ପ୍ରଥମ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ୮୭୭୨ଜଣ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୭୭୨ଜଣ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ୭୧୧୬ଜଣ ୱାର୍ଡମେମ୍ବର ପଦବି ପାଇଁ, ୧୧୨୨ଜଣ ସରପଞ୍ଚ, ୫୧୨ଜଣ ସମିତି ସଭ୍ୟ ଏବଂ ୨୨ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି। ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିବାକୁ ଥିବାରୁ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ପ୍ରାର୍ଥୀ ଆବେଦନ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ସୋମବାର ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଉପଲବ୍ଧ ହେଉଥିବାବେଳେ ଆବେଦନ ବି ହେଉଥିଲା। ତେଣୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରାର୍ଥୀଙ୍କୁ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିିପତ୍ର ଦାଖଲ କରିବା ଉପରେ ରୋକ୍‌ ଲାଗିଥିବାରୁ ପ୍ରାର୍ଥୀମାନେ ନିରାଡମ୍ବର ସହକାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ଅପରପକ୍ଷେ ତିନି ପ୍ରମୁଖ ଦଳର ବହୁ ସ୍ଥାନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବାରୁ ‌ଦଳୀୟ ପ୍ରାର୍ଥୀ ହେବାକୁ ଯେଉଁମାନେ ଆଶା ରଖିଛନ୍ତି ସେମାନେ ଶେଷ ମୁହୂର୍ତ୍ତରେ ଟିକେଟ ହାତେଇବା ପାଇଁ ଏବେବି ଲବି ଜାରି ରଖିଛନ୍ତି।

ସୂଚନାଯୋଗ୍ୟ ଯେ, ସରପଞ୍ଚ ଓ ୱାର୍ଡମେମ୍ବରଙ୍କ ପାଇଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ, ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମିତି ସଭ୍ୟଙ୍କ ପାଇଁ ବ୍ଲକରେ ନାମାଙ୍କନପତ୍ର ଉପଲବ୍ଧ ହେଉଛି। ଯିଏ ଯେଉଁଠୁ ନାମାଙ୍କନ ପତ୍ର ନେଇଥିବେ ସେହିଠାରେ ହିଁ ଦାଖଲ କରିବେ। ୨୨ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୨୩ରେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଏହାପରେ ୨୩ରୁ ୨୫ତାରିଖ ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ରହିଛି। ୨୫ତାରିଖ ଅପରାହ୍ନ ୩ଟା ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଚଳିତବର୍ଷ ୯୧,୯୧୩ ୱାର୍ଡମେମ୍ବର, ୬୭୯୩ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନିର୍ବାଚିତ କରିବା ପାଇଁ ଏଥର ମତଦାନ ହେବ।

ସମ୍ବନ୍ଧିତ ଖବର