ସିୟୁଇଟି ଲାଗି ୯.୧୪ ଲକ୍ଷ ପଞ୍ଜୀକରଣ: ଓଡ଼ିଶାରୁ ୨୦ ହଜାର ପିଲା

ଓଡ଼ିଆରେ ପରୀକ୍ଷା ଦେବାକୁ ଆଗ୍ରହ ଦେଖାଇଲେ ନାହିଁ, ଦିଲ୍ଲୀ ବିଶ୍ବବିଦ୍ୟାଳୟ ସମ‌ସ୍ତଙ୍କ ପ୍ରଥମ ପସନ୍ଦ

ଭୁବନେଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ଦେଶର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ସ୍ନାତକ(ୟୁଜି) ପାଠ୍ୟକ୍ରମରେ ନାମଲେଖା ଲାଗି କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ହେବ। ଜୁଲାଇ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ହେବାକୁ ଥିବା ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯାହାକି ନିଟ୍‌ ପରେ ଦେଶର ଦ୍ବିତୀୟ ସର୍ବବୃହତ୍ତ ପରୀକ୍ଷା ହେବାକୁ ଯାଉଛି। ଏହି ପରୀକ୍ଷାରେ ଭାଗ ନେବା ଲାଗି ୯ ଲକ୍ଷ ୧୪ ହଜାର ୧୦୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ଚଳିତବର୍ଷ ହେବାକୁ ଥିବା ନିଟ୍‌-ୟୁଜି ଲାଗି ୧୬ ଲକ୍ଷ ଓ ଜେଇଇ ମେନ୍‌ରେ ୮ ଲକ୍ଷ ୬୦ ହଜାର ପିଲା ଅଂଶଗ୍ରହଣ କରିଛନ୍ତି।

ସିୟୁଇଟି-ୟୁଜି ପାଇଁ ଉତ୍ତର ପ୍ରଦେଶରୁ ସର୍ବାଧିକ ୨ ଲକ୍ଷ ୨୬ ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ଦିଲ୍ଲୀରୁ ୧ ଲକ୍ଷ ୩୩ ହଜାର, ବିହାରରୁ ୭୦ ହଜାର, ହରିୟା‌ଣାରୁ ୫୯ ହଜାର, ମଧ୍ୟପ୍ରଦେଶରୁ ୫୬ ହଜାର ୯୦୦ ପିଲା ଆବେଦନ କରିଛନ୍ତି। ଓଡ଼ିଶାରୁ ପାଖାପାଖି ୨୦ ହଜାର ପିଲା ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ଆଗ୍ରହ ଦେଖାଇଛନ୍ତି। ଜଣେ ପ୍ରାର୍ଥୀ ଦେଶର ୫ଟି ବିଶ୍ବବିଦ୍ୟାଳୟର ୯ଟି ବିଷୟରେ ଆବେଦନ କରିବାକୁ କୁହାଯାଇଥିବା‌ରୁ ସେହି ଅନୁଯାୟୀ ପାଖାପାଖି ୪୭ ଲକ୍ଷ ୬୯ ହଜାର ଆବେଦନ ହୋଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ପଢ଼ିବା ଲାଗି ୬ ଲକ୍ଷରୁ ଅଧିକ ଆବେଦନ ଆସିଥିବା ବେଳେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଲାଗି ୩ ଲକ୍ଷ ୯୦ ହଜାର, ଆହ୍ଲାବାଦ ବିଶ୍ବବିଦ୍ୟାଳୟ ଲାଗି ୨ ଲକ୍ଷ ୩୦ ହଜାର ଆବେଦନ ହୋଇଛି। ଦେଶର ୯ଟି ବିଶ୍ବବିଦ୍ୟାଳୟ ପାଇଁ ଏକ ଲକ୍ଷରୁ ଅଧିକ ଆବେଦନ ଆସିଛି। ୩୧ଟି ବିଶ୍ବବିଦ୍ୟାଳୟ ୫୦ ହଜାରରୁ ଅଧିକ ଆବେଦନପତ୍ର ଗ୍ରହଣ କରିଛନ୍ତି। ପ୍ରଥମ ଥର ଲାଗି ଅନୁଷ୍ଠିତ ହେବାକୁ ଥିବା ଏହି ପରୀକ୍ଷା ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବଙ୍ଗଳା , ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ଭାଷାରେ ହେବ। ଇଂରାଜୀ ଭାଷାରେ ପରୀକ୍ଷା ଦେବା ଲାଗି ୬ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଥିବା ବେଳେ ହିନ୍ଦୀରେ ୨ ଲକ୍ଷ ରହିଛନ୍ତି। ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ବହୁ କମ୍‌ ଛାତ୍ରଛାତ୍ରୀ ଆବେଦନପତ୍ରରେ ଦର୍ଶାଇଛନ୍ତି। ଅନ୍ୟ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବା ଲାଗି ପିଲାଙ୍କ ମଧ୍ୟରେ ସେଭଳି ଆଗ୍ରହ ଦେଖାଇ ନାହାନ୍ତି।

୮୭ଟି ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନ କଲେଜଗୁଡ଼ିକରେ ନାମଲେଖା ଲାଗି ଏହି ପରୀକ୍ଷା ହେଉଛି। ଆବେଦନକାରୀଙ୍କ ମଧ୍ୟରେ ୪୪% ଛାତ୍ରୀ ଓ ୪୭% ଛାତ୍ର ରହିଛନ୍ତି। ପରୀକ୍ଷା ଲାଗି ଦେଶର ୫୪୭ଟି ସହର ସମେତ ବିଦେଶର ୧୩ଟି ସହରରେ ପରୀକ୍ଷା କରିବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ୨୮ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ୟୁଜି ଓ ପିଜି ପାଠ୍ୟକ୍ରମ ଲାଗି କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ (ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡ଼ିଶା(ସିୟୁଓ)ର ମାତ୍ର ଗୋଟିଏ ୟୁଜି କୋର୍ସରେ ନାମଲେଖା ହେବ।

ସମ୍ବନ୍ଧିତ ଖବର