ନିର୍ମାଣ ହେବ ୮୯ ଇନ୍‌ଡୋର୍ ଷ୍ଟାଡିୟମ୍

କ୍ରୀଡ଼ା ସହ ଡାକ୍ତରଖାନା ଓ ବାତ୍ୟା ଆଶ୍ରୟସ୍ଥଳ ରୂପେ ବ୍ୟବହୃତ ହେବ

ଖର୍ଚ୍ଚ ହେବ ୬୯୩ କୋଟି, ୧୮ ମାସରେ କାମ ସରିବ
୧୬ ପ୍ରସ୍ତାବରେ କ୍ୟାବିନେଟ୍ ମୋହର
ଶ୍ରୀମନ୍ଦିର ପରିକ୍ରମା ଟେଣ୍ଡର୍‌କୁ ଅନୁମୋଦନ

ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳରେ ୮୯ଟି ‘ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍ ଷ୍ଟାଡିୟମ୍’ ନିର୍ମାଣ ହେବ। ଏଥିପାଇଁ ୬୯୩.୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୧୮ ମାସ ଭିତରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଜି ରାଜ୍ୟ କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଛି। ‘ସହରାଞ୍ଚଳ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ଷ୍ଟାଡିୟମ୍‌ଗୁଡ଼ିକ ନିର୍ମାଣ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ମୋଟ୍ ୧୬ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଇନ୍‌ଡୋର୍ ଷ୍ଟାଡିୟମ୍ ନିର୍ମାଣ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡ଼ାର ବିକାଶ ନିମନ୍ତେ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟ କ୍ରୀଡ଼ାର ବିକାଶ ଓ କ୍ରୀଡ଼ା ଆୟୋଜନର ଏକ ପ୍ରମୁଖ ସ୍ଥାନର ମାନ୍ୟତା ପାଇଛି। ୫-ଟି କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ ‘ସହରାଞ୍ଚଳ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପରିକଳ୍ପନା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜନପ୍ରତିନିଧି ଓ କ୍ରୀଡ଼ାବିତ୍‌ମାନଙ୍କୁ ନେଇ ହୋଇଥିବା ପରାମର୍ଶ ଆଧାରରେ ଏହି କ୍ରୀଡ଼ା ଭିତ୍ତିଭୂମିର ନକ୍ସା ପ୍ରସ୍ତୁତ କରାଯାଇଛି।

ଯେହେତୁ ସହରାଞ୍ଚଳଗୁଡ଼ିକ କ୍ରୀଡ଼ାର ବିକାଶ ଓ ପ୍ରଶିକ୍ଷଣ ବୃଦ୍ଧି ନିମନ୍ତେ ପ୍ରମୁଖ ସ୍ଥଳ ଅଟେ, ତେଣୁ ଏହି ପ୍ରକଳ୍ପ ମାଧ୍ୟମରେ ସମସ୍ତ ସହରାଞ୍ଚଳରେ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ବିକାଶ କରାଯିବ। ପ୍ରକଳ୍ପ ଅଧୀନରେ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଉପଲବ୍ଧ ନ ଥିବା ସହରାଞ୍ଚଳରେ ୮୯ଟି ‘ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍’ ନିର୍ମାଣ କରିବା ନିମନ୍ତେ ଯୋଜନା କରାଯାଇଛି।

ପ୍ରକଳ୍ପର ରୂପରେଖ ଅନୁଯାୟୀ ଇନ୍‌ଡୋର ଷ୍ଟାଡିୟମ୍‌ଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ। ବ୍ୟାଡ୍‌ମିଣ୍ଟନ, ଟେବୁଲ୍ ଟେନିସ୍, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ମଧ୍ୟ ଷ୍ଟାଡିୟମ୍‌‌ରେ ରହିବ। ଏହି ଆନ୍ତଃଗୃହଗୁଡ଼ିକ ସେହି ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନ୍‌ଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ। ଇନ୍‌ଡୋର ଷ୍ଟାଡିୟମ୍‌ଗୁଡ଼ିକ ଘଣ୍ଟା ପ୍ରତି ୨୦୦ କିମି ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ। ଏହା ଦ୍ବାରା ମହାବାତ୍ୟା ଓ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ରୂପେ ବ୍ୟବହୃତ ହୋଇପାରିବ। ମହାମାରୀ ସମୟରେ ଏନ୍ଏସିରେ ଥିବା ଷ୍ଟାଡିୟମ୍‌ଗୁଡ଼ିକ ୫୦ ଶଯ୍ୟା ବିଶିଷ୍ଟ ଓ ପୌରାଞ୍ଚଳରେ ଥିବା ଷ୍ଟାଡିୟମ୍‌ଗୁଡ଼ିକ ୧୦୦ଟି ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବେ ବ୍ୟବହାର କରାଯାଇପାରିବ। ଏହା ବାଦ୍ ତାଲିମ ପ୍ରଦାନ, ସଭା ପରିଚାଳନା, ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡିୟମ୍ ଉପଯୋଗୀ ହୋଇପାରିବ। ଏନ୍‌ଏସିରେ ଷ୍ଟାଡିୟମ ପାଇଁ ୬.୪୦ କୋଟି ଏବଂ ପୌରପାଳିକା ଓ ମହାନଗର ନିଗମ ଅଞ୍ଚଳରେ ଷ୍ଟାଡିୟମ ପାଇଁ ୧୦.୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହା ବାଦ୍ ‘ଅବଢ଼ା’ ଯୋଜନା ମାଧ୍ୟମରେ ପୁରୀରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଟେଣ୍ଡର୍‌କୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହି ଟେଣ୍ଡର୍‌ରେ ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଯୋଗ୍ୟ ବିବେଚିତ ହୋଇଛି। ୩୩୧ କୋଟି ୨୮ ଲକ୍ଷ ୧୮ ହଜାର ୮୬୫ ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଓ ୧୮ ମାସ ଭିତରେ କାମ ଶେଷ ହେବ। ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଚାଲିଥିବା ପ୍ରସ୍ତୁତିରେ ଏହି ପ୍ରକଳ୍ପ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଭାବେ ବିବେଚିତ ହେଉଛି।

ଉପର ଇନ୍ଦ୍ରାବତୀ ଦକ୍ଷିଣ ପାର୍ଶ୍ବ କେନାଲ(୪୧.୧୦ କିମି)ର ପୁନରୁଦ୍ଧାର ଓ ପୁନଃପ୍ରତିଷ୍ଠା ପାଇଁ ୧୪୮ କୋଟି ୧୨ ଲକ୍ଷ ୬୫ ହଜାର ୮୯୪ ଟଙ୍କାର ଟେଣ୍ଡର୍‌କୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ୨୪ ମାସ ଭିତରେ ଶେଷ ହେବ। ଏହି ପ୍ରକଳ୍ପ କଳାହାଣ୍ଡି ଜିଲ୍ଲାର ୪୨,୪୫୫ ହେକ୍ଟର ଚାଷ ଜମିକୁ ନିଶ୍ଚିତ ଜଳସେଚନର ସୁବିଧା ପ୍ରଦାନ କରିବ। ଏହା ଦ୍ବାରା ଉପର ଇନ୍ଦ୍ରାବତୀ ସମ୍ପ୍ରସାରଣ କେନାଲ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ୧୫୨୬୦ ହେକ୍ଟର ଚାଷ ଜମିକୁ ଜଳଯୋଗାଣ ହୋଇପାରିବ।

ସମ୍ବନ୍ଧିତ ଖବର