କଟକ : ଓଡ଼ିଶା ପୁଲିସର ୮୮ତମ ପ୍ରତିଷ୍ଠା ଦିବସ ଓଏମ୍ପି ସ୍ଥିତ ଷଷ୍ଠ ବାଟାଲିୟନଠାରେ ପାଳିତ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ(ଡିଜିପି) ସୁନିଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ପୁଲିସ ଜନସାଧାରଣଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଦେବାକୁ ଡିଜିପି ଏହି ଅବସରରେ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଯୋଗୁଁ ପୁଲିସ ବିଭାଗର ସାମଗ୍ରିକ ବିକାଶ ହୋଇପାରିଛି। ନୂତନ ଫାଣ୍ଡି ଓ ଥାନା ପ୍ରତିଷ୍ଠା କରାଯାଇ ପୁଲିସର ମନୋବଳ ବୃଦ୍ଧି କରାଯାଇଛି। ଏଥି ସହିତ ପୁଲିସ ବିଭାଗର ଏସ୍ଆଇ, ଏଏସ୍ଆଇ ଓ କନେଷ୍ଟବଳ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟାକୁ ଏବେ ତ୍ବରାନ୍ବିତ କରାଯାଇଛି। ଆଗାମୀ ଦିନରେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ଦମନ, ମାଓ ମୁକାବିଲାରେ ଓଡ଼ିଶା ପୁଲିସକୁ ଏକ ନୂତନ ଶିଖରରେ ପହଞ୍ଚାଇଛି। ପୁଲିସ ବିଭାଗରେ ମୋ ସରକାର, ୫ଟି ଯୋଜନା ଏବେ ସୁଚାରୁ ରୂପେ କାର୍ଯ୍ୟକାରୀ ହେଉଛି। ନିର୍ବାଚନ, ଉପନିର୍ବାଚନ, ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ହକି ବିଶ୍ବକପ୍ ସଫଳ ପରିଚାଳନା ପାଇଁ ଓଡ଼ିଶା ପୁଲିସ ବାହିନୀକୁ ଡିଜିପି ଏହି ଅବସରରେ କୃତଜ୍ଞତା ଜଣାଇଥିଲେ। ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଡିଜି(ଆଇନ ଶୃଙ୍ଖଳା) ଆର.କେ ଶର୍ମା ପାଠ କରିଥିଲେ।
ଏହି ଅବସରରେ ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ସବ୍ୟସାଚୀ ମଲ୍ଲ, ଶ୍ରେଷ୍ଠ ଇନ୍ସପେକ୍ଟର( ଅପରାଧା ଶାଖା) ବିଭୂରଂଜନ ସୁନ୍ଦରାୟ, ଶ୍ରେଷ୍ଠ ଇନ୍ସପେକ୍ଟର ସ୍ପେସାଲବ୍ରାଞ୍ଚ୍ ସନ୍ତୋଷ କୁମାର ସାହୁ, ଶ୍ରେଷ୍ଠ ସବ୍ ଇନ୍ସପେକ୍ଟର ଭାବେ କମଳାକାନ୍ତ ଦାସ, ଶ୍ରେଷ୍ଠ ଟିମ୍ ଲିଡର ଏସଓଜି ଏଏସଆଇ(ଆର୍ମଡ) ଗିରିଶ ଚନ୍ଦ୍ର ମାଝୀ, ଶ୍ରେଷ୍ଠ ଏଏସଆଇ ସୁଶାନ୍ତ କୁମାର ପଣ୍ଡା, ଶ୍ରେଷ୍ଠ ହାବିଲଦାର ଅତୁଲ କୁମାର ବିଶ୍ବାଳ, ଶ୍ରେଷ୍ଠ ଓଆର କନେଷ୍ଟବଳ ସନ୍ତୋଷ କୁମାର ନାୟକ, ଶ୍ରେଷ୍ଠ ଏପିଆର କନେଷ୍ଟବଳ ନରେନ୍ଦ୍ର ରାଉତ, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ଶୁଭ୍ରାଂଶୁ ଶେଖର ସାହୁ, ଶ୍ରେଷ୍ଠ ସୁବେଦାନର ଇନ୍ସପେକ୍ଟର ( ଆର୍ମଡ) ଶ୍ରୀରାମ ପ୍ରଧାନ, ଶ୍ରେଷ୍ଠ ଡେପୁଟି ସୁବେଦାର ସାଗର ପ୍ରସାଦ ମାଝୀ, ଶ୍ରେଷ୍ଠ ଏଏସଆଇ ଆର୍ମଡ ପି. ଶ୍ୟାମ କୁମାର ବର୍ମା, ଶ୍ରେଷ୍ଠ ହାବିଲଦାର( ଆର୍ମଡ) ମନୋଜ କୁମାର ଜେନା, ଶ୍ରେଷ୍ଠ ସିପାହୀ ରମେଶ କୁମାର ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ପଞ୍ଚମ ଆଇଆର ବାଟାଲିୟନ ବୌଦ୍ଧକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ବିତୀୟ ସ୍ବତନ୍ତ୍ର ସଶସ୍ତ୍ର ବାଟାଲିୟନ ପରିବାର କଲ୍ୟାଣ କେନ୍ଦ୍ର ଝାରସୁଗୁଡା ପ୍ରଥମ, ଓଏସଏପି ଷଷ୍ଠ ବାଟାଲିୟନ ଦ୍ବିତୀୟ, ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା।
ଆଜିର ଆନୁଷ୍ଠାନିକ ପରେଡରେ ଏସଓଜି, ଚନ୍ଦକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଆଇଏସଏଫ୍ ଦ୍ବିତୀୟ ସ୍ଥାନ ଅଧିକାର କରି ଡିଜିପିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ପରେଡରେ ୧୦ଟି ଦଳ ଅଂଶଗ୍ରହଣ କରିଥିଲେ। ପରେଡର ମୁଖ୍ୟ କମାଣ୍ଡର ଅମ୍ରିତପାଲ ସିଂହ(ଆଇପିଏସ୍)ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରେଡ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଆର.କେ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏହା ପରେ ଭୁବନେଶ୍ବରସ୍ଥିତ ପୁଲିସ ଭବନଠାରେ ଚଳିତ ବର୍ଷ ପାଇଁ ୧୦୦ ଜଣ ଓ ୨୦୨୨ ପାଇଁ ୧୫ ଜଣ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ ପଦକ ପ୍ରଦାନ କରାଯାଇଥିଲା। ଏହା ସହିତ ସ୍ବର୍ଗତ ଭ୍ରମରବର ସାହୁ ଓ ସ୍ବର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। କନେଷ୍ଟବଳ ମଂଜିତ ବେହେରାଦଳାଇ, ଓଏପିଏଫ୍ ଅର୍ଜୁନ ମଲ୍ଲିକ, ଓଏପିଏଫ୍ ଦୀପ୍ତିରଂଜନ କହଁର ଓ କନେଷ୍ଟବଳ ପ୍ରିୟବ୍ରତ ବେହେରାଙ୍କୁ ସ୍ବର୍ଗତ ଭ୍ରମରବର ସାହୁ ସ୍ମାରକୀ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିଭଳି କନେଷ୍ଟବଳ ହୃଷିକେଶ ଶବର, କନେଷ୍ଟବଳ ଦିନେଶ କୁମାର ନାୟକଙ୍କୁ ସ୍ବର୍ଗତ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ପୁରସ୍କାର ପୁଲିସ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/police-ctc.jpg)