ଦଶମ ପରେ ଅଷ୍ଟମ ଶ୍ରେଣୀ ପ୍ରଶ୍ନପତ୍ର ଭାଇରାଲ୍!

ସୁନ୍ଦରଗଡ଼: ଗତ ୨୦ ତାରିଖରେ ଶେଷ ହୋଇଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ଚର୍ଚ୍ଚା ହୋଇଥିଲା। ଏହାରି ମଧ୍ୟରେ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସାରା ରାଜ୍ୟରେ ସରକାରୀ ଓ ସରକାରୀ ଅନୁମତିପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାରଠାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଆୟୋଜିତ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଶହ ବିଦ୍ୟାଳୟରୁ ପ୍ରାୟ ୨ ଲକ୍ଷ ୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ତେବେ ପରୀକ୍ଷା ଆରମ୍ଭ ପୂର୍ବରୁ ସକାଳେ କୌଣସି ଏକ ଜିଲ୍ଲାରୁ ଅଷ୍ଟମ ଶ୍ରେଣୀର ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ୟୁଟ୍ୟୁବ୍ରେ ଭାଇରାଲ୍ ହୋଇଛି। କେଉଁଠୁ ଏହା ଭାଇରାଲ ହୋଇଛି, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହାକୁ ନେଇ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ତେବେ ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସତର୍କ କରାଇ ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରରେ ଯେମିତି ଏ ପ୍ରକାର କାର୍ଯ୍ୟ ନହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ‌ଶେଷ ହୋଇଥିବା ଦଶମ ଶ୍ରେଣୀ ‌ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର