ଟିକସ ଫାଙ୍କି କୋଟିଏ ଟଙ୍କାର ରୁପା ଚାଲାଣ

୮ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର: ବିକ୍ରିକର ଫାଙ୍କି ରୁପା ଅଳଙ୍କାର ଚାଲାଣ କରୁଥିବା ଅଭିଯୋଗରେ ଗତକାଲି ଗୋସାଇଁନୂଆଗାଁ ଥାନା ପୁଲିସ ଏକ କାର୍‌ ଅଟକ ରଖିଥିଲା। ବ୍ୟବସାୟୀ କେଦାରନାଥ ଆଚାରୀ ରୁପା ଅଳଙ୍କାର(ପାଉଁଜି) କ୍ରୟ ବାବଦ ଟିକସ କାଗଜପତ୍ର ଦେଖାଇ ପାରି ନଥିଲେ। ଫଳରେ ପୁଲିସ ଯାଞ୍ଚ ପରେ ଆଜି ବ୍ରହ୍ମପୁର ବିକ୍ରିକର ବିଭାଗ ରୁପା ସାମଗ୍ରୀର ମୂଲ୍ୟ ଆକଳନ କରି ଏ ବାବଦରେ ୭ ଲକ୍ଷ ୭୫ ହଜାର ଟଙ୍କା ଜରିମାନା ଆଦାୟ କରିଛି। କାର୍‌ରୁ ମିଳିଥିବା ରୁପା ଅଳଙ୍କାର ମୂଲ୍ୟ ପ୍ରାୟ ୧କୋଟି ୨୯ଲକ୍ଷ ୧୭ହଜାର ୬ଶହ ଟଙ୍କା ହେବ ବୋଲି ଗୋସାଇଁନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀ ସୂଚନା ଦେଇଛନ୍ତି। ଜରିମାନା ଅର୍ଥ ଭରିବା ପରେ ସାମଗ୍ରୀ ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଇଛି। ଆସିକା ମୂଳନିବାସୀ କେଦାରନାଥ ବ୍ରହ୍ମପୁର ହାଉସିଂବୋର୍ଡ କଲୋନିରେ ରହନ୍ତି। ସେ ବ୍ରହ୍ମପୁରରେ ରୁପା ବ୍ୟବସାୟ କରନ୍ତି। ଗତକାଲି ସେ ପ୍ରାୟ ୩୩୫କେଜି ରୁପା ଅଳଙ୍କାର ନେଇ ଏକ କାର୍‌ରେ ଆସୁଥିବା ବେଳେ ଗୋସାଇଁନୂଆଗାଁ ଥାନା ପୁଲିସ ଅନ୍ଧପସରା ରୋଡ଼ରେ ଗାଡ଼ିକୁ ଠାବ କରିଥିଲା। କିଛି ଅଳଙ୍କାର ଭୁବନେଶ୍ୱରକୁ ଯାଇଥିବା ବେଳେ ବଳକା ସାମଗ୍ରୀ ବ୍ରହ୍ମପୁର ଆସିଥିଲା ବୋଲି ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର