ଧର୍ମଶାଳା: ରବି ଲାବଣ୍ୟ ଜଣେ ସାଲିସବିହୀନ ରାଜନେତା ଥିଲେ। ସେ ଏକମାତ୍ର ଛାତ୍ରନେତା ଥିଲେ ଯିଏକି ଜୀବନକାଳରେ ତିନିଟି ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ହୋଇପାରିଥିଲେ। ଉତ୍ତମ ଶିକ୍ଷକ, ସଫଳ ଅଭିନେତା ଓ ଶ୍ରମିକ ନେତା ଥିଲେ। ସେବା ଓ ତ୍ୟାଗର ପ୍ରତୀକ ଥିଲେ ବୋଲି ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ୮୮ତମ ଜୟନ୍ତୀ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ମତବ୍ୟକ୍ତ କରିଛନ୍ତି। ଜାରକା ଷ୍ଟାଡିୟମ ପରିସର ସଭାଗୃହରେ ଆୟୋଜିତ ସମାରୋହକୁ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଶ୍ରୀ ପଟ୍ଟନାୟକ ରବି ଲାବଣ୍ୟଙ୍କୁ ଜଣେ ପ୍ରତିଭାବାନ୍ ଛାତ୍ରନେତା ଭାବେ ଅଭିହିତ କରିଥିଲେ। ସେ କେବେ ଦଳ ବଦଳ କରିନଥିଲେ। ଯାହା ସେ କରିବାକୁ ଚାହୁଥିଲେ ସେଥିରେ ସେ ଦୃଢ଼ନିଶ୍ଚିତ ରହୁଥିଲେ। ଏବର ଛାତ୍ରନେତାମାନେ ରବି ଲାବଣ୍ୟଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।
ବନ୍ଦେ ଉତ୍କଳ ଜନନୀର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଥିଲେ, ରବି ଲାବଣ୍ୟ ଏତେ ସ୍ବାଭିମାନୀ ଥିଲେ ଯେ ମଣ୍ଡଳ କମିସନକୁ ବିରୋଧ କରି ନିଜ ନାମ ରବି ଦାଶକୁ ବଦଳାଇ ରବି ଲାବଣ୍ୟ କରିଥିଲେ। ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ସ୍ୱର୍ଗତ ଲାବଣ୍ୟ ତାଙ୍କ ପ୍ରତିପକ୍ଷଙ୍କ ସହିତ ସୁସମ୍ପର୍କ ରଖିବା ସହିତ ପରାମର୍ଶ ନେଉଥିଲେ ବୋଲି କହିଥିଲେ। ରବି ଲାବଣ୍ୟ ସେବା, ତ୍ୟାଗ, କରୁଣା ଓ ସ୍ବାଭିମାନର ପ୍ରତୀକ ଥିଲେ ବୋଲି ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ ମତ ରଖିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ ଯେ ରବି ଲାବଣ୍ୟଙ୍କ ପରି ପ୍ରତିଭାବାନ ବ୍ୟକ୍ତିଙ୍କ ଜୀବନୀକୁ ନେଇ ଗବେଷଣା ହେବା ଉଚିତ। ଅବସରପ୍ରାପ୍ତ ପୁଲିସ ଅଧିକାରୀ ସୂର୍ଯ୍ୟମଣି ତ୍ରିପାଠୀ ଓ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଶିଶିର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
‘ନବକଳିକା’ ଅନୁଷ୍ଠାନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଇଥିଲା। ସ୍ୱର୍ଗତ ଲାବଣ୍ୟଙ୍କ ଜ୍ୟେଷ୍ଠପୁତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ସ୍ୱାଭିମାନ’ର ତୃତୀୟ ଭାଗକୁ ଅତିଥିମାନେ ଉନ୍ମୋଚନ କରିଥିଲେ ଓ ଡ. ପ୍ରଶାନ୍ତ ସ୍ୱାଇଁ ଏହାର ସମୀକ୍ଷା କରିଥିଲେ। ଚଳଚ୍ଚିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା ଓ ଧର୍ମଶାଳା ବାଣୀପୀଠର ଅବସରପ୍ରାପ୍ତ ଶିକ୍ଷକ ମଦନମୋହନ କଣ୍ଠଙ୍କୁ ‘ରବି ଲାବଣ୍ୟ ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଦିବଙ୍ଗତ ହାସ୍ୟ ଅଭିନେତା ଅଜୟ ନାୟକଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ତାଙ୍କ ସହଯୋଗୀ କଳାକାର ସଚ୍ଚିକାନ୍ତ, ବ୍ରଜ ସୁବୁଦ୍ଧି ଓ ରବୀନ୍ଦ୍ର ବେହେରା ପୁରସ୍କାର ଗ୍ରହଣ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ। ପତ୍ରିକାର ସହ ସମ୍ପାଦିକା ସୁଭଦ୍ରା ଦାଶ, ପ୍ରେମଲତା ମହାରଣା, ବନ୍ଦେ ଉତ୍କଳ ଜନନୀର ସହ ସମ୍ପାଦିକା ମଧୁସ୍ମିତା ଦାଶ, ଉପସଭାପତି ରାମଚନ୍ଦ୍ର ତ୍ରିପାଠୀ, ଅଧ୍ୟାପକ ମୁରଲୀଧର ମହାନ୍ତି, ସଂଯୋଜକ ପ୍ରଭାତ ପଣ୍ଡା, ନିତ୍ୟାନନ୍ଦ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ। ସ୍ୱର୍ଗତ ଲାବଣ୍ୟଙ୍କ କନିଷ୍ଠପୁତ୍ର ଆଇନଜୀବୀ ଶ୍ୟାମାପ୍ରସାଦ ଦାଶ ଧନ୍ୟବାଦ ଦେଇଥିଲେ।