ଅନୁଗୁଳ : ରାଜନୈତିକ ଚକ୍ରବ୍ୟୂହରେ ବିଧାୟକଙ୍କ ହାତପାଣ୍ଠି ପ୍ରକଳ୍ପ। ଦଶନ୍ଧି ଦଶନ୍ଧି ହେଲା ପ୍ରକଳ୍ପର ଶୁଭ ପଡ଼ିଛି, କିନ୍ତୁ ରାଜନୈତିକ ଦ୍ବନ୍ଦ୍ବ ଏବଂ ଟଣାଓଟରା ପାଇଁ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁନାହିଁ। କେଉଁଠି ଅଧାରେ ଅଟକିଛି ତ, ଆଉ କେଉଁଠି ଆରମ୍ଭରୁ ଆଣ୍ଠେଇଛି। କେବଳ ଯେ ରାଜନୈତିକ ପ୍ରସଙ୍ଗ ତାହା ନୁହେଁ, ପ୍ରଶାସନିକ ଅବହେଳା ବି ବିଧାୟକଙ୍କ ହାତପାଣ୍ଠି ପ୍ରକଳ୍ପକୁ କେମିତି ଧିମା କରାଇଛି ଅନୁଗୁଳ ଜିଲ୍ଲା ଯୋଜନା ଏବଂ ପରିସଂଖ୍ୟାନ ବିଭାଗ ତଥ୍ୟ ତାହା ବୟାନ କରୁଛି। ୧୯୯୭-୯୮ମସିହାରୁ ୨୦୧୭-୧୮ମସିହା ମଧ୍ୟରେ ବିଧାୟକ ହାତପାଣ୍ଠିରୁ ପ୍ରସ୍ତାବିତ ୨୧୯ଟି ପ୍ରକଳ୍ପ ୨୦୨୩ ମସିହାରେ ବି ଅସଂପୂର୍ଣ୍ଣ ହୋଇ ପଡ଼ିରହିଥିବା ବେଳେ ୨୦୧୮-୧୯ଆର୍ଥିକ ବର୍ଷ ପରଠାରୁ ଗଲାମାସ ଯାଏ ୬୨୯ଟି ପ୍ରକଳ୍ପ ଶେଷ ନହେବା ଘଟଣା ବିଧାୟକ ହାତପାଣ୍ଠି ପ୍ରତି ଚରମ ଅବହେଳାକୁ ସୂଚାଇ ଦେଉଛି।

Advertisment

ବିଭାଗ ତଥ୍ୟ ମୁତାବକ, ପ୍ରାୟ ନବେ ଦଶକରୁ ବିଧାୟକ ହାତପାଣ୍ଠି ବ୍ୟବସ୍ଥା ଜାରି ହେଲା। ଅନୁଗୁଳ ଜିଲ୍ଲାର ମୋଟ୍ ୫ଟି ବିଧାନସଭାର ୫ଜଣ ବିଧାୟକଙ୍କୁ ବିଭିନ୍ନ ପ୍ରକଳ୍ପ କରାଇବା ପାଇଁ ହାତପାଣ୍ଠି ଯୋଗାଇ ଦିଆଗଲା। ସେବେଠାରୁ ଗତ ଫେବ୍ରୁଆରି ମାସ ଯାଏ ମୋଟ୍ ୮୮୪ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇ ପାରି ନଥିବା ବିଭାଗୀୟ ତଥ୍ୟରୁ ସ୍ପଷ୍ଟ ହୋଇଛି।

publive-image

ବିଭାଗ ପୁରୁଣା ଏବଂ ନୂଆ ହିସାବରେ ବିଭାଗ ପ୍ରକଳ୍ପକୁ ଦୁଇ ଭାଗରେ ବାଣ୍ଟି ଦେଇଛି। ନବେ ଦଶକରୁ ୨୦୧୭-୧୮ମସିହା ମଧ୍ୟରେ ଦିଆଯାଇଥିବା ପ୍ରକଳ୍ପକୁ ପୁରୁଣା ପ୍ରକଳ୍ପ ତାଲିକାଭୁକ୍ତ କରାଯାଇଥିବା ବେଳେ ୨୦୧୮-୧୯ ଆର୍ଥିକବର୍ଷ ପରଠାରୁ ଦିଆଯାଇଥିବା ପ୍ରକଳ୍ପକୁ ଭିନ୍ନ ତାଲିକାଭୁକ୍ତ କରାଯାଇଛି।
ଆଶ୍ଚର୍ଯ୍ୟଜନକ କଥା ହେଉଛି, ପ୍ରାୟ ଦୁଇ ଦଶନ୍ଧି ତଳେ(୨୦୧୭-୧୮ଆର୍ଥିକ ବର୍ଷ ପୂର୍ବରୁ) ଶୁଭ ଦିଆଯାଇଥିବା ପୁରୁଣା ପ୍ରକଳ୍ପ ଆଜି ବି ପୂର୍ଣ୍ଣାଙ୍ଗ ରୂପ ନେଇ ପାରିନାହିଁ। ଏ କ୍ଷେତ୍ରରେ ସବୁଠାରୁ ପଛରେ ରହିଛି ଆଠମଲ୍ଲିକ ବିଧାୟକଙ୍କ ହାତପାଣ୍ଠି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଆଠମଲ୍ଲିକ ବ୍ଲକ୍‌ରେ ହାତପାଣ୍ଠି ବାବଦକୁ ସର୍ବାଧିକ ୭୯ଟି ପୁରୁଣା ପ୍ରକଳ୍ପ ଅପୂର୍ଣ୍ଣ ହୋଇ ପଡ଼ିରହିଥିବା ବେଳେ କିଶୋରନଗର ବ୍ଲକ୍‌ରେ ୧୧ଟି ପ୍ରକଳ୍ପ ଓ ଆଠମଲ୍ଲିକ ଏନ୍‌ଏସିରେ ୫ଟି ପ୍ରକଳ୍ପ ସେହି ଅବସ୍ଥାରେ ରହିଛି। ଆଠମଲ୍ଲିକ ବିଧାୟକଙ୍କ ତଳକୁ ଅଛନ୍ତି ଅନୁଗୁଳ ବିଧାୟକଙ୍କ ହାତପାଣ୍ଠି। ଅନୁଗୁଳ ବ୍ଲକ୍‌ରେ ତାଙ୍କର ୪୨ଟି ପ୍ରକଳ୍ପ ଆଣ୍ଠେଇଥିବାବେଳେ ଅନୁଗୁଳ ପୌରାଞ୍ଚଳରେ ୮ଟି ଏବଂ ବଅଁରପାଳ ବ୍ଲକ୍‌ରେ ୪୨ଟି ପ୍ରକଳ୍ପ ସେହି ଅବସ୍ଥା ଦେଇ ଗତି କରୁଛି।

କିନ୍ତୁ, ଛେଣ୍ଡିପଦା, ପାଳଲହଡ଼ା ଏବଂ ତାଳଚେର ବିଧାୟକଙ୍କ ହାତପାଣ୍ଠି ଏ କ୍ଷେତ୍ରରେ ଭଲ ଖର୍ଚ୍ଚ କରିଛନ୍ତି।

ସେହିପରି ୨୦୧୮-୧୯ମସିହା ପରଠାରୁ ଦିଆଯାଇଥିବା ନୂଆ ପ୍ରକଳ୍ପ ମଧ୍ୟରୁ ୬୨୯ଟି ପ୍ରକଳ୍ପ ଅପୂର୍ଣ୍ଣ ରହିଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି। ନୂଆ ପ୍ରକଳ୍ପରେ କିନ୍ତୁ ଅନୁଗୁଳ ବିଧାୟକଙ୍କ ହାତପାଣ୍ଠି ସବୁଠୁ ପଛରେ ପଡ଼ିଛନ୍ତି। ଅନୁଗୁଳ ବ୍ଲକ୍‌ରେ ତାଙ୍କ ହାତପାଣ୍ଠିରୁ ୨୪୧ଟି ପ୍ରକଳ୍ପ ଅପୂର୍ଣ୍ଣ ହୋଇରହିଥିବା ବେଳେ ବଅଁରପାଳ ବ୍ଲକ୍‌ରେ ୧୧୦ଟି ପ୍ରକଳ୍ପ ଅଧା ଖଣ୍ଡିଆ ହୋଇରହିଛି। ଅନୁଗୁଳ ସହରରେ ବି ୪ଟି ପ୍ରକଳ୍ପ ରହିଛି। ତା ପଛକୁ ଆଠମଲ୍ଲିକ ବିଧାୟକଙ୍କ ହାତପାଣ୍ଠି ରହିଛି। ଆଠମଲ୍ଲିକ ବ୍ଲକ୍‌ରୁ ୮୫ଟି ପ୍ରକଳ୍ପ ଅଧାଖଣ୍ଡିଆ ହୋଇ ରହିଥିବା ବେଳେ କିଶୋରନଗର ବ୍ଲକ୍‌ର ୩୪ଟି ଏବଂ ଆଠମଲ୍ଲିକ ଏନ୍‌ଏସିର ୨୯ଟି ପ୍ରକଳ୍ପର ଅବସ୍ଥା ସମାନ।

ଗାଁ ଗାଁରେ ରାଜନୈତିକ ବିବାଦ, ପ୍ରକଳ୍ପର ଭୁଲ୍‌ ସ୍ଥାନ ଚୟନ ଏବଂ ପ୍ରକଳ୍ପ ଦାୟିତ୍ବ ନେଇଥିବା ସରକାରୀ ଏଜେନ୍‌ସିର ଅବହେଳା ଯୋଗୁଁ ପ୍ରକଳ୍ପ ଅଧାଖଣ୍ଡିଆ ହୋଇ ରହୁଥିବା କୁହାଯାଉଛି। ଏମିତିକି, କିଛି କିଛି ସରକାରୀ ଏଜେନ୍‌ସି ପୁରୁଣା ପ୍ରକଳ୍ପର ଫାଇଲ୍‌କୁ ବି ହଜାଇ ଦେଇଥିବା ଜଣାପଡ଼ିଛି। ଦଶନ୍ଧି ଦଶନ୍ଧି ହେଲା ପଡ଼ି ରହିଥିବା ପୁରୁଣା ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁ ନଥିବା ବେଳେ ନୂଆ ପ୍ରକଳ୍ପ କେବେ ସରିବ ତାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ଅନୁଗୁଳ ଜିଲ୍ଲା ଯୋଜନା ଏବଂ ପରିସଂଖ୍ୟାନ ବିଭାଗ ଅଧିକାରୀ ମନୋଜ କୁମାର ନାୟକ କହିଛନ୍ତି, ପ୍ରକଳ୍ପ ଅପୂର୍ଣ୍ଣ ରହିବାର ବିଭିନ୍ନ କାରଣ ରହିଛି। ତଥାପି ପ୍ରକଳ୍ପ ଶେଷ କରିବା ପାଇଁ ଉଦ୍ୟମ ଚାଲିଛି। ବିଶେଷ କରି ପୁରୁଣା ପ୍ରକଳ୍ପ ସବୁ କେମିତି ଆଗ ସରିବ ସେନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ତତ୍‌ ମୁତାବକ, ଗଲା ଫ୍ରେବୁଆରି ମାସରେ ୮କୋଟି ଟଙ୍କାର କାମ କରାଯାଇଛି ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।