ଭୁବନେଶ୍ୱର: ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ନୂତନ ଭାବେ ୮୮୯ ସ୍କୁଲ ପାଇଁ ୫୩୩ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଓମ୍ବାଡିସି ବୋର୍ଡ କମିଟି ଦ୍ୱାରା ଗୃହୀତ କରାଯାଇଛି। ଅନୁଗୁଳ ଜିଲ୍ଲାର ୧୬ଟି ସ୍କୁଲ ପାଇଁ ୯ କୋଟି ୬୦ ଲକ୍ଷ ଟଙ୍କା, ଦେବଗଡ଼ର ୪୭ ସ୍କୁଲ ପାଇଁ ୨୮ କୋଟି ୨୦ ଲକ୍ଷ, ଢେଙ୍କାନାଳ ଜିଲ୍ଲାର ୧୭ଟି ସ୍କୁଲ ପାଇଁ ୧୦ କୋଟି ୨୦ ଲକ୍ଷ, ଯାଜପୁର ଜିଲ୍ଲାର ୧୯୫ ସ୍କୁଲ ପାଇଁ ୧୧୭ କୋଟି, ଝାରସୁଗୁଡ଼ା ଜିଲ୍ଲାର ୮୦ଟି ସ୍କୁଲ ପାଇଁ ୪୮ କୋଟି, ସୁନ୍ଦରଗଡ଼ ଜିଲ୍ଲାର ୧୯୫ଟି ସ୍କୁଲ ପାଇଁ ୧୧୭ କୋଟି ଏବଂ ମୟୂରଭଞ୍ଜ ଜିଲ୍ଲାର ୩୩୯ଟି ସ୍କୁଲ ଲାଗି ସର୍ବାଧିକ ୨୦୩ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାଦ୍ୱାରା ଆଦିବାସୀ ଓ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଅର୍ଥ ବିଭାଗ ସଚିବ ବିଶାଲ ଦେବ, ଓମ୍ବାଡିସିର ମୁଖ୍ୟନିର୍ବାହୀ ଅଧିକାରୀ ଉମାନାନ୍ଦୁରୀ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଉପସ୍ଥିତିରେ ବସିଥିବା କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତି ସ୍କୁଲ ପାଇଁ ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ୍ରୁମ୍, ବିଜ୍ଞାନାଗାର, ଇ-ପାଠାଗାର, ସ୍କୁଲ ପରିବେଶର ଉନ୍ନତିକରଣ, ପୁରାତନ ଛାତ୍ର ସଂଘ ଓ ସ୍କୁଲ ପରିଚାଳନା କମିଟି ଦ୍ୱାରା ସ୍କୁଲ ପରିଚାଳନା ଓ ପିଲାଙ୍କ ଦକ୍ଷତା ବିକାଶ ପରିଚାଳନା ଆଦି ଏହି ଅର୍ଥରୁ ଭରଣା କରାଯିବ। ଗୋଷ୍ଠୀ ସଂପୃକ୍ତୀକରଣ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ସ୍କୁଲ କମିଟିର ଯୋଗାଯୋଗ ମାଧ୍ୟମରେ ଏହି କାର୍ଯ୍ୟକ୍ରମଗୁଡ଼ିକର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି କମିଟିର ସମସ୍ତ ସଭ୍ୟସଭ୍ୟା ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତ୍ୱରିତ କାର୍ଯ୍ୟକାରୀ କରିବାକୁ ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଶର୍ମା, ଓଡ଼ିଶା ସ୍କୁଲ ଶିକ୍ଷା ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/school-student.jpg)