ଚତୁର୍ଥ ଦିନରେ ରାଜ୍ୟରେ ୮୯% ଟିକାକରଣ

ରାୟଗଡ଼ାରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ, ଆଜି ସର୍ବାଧିକ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣର ଚତୁର୍ଥ ଦିନରେ ୮୯ ପ୍ରତିଶତ ଟିକାଦାନ ହୋଇଛି। ଯଦିଓ କିଛି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି ହେଲେ ଆଉ କିଛି ଜିଲ୍ଲାରେ ଟିକାକରଣ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୮୭ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଭଦ୍ରକରେ ମାତ୍ର ୩୨ ପ୍ରତିଶତ ହୋଇଛି। ଭ୍ରଦକରେ ଗୋଟିଏ ମାତ୍ର ସେସନ୍ ବା ଅଧିବେଶନରେ ୨ଶହ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଆଜିକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୬୮,୫୦୮ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ଆଜି ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଗତ ୩ଦିନ ଭିତରେ ସମୁଦାୟ ୧୦ଜଣଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ଆଜି ସମୁଦାୟ ୯୩ ଅଧିବେଶନରେ ୮୮୯୪ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ହୋଇଥିଲା। ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ସମସ୍ତ ଅଧିବେଶନ ଆୟୋଜିତ ହୋଇଥିଲେ ହେଁ, ୭୯୪୬ଜଣ ଟିକା ନେଇଥିଲେ। ଅର୍ଥାତ୍ ଟିକାକରଣ ୮୯ ପ୍ରତିଶତ ହୋଇଛି। ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଶତ ପ୍ରତିଶତ ଟିକାଦାନ ହୋଇଛି। ଆଜି ୧୦ଟି ଜିଲ୍ଲାରେ କୌଣସି ଅଧିବେଶନ ଆୟୋଜିତ ହୋଇ ନ ଥିଲା। ଅପରପକ୍ଷରେ ଗତ ୧୬ତାରିଖରେ ଭୁବନେଶ୍ବରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଏହାର ପରବର୍ତୀ ଦିନଗୁଡ଼ିକରେ ସେତେଟା ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟ ପୂରଣ ହୋଇ ନ ଥିଲା। ମାତ୍ର ଆଜି ୧୭ଟି ଅଧିବେଶନରେ ୧୪୧୬ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୬୭୪ଜଣଙ୍କୁ ଟିକା ଦିଆଯାଇଛି। ଟିକାକରଣ ୧୧୮ ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତାକାଲି ସର୍ବାଧିକ ୪୩୬ ସେସନ୍‌ରେ ୩୭,୦୭୬ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ଖୋର୍ଧାରେ ସର୍ବାଧିକ ୩୩, ମୟୂରଭଞ୍ଜ ୩୨, କଟକ ୨୪ ଅଧିବେଶନ‌ ଅନୁଷ୍ଠିତ ହେବ। କେବଳ ଦେବଗଡ଼ ଜିଲ୍ଲାରେ ଆସନ୍ତାକାଲି କୌଣସି ଅଧିବେଶନ ଆୟୋଜିତ ହେବ ନାହିଁ। ଭୁବନେଶ୍ବରରେ ୬ ଅଧିବେଶନରେ ୬ଶହ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି। ମାତ୍ର ରାଜ୍ୟରେ କରୋନା ଟିକାକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିନାହିଁ। ଅଧିକାଂଶ ସ୍ବାସ୍ଥ୍ୟକର୍ମୀ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ନଜରକୁ ଆସୁଛି। ଯେଉଁମାନେ ଟିକା ନେଉ ନାହାନ୍ତି ସେମାନଙ୍କୁ ପରବର୍ତୀ ସମୟରେ ଆଉ ସରକାରୀ ଟିକା ଦିଆଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ଚେତାବନୀ ଦେଇଥିଲେ ହେଁ, ଏଥିରେ କୌଣସି ଫରକ ପଡ଼ୁନାହିଁ। ରାଜ୍ୟର ଆଗଧାଡ଼ିର ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକମାନେ ଟିକା ନେଇଥିଲେ ହେଁ, ତଳସ୍ତରରେ ଏହା ବିଶେଷ ପ୍ରଭାବ ପକାଇ ପାରି ନାହିଁ। ଯାହାଫଳରେ ଟିକାକୁ ନେଇ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ରହିଥିବା ସନ୍ଦେହକୁ ଦୂର କରିବାରେ ସରକାର ଏକପ୍ରକାର ବିଫଳ ହୋଇଥିବା ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର