ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍ଟି)ରୁ ୯.୬କୋଟି ଟଙ୍କା ହଡ଼ପ ମାମଲାରେ ଠକ ଗ୍ୟାଙ୍ଗ୍ର ଆଉ ଜଣକୁ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପଶ୍ଚିମବଙ୍ଗ ହାଓଡ଼ାରୁ ଗିରଫ କରିଛି। ସେ ହେଲା ସଙ୍କରାଇଲ୍ ଥାନା ନାଲପୁରର ଆଜ୍ମିର ମଣ୍ଡଳ। ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ତାକୁ ହାଓଡ଼ା ସିଜେଏମ୍ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଥିଲା। ଭୁବନେଶ୍ବରରେ ପହଞ୍ଚିବା ପରେ ତାକୁ ଜେରା କରାଯାଇ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅନ୍ୟପଟେ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ସମେତ ୧୦ରୁ ଅଧିକଙ୍କୁ ଚିହ୍ନଟ କରାଯାଇଛି। ଗତ ୪ ବର୍ଷ ହେବ ଏହି ଗ୍ୟାଙ୍ଗ୍ ଓଡ଼ିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ୫ରୁ ଅଧିକ ରାଜ୍ୟରେ ସକ୍ରିୟ ଥିବା ଜଣାପଡ଼ିଛି। ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଇଓଡବ୍ଲ୍ୟୁ ଆଜ୍ମିରକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ସ୍କାନରରେ ମାଷ୍ଟରମାଇଣ୍ଡ୍
୫ରୁ ଅଧିକ ରାଜ୍ୟରେ ସକ୍ରିୟ
୩୩ ଆକାଉଣ୍ଟର ୫କୋଟି ଟଙ୍କା ବ୍ଲକ୍
କିଛିଦିନ ତଳେ ଏହି ଠକେଇ ଗ୍ୟାଙ୍ଗ ତଞ୍ଚକତା କରି ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍ଟି)ରୁ ଦୁଇଟି ଆକାଉଣ୍ଟ ମାଧ୍ୟମରେ ୯,୫୬,୭୬,୬୦୦ଟଙ୍କା ନେଇଯାଇଥିଲେ। ପିଟି କନ୍ଷ୍ଟ୍ରକସନ ଆଣ୍ଡ ସପ୍ଲାୟର୍ସ ମେଣ୍ଟେନ୍ଡ୍ ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଥିବା ଏସ୍କେ ଏଣ୍ଟ୍ରପ୍ରାଇଜେସ୍ ଦୁଇଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଘଟଣା ବିଷୟରେ ଜାଣିବା ପରେ ଗତ ୧୯ ତାରିଖରେ ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ ମହାପ୍ରବନ୍ଧକ ସୁଜାତା କାନୁନ୍ଗୋ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏନେଇ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଆଜମିର ଏସ୍କେ ଏଣ୍ଟରପ୍ରାଇଜେସ୍ର ମାଲିକ। ସେ ଜାଲିଆତି କରି ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୧,୮୪,୨୭,୪୦୦ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା। ଯେଉଁଥିରୁ ଚେକ୍ ମାଧ୍ୟମରେ ୪ଲକ୍ଷ ଟଙ୍କା ଉଠାଇଥିଲା। ସେହିପରି ଏଟିଏମ୍ରୁ ୧,୦୮,୦୦୦ଟଙ୍କା ଉଠାଇଥିଲା। ଏହାଛଡ଼ା ବଡ଼ବିଲ୍ ପୌର ପରିଷଦରୁ ଠକେଇ ହୋଇଥିବା ୨,୪୫,୬୦,୮୫୦ଟଙ୍କାରୁ ଆଜ୍ମିର ଆକାଉଣ୍ଟକୁ ୧,୩୦,୭୦,୭୭୦ଟଙ୍କା ଟ୍ରାନ୍ସଫର ହୋଇଥିଲା।
ତେବେ ଆଜ୍ମିର ଓ ପୂର୍ବରୁ ଗିରଫ ହୋଇଥିବା ପୋମେଶ୍ ତେମ୍ଭାରେ, ଘନଶ୍ୟାମ ଆହୁଜା ଏବଂ ସେମାନଙ୍କ ସହଯୋଗୀ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୁରୁଣା ଚେକ୍ ବୁକ୍ର ନକଲ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ନାଁରେ ୪ଟି ଚେକ୍ରେ ଅବିକଳ ଦସ୍ତଖତ କରି ଗତ ଏପ୍ରିଲ୍ ୧୦ ଓ ୧୮ ତାରିଖରେ ସେହି ଚେକ୍କୁ ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଜମା କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଅସଲି ଚେକ୍ ଭାବି ଜିଲ୍ଲା ପ୍ରଶାସନର ଜିଲ୍ଲା ଖଣିଜ ପାଣ୍ଠି ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ଯାହାକି ପିଟି କନ୍ଷ୍ଟ୍ରକ୍ସନ୍ ଆଣ୍ଡ ସପ୍ଲାୟର୍ସ ଓ ଏସ୍କେ ଏଣ୍ଟର୍ପ୍ରାଇଜେସ୍ର ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ଟଙ୍କା ଟ୍ରାନ୍ସଫର ହେବା ପରେ ସେହି ଟଙ୍କାକୁ ୩୩ ବିଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ସମସ୍ତ ତଥ୍ୟ ହାତେଇବା ପରେ ଇଓଡବ୍ଲ୍ୟୁର ସ୍ୱତନ୍ତ୍ର ଟିମ୍ କିରଣପୁର ଥାନା ସହ ନକ୍ସଲ ପ୍ରଭାବିତ ବାଙ୍ଗଲିତୋଲା ଅଞ୍ଚଳରେ ଚଢ଼ଉ କରି ପ୍ରଥମେ ପୋମେଶ୍କୁ ଗିରଫ କରିଥିଲା। ଭିନ୍ନ ଭିନ୍ନ ୩୩ଟି ବ୍ୟାଙ୍କରେ ଥିବା ୫ କୋଟି ୪ ଟଙ୍କାକୁ ବ୍ଲକ କରିବା ସହ ୧୩,୫୬,୯୪୮ ଟଙ୍କାକୁ ଫ୍ରିଜ୍ କରାଯାଇଛି। ତେବେ ଗ୍ୟାଙ୍ଗରେ ସକ୍ରିୟ ଥିବା ଅନ୍ୟମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଇଜି(ଇଓଡବ୍ଲ୍ୟୁ) ଜୟନାରାୟଣ ପଙ୍କଜ କହିଛନ୍ତି।