ରାଜ୍ୟର ୨୭୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ ସୁରତ ଫେରନ୍ତା, କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର (ମହେନ୍ଦ୍ର ସାହୁ):  ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛନ୍ତି ସୁରତ ଫେରନ୍ତା। ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୦ ହୋଇଥିବା ବେଳେ ସେଥି ମଧ୍ୟରେ ୮୯ ଜଣ ସୁରତରୁ ଫେରିଥିବା ପ୍ରବାସୀ ଓଡ଼ିଆ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ କୋଲକାତା ଫେରନ୍ତା ଓଡ଼ିଆ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଉଥିବା  ବେଳେ ଏବେ ସେମାନଙ୍କ ସ୍ଥାନ ନେଇଛନ୍ତି ସୁରତ ଫେରନ୍ତା।

ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୨ ହଜାର ୯୭୪ଟି ଆରଟିପିସିଆର ନମୁନା ପରୀକ୍ଷା ହୋଇଛି । ୧୮ଟି ଜିଲ୍ଲାରୁ ମୋଟ ୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସୁରତ ଫେରନ୍ତା ହେଉଛନ୍ତି ୮୯ ଜଣ ।

ଗଂଜାମ ଜିଲ୍ଲାରୁ ସର୍ବାଧିକ ୭୦ ଜଣ ଆକ୍ରାନ୍ତ ସୁରତରୁ ଆସିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ୫ ଜଣ, ଜଗତସିଂହପୁର ଓ ମୟୂରଭଂଜ ଜିଲ୍ଲାରୁ ୪ ଜଣ ଲେଖାଏଁ, ଭଦ୍ରକ ଜିଲ୍ଲାରୁ ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଓ କଟକ ଜିଲ୍ଲାରୁ ଜଣେ ସୁରତ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୩ ତାରିଖରେ ଗଂଜାମ ଜିଲ୍ଲାର ଦୁଇ ଜଣ ପୁରୁଷ ସୁରତ ଫେରନ୍ତା କରୋନା ପଜିଟିଭ  ଚିହ୍ନଟ ହୋଇଥିଲେ । ୫ତାରିଖରେ ୨ ଜଣ (ଜଣେ ଗଂଜାମ ଓ ଅନ୍ୟ ଜଣେ କଟକ), ୬ ତାରିଖରେ ୫ ଜଣ (ଜଣେ ଗଂଜାମ ଓ ୪ ଜଣ ଜଗତ୍‌ସିଂହପୁର), ୭ ତାରିଖରେ ୩୦ ଜଣ (୨୪ ଜଣ ଗଂଜାମ, ୪ ଜଣ ମୟୂରଭଂଜ ଓ ୨ ଜଣ ବାଲେଶ୍ୱର) ଓ ଆଜି ୫୦ ଜଣ (୪୨ ଜଣ ଗଂଜାମ, ୫ ଜଣ କେନ୍ଦ୍ରାପଡ଼ା, ୩ ଜଣ ଭଦ୍ରକ) କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗଂଜାମ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୭୧ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ହେଉଛନ୍ତି ସୁରତ ଫେରନ୍ତା । ଅନ୍ୟ ଜଣେ ପଜିଟିଭ୍ କେରଳରୁ ଆସିଛନ୍ତି । ଜଗତ୍‌ସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ କୋଲକାତାରୁ ଆସିଛନ୍ତି ।

ସମ୍ବନ୍ଧିତ ଖବର