ପଞ୍ଚାୟତ ନିର୍ବାଚନ: ବିଜେଡି ଦଖଲରେ ୮୯% ସିଟ୍‌

୬୨୦ ମଧ୍ୟରୁ ବିଜେଡି ୫୫୩, କଂଗ୍ରେସ ୩୦, ବିଜେପି ୩୦ଟିରେ ଆଗୁଆ

ଭୁବନେଶ୍ୱର : ଗଣତି ଯେତିକି ବଢ଼ୁଛି ପଞ୍ଚାୟତରେ ବିଜେଡିର ଆଧିପାତ୍ୟ ସେତେ ବଢ଼ୁଛି। ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଖାଲି ବିଜେଡି ଆଉ ବିଜେଡି। କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ବାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ପ୍ରଥମ ଦିନରେ ୩୧୫ରୁ ବିଜେଡି ଭାଗରେ ୨୮୨, ବିଜେପିର ୧୫, କଂଗ୍ରେସର ୧୪
ଦ୍ୱିତୀୟ ଦିନରେ ୨୭୧ଟିରେ ବିଜେଡି, ବିଜେପି ୧୫, କଂଗ୍ରେସ ୧୬ଟିରେ ଆଗୁଆ
ଦ୍ୱିତୀୟ ସ୍ଥାନ ପାଇଁ ବିଜେପି-କଂଗ୍ରେସ ଲଢ଼େଇ

ଶନିବାର ପ୍ରଥମ ଦିନର ଗଣତି ହୋଇଥିବା ବେଳେ ଏଥିରେ ୩୧୫ଟି ସିଟ୍‌ରୁ ବିଜେଡି ୮୯% ଅର୍ଥାତ୍ ୨୮୨ଟି ସିଟ୍‌ରେ ବିଜୟ ହାସଲ କରିଛି। ସେହିପରି କଂଗ୍ରେସ ୪% ଅର୍ଥାତ୍ ୧୪ଟି, ବିଜେପି ୫% ସିଟ୍‌ ଅର୍ଥାତ୍ ୧୫ଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ବାକି ୨% ସିଟ୍ ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ବାଣ୍ଟି ‌ନେଇଛନ୍ତି।

ପ୍ରଥମ ଦିନର ଫଳାଫଳରୁ ଜାଣିବାକୁ ମିଳିଛି ଯେ ୩୩ଟି ଆସନରେ କଡ଼ା ଟକ୍କର ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୯ଟିରେ ବାଜି ମାରି ନେଇଛନ୍ତି।

ଏହି ୩୩ଟି ଆସନରେ ହଜାରେରୁ କମ୍‌ ଭୋଟ୍‌ ବ୍ୟବଧାନରେ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଅଳ୍ପ ଭୋଟ୍‌ ବ୍ୟବଧାନରେ ୬ଟି ଲେଖାଏଁ ଆସନରେ ଜିତିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଏବଂ ଜେଏମ୍‌ଏମ୍‌ ଗୋଟିଏ ଆସନରେ କଡ଼ା ଲଢ଼େଇରେ ଜିତିଛି। ବିଷୋଇ-୧ରେ ଜେଏମ୍‌ଏମ୍‌ ପ୍ରାର୍ଥୀ କଡ଼ା ଟକ୍କର ମଧ୍ୟରେ ମାତ୍ର ୨୨ଟି ଭୋଟ୍‌ରେ ଜିତିଛନ୍ତି। ଏଠାରେ ବାରମ୍ବାର ଭୋଟ୍‌ ଗଣତି ପରେ ଜେଏମ୍‌ଏମ୍ ପ୍ରାର୍ଥୀ ଜିତିଥିଲେ ବି ବିଜେଡି ଭୋଟିଂରେ ଅନିୟମିତତା ନେଇ ଅଭିଯୋଗ କରିଛି।
ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼ରୁ ଆରମ୍ଭ କରି ପୁରୀ, ଖୋର୍ଦ୍ଧା, କଟକ ପର୍ଯ୍ୟନ୍ତ ସବୁଠି ବିଜେଡି ଏକତରଫା ବିଜୟ ହାସଲ କରିଛି। କିନ୍ତୁ କୋରାପୁଟ, ରାୟଗଡ଼ାରେ କଂଗ୍ରେସ ପ୍ରାର୍ଥୀ ଯେଉଁଠି ଜିତିଛନ୍ତି ସେଠାରେ ବିଜେଡି ପ୍ରାର୍ଥୀମାନେ କଡ଼ା ଟକ୍କର ଦେଇଥିଲେ ବି ପାରି ନାହାନ୍ତି।

ଅପରପକ୍ଷେ ଗଣତିର ପ୍ରଥମ ଦିନରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଦ୍ବିତୀୟ ଦିନରେ ବି ସେୟା ଚାଲିଛି। ଆଜି ୩୦୫ଟି ସିଟ୍‌ରେ ଗଣତି ଚାଲିଥିବା ବେଳେ ବିଜେଡି ୮୯% ଅର୍ଥାତ୍ ୨୭୧ଟିରେ ଆଗୁଆ ଚାଲିଛି। ବିଜେପି ୧୫ ଓ କଂଗ୍ରେସ ୧୬ଟି ସିଟ୍‌ରେ ଆଗୁଆ ଅଛନ୍ତି। ସ୍ବାଧୀନ ପ୍ରାର୍ଥୀ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୩ଟି ଆସନରେ ଆଗୁଅା ଅଛନ୍ତି। ବିଜେଡି ସବୁ ଜିଲ୍ଲାରେ ବିରୋଧୀଙ୍କୁ ମାତ୍‌ ଦେଇ ଆଗକୁ ବଢ଼ୁଛି।

ରବିବାର ରାତି ୧୦ଟା ସୁଦ୍ଧା ୮୫୩ଟି ଜୋନ୍‌ର ମୋଟ୍ ୯୧୯୧୩ଟି ବୁଥ୍‌ରୁ ୫୯୬୯୫ଟିରେ ଗଣତି ଶେଷ ହୋଇଥିବା ବେଳେ ବିଜେଡି ୫୫୩ଟିରେ, ବିଜେପି ୩୦ଟିରେ, କଂଗ୍ରେସ ୩୦ଟିରେ, ସ୍ବାଧୀନ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୪ଟିରେ ବିଜୟ ହାସଲ କରିଥିବା ବେଳେ ୩ଟିରେ ଆଗୁଆ ଅଛନ୍ତି।

ଅପରପକ୍ଷେ ଆଜି ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଗଣତି ହେବ। ୨୯ତାରିଖ ପୂର୍ବରୁ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ।

ସମ୍ବନ୍ଧିତ ଖବର