ଜାତୀୟ ଲୋକ ଅଦାଲତ: ୧୧୫ ମାମଲା ଫଇସଲା, ୯.୧୭ କୋଟି ଆଦାୟ

ରାଉରକେଲା: ରାଉରକେଲା ନୂଆକୋର୍ଟ ପରିସରରେ ପ୍ରଥମ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ୫ମ ମୋଟର ଦୁର୍ଘଟଣା ବିଚାରପତି ମନୋଜ କୁମାର ଅଧ୍ୟକ୍ଷତା କରିଥିଲେ। ମୋଟ ୧୧୫ ବିଭିନ୍ନ ମାମଲା ଫଇସଲା କରାଯାଇଥିଲା। ଏ ବାବଦରେ ମୋଟ ୯ କୋଟି ୧୭ ଲକ୍ଷ ୭୫ ହଜାର ୮୭୭ ଟଙ୍କା ଆଦାୟ କରାଯାଇଛି। ମୋଟ ୧୦୦ଟି ମୋଟର ଦୁର୍ଘଟଣାଜନିତ ମାମଲାରୁ ୬୦ଟି ମାମଲା ଫଇସଲା କରାଯାଇଥିଲା। ବିଭିନ୍ନ ବୀମା କମ୍ପାନୀଙ୍କ ଠାରୁ ୪ କୋଟି ୩୭ ଲକ୍ଷ ୨୫ ହଜାର ଟଙ୍କା ଆଦାୟ କରାଯାଇଛି। ମୋଟ ୨୧ଟି ଚେକ୍‌ ବାଉନ୍ସ ମାମଲା ଫଇସଲା କରାଯାଇ ୧ କୋଟି ୧୫ ଲକ୍ଷ ୯୮ ହଜାର ୩୯୬ ଟଙ୍କା ଆଦାୟ କରାଯାଇଛି। ୧୬ଟି ସିଭିଲ ସୁଟ୍‌ ମାମଲା ଫଇସଲା କରାଯାଇ ୩ କୋଟି ୬୪ ଲକ୍ଷ ୫୨ ହଜାର ୪୮୧ ଟଙ୍କା ଆଦାୟ କରାଯାଇଛି।

ସେମିତି ୧୨ ପାରିବାରିକ ଏମିତି ମୋଟ ୧୧୫ଟି ମାମଲା ଫଇସଲା କରାଯାଇଥିଲା। ପରିବାର ଅଦାଲତର ବିଚାରପତି ବିଦ୍ୟୁତ୍‌ କୁମାର ମିଶ୍ର, ଏସିଜେଏମ୍‌ ବିଷ୍ଣୁଦେବ ଜେନା, ସିନିୟର ସିଜେ (ଏସ୍‌ଡି) ଚିତ୍ତରଞ୍ଜନ ମିଶ୍ର, ପାନପୋଷ ଏସ୍‌ଡିଜେଏମ୍‌ଏମ୍‌ ଅରୋଲିପି ପରିଜା, ସିଭିଲଜଜ୍‌ (ଜେଡି) ଚରଣ କୁମାର ଜେନା, ଜେଏମ୍‌ଏଫ୍‌ସି (ରୁରାଲ) ସୌରଭ ଶର୍ମା, ଜେଏମ୍‌ଏମ୍‌ସି ଉମାକାନ୍ତ ବେହେରା ମାମଲାଗୁଡ଼ିକ ଫଇସଲା କରିଥିଲେ। ରାଉରକେଲା ଓକିଲ ସଂଘର ସଭାପତି ଅକ୍ଷୟ ସାହୁ, ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ବି.ଏନ୍. ପଢ଼ିହାରୀ, ପାଣ୍ଡବ ପାତ୍ର, ସୁଶାନ୍ତ ବାରିକ୍‌, ଏ.କେ. ପ୍ରଧାନ, ମାନସ ପଣ୍ଡା, ଦଣ୍ଡପାଣି ଚୌଧୁରୀ, ଏସ.କେ. ବାରିକ୍‌, ନିର୍ମଲ ସ୍ବାଇଁ, ବବିତା ମହାପାତ୍ର ପ୍ରମୁଖ ମାମଲା ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର