଗ, ନ୍ୟାୟାଳୟ ଅଧିକାରୀ ପରିଚୟ ଦେଇ ମନୋଜଙ୍କ ନିକଟରୁ ଗିରଫ ଅଭିଯୁକ୍ତମାନେ ୮୭ ଲକ୍ଷ ୬୩ ହଜାର ଟଙ୍କା ଠକି ନେଇଛନ୍ତି। କ୍ରାଇମବ୍ରାଞ୍ଚ ଇନ୍ସ୍ପେକ୍ଟର ବିଭୁରଞ୍ଜନ ସୁନ୍ଦରାୟଙ୍କ ନେତୃତ୍ବରେ ଏକ ଟିମ୍ ମାମଲାର ତଦନ୍ତ କରି ଗୁଜରାଟରୁ ଅଭିଯୁକ୍ତଙ୍କୁ ଗିରଫ କରିଛି।
୨୦୨୪ ଅଗଷ୍ଟରେ ମନୋଜ ଲାଉଡ଼ିଆଙ୍କୁ ଏକ ଅଜଣା ନମ୍ବର ୯୧୨୭୩୧୩୩୩୩ରୁ କଲ୍ ଆସିଥିଲା। ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆରୁ କହୁଥିବା କହି ଅର୍ଥ ହେରଫେର, ମାନବ ଚାଲାଣ, ପରିଚୟ ଚୋରି, ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବା ନେଇ ଅଭିଯୁକ୍ତମାନେ ମନୋଜଙ୍କୁ ଡରାଇଥିଲେ। ଅଭିଯୁକ୍ତମାନେ ମନୋଜଙ୍କୁ ଟେଲିଗ୍ରାମ, ସ୍କାଇପ୍ ମାଧ୍ୟମରେ ଯୋଗାଯୋଗ କରୁଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତମାନେ ମନୋଜଙ୍କୁ ଏକ ନକଲି ସରକାରୀ ଦଲିଲ୍ ପଠାଇଥିଲେ। ଯେଉଁଥିରେ ସୁପ୍ରିମକୋର୍ଟ ନୋଟିସ୍, ଇଡିର ଗିରଫ ୱାରେଣ୍ଟ ଏବଂ ଅନ୍ୟାନ୍ୟ ଆଇନ ସମ୍ବନ୍ଧୀୟ ଦଲିଲ ଥିଲା। ମନୋଜ ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୁକ୍ତମାନେ ଡରାଣ କରିଥିଲେ ଏବଂ ସହଯୋଗ ନ କଲେ ଗିରଫ କରିବାକୁ ଚେତାବନୀ ଦେଇଥିଲେ। ମନୋଜ ଗିରଫ ଭୟରେ ମୋବାଇଲ୍ ନମ୍ବର ବଦଳାଇ ଦେଇଥିଲେ। ୨୦୨୪ ଅଗଷ୍ଟ ୩୦ରୁ ଅକ୍ଟୋବର ୨୩ ମଧ୍ୟରେ ବିଭିନ୍ନ ସମୟରେ ମନୋଜ ସାଇବର ଲୁଟେରାଙ୍କୁ ୮୭ ଲକ୍ଷ ୬୩ ହଜାର ୫୧୦ ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ପାଇବା ପରେ ଲୁଟେରାମାନେ ଟେଲିଗ୍ରାମର ସମସ୍ତ ତଥ୍ୟକୁ ଡିଲିଟ୍ କରିଦେବା ପରେ ମନୋଜ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରି ଏତଲା ଦେବା ପରେ ଘଟଣାରେ ସମ୍ପୃକ୍ତ ୩ ଲୁଟେରାଙ୍କୁ ଗୁଜରାଟରୁ ଗିରଫ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)