ନିଯୁକ୍ତି ଅପେକ୍ଷାରେ ଅଛନ୍ତି ରାଜ୍ୟର ୯.୩୭ ଲକ୍ଷ ଯୁବକଯୁବତୀ : ମନ୍ତ୍ରୀ

ଭୁବନେଶ୍ୱର: ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ୯.୩୭ ଲକ୍ଷ ଯୁବକଯୁବତୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ବିଧାନସଭାରେ ପ୍ରକାଶ କରିଛନ୍ତି।

ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ସମଗ୍ର ରାଜ୍ୟରେ ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୯.୩୭ ଲକ୍ଷ ଯୁବକ ଯୁବତୀ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରି ଜୀବନ୍ତ ପଞ୍ଜିକା (ଲାଇଭ୍‌ ରେଜିଷ୍ଟର) ରେ ଅଛନ୍ତି।

ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ବିଗତ ୧୧ ବର୍ଷ ମଧ୍ୟରେ (୨୦୦୯ ରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା) ମୋଟ ୨୭,୨୬୧ ଜଣ କର୍ମ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨,୭୦୬ ଜଣ ରାଜ୍ୟ ସରକାର ଏବଂ ୧୦୦୪ ଜଣ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାରେ ନିଯୁକ୍ତ ହୋଇଥିବା ବେଳେ ୩୩୨ ଜଣ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ୍ତ ଏବଂ ୨୦୦୧ ଜଣ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାରେ ୭୨ ଜଣ ଏବଂ ଘରୋଇ ସଂସ୍ଥାରେ ୧୦୩୬ ଜଣ ନିଯୁକ୍ତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

OLA

ରାଜ୍ୟର ଯୁବକଯୁବତୀମାନଙ୍କର ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ସେମାନଙ୍କର ଦକ୍ଷତା ବିକାଶ ଉପରେ ପ୍ରାଥମିକତା ଦିଆଯାଇଛି। ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ୨୦୧୬-୧୭ ମସିହାରେ ଗଠନ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନା ଅଧୀନରେ ବିଗତ ୫ବର୍ଷ ମଧ୍ୟରେ ୧୦.୩୮ ଲକ୍ଷ ଯୁବକଯୁବତୀ ଙ୍କୁ ତାଲିମ ପ୍ରଦାନ କରାଯାଇଛି। ସେହିପରି ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୮୫,୬୮୯ ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ୧୬,୭୭୭ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ରାଜ୍ୟରେ ଅଦ୍ୟାବଧି ୨୧୦ଟି ନିଯୁକ୍ତି ମେଳା ଆୟୋଜନ କରାଯାଇ ୧ଲକ୍ଷ ୧୩ ହଜାର ୨୫୧ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସେନା ବାହିନୀରେ ଯୋଗଦାନ ପାଇଁ ମଧ୍ୟ ନିଯୁକ୍ତି ର‍୍ୟାଲି ମାଧ୍ୟମରେ ୫୦୨୭ ଜଣ ସେନା ବାହିନୀରେ ନିଯୁକ୍ତି ପାଇଛନ୍ତି ବୋଲି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର