ନୂଆଦିଲ୍ଲୀ: ଘରୋଇ ସାଇଡିଂରେ କ୍ଷତିଗ୍ରସ୍ତ ୱାଗନର ମରାମତି ଓ ନିଅଣ୍ଟ (ଡେଫିସେନ୍ସି) ବାବଦ ବିଲ୍ ପ୍ରସ୍ତୁତ କରାନଯିବାରୁ ୨୦୧୭-୧୮ ରୁ ୨୦୧୯-୨୦ ମଧ୍ୟରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନରେ ୯.୬୮ କୋଟି ଟଙ୍କା କ୍ଷତି ହୋଇଛି। ଏହି ସମୟ ମଧ୍ୟରେ ସାଇଡିଂ ମାଲିକମାନଙ୍କ ପାଖରୁ ୱାଗନଗୁଡ଼ିକର କ୍ଷତି ଓ ନିଅଣ୍ଟ ବାବଦ ଅର୍ଥ ଆଦାୟ ହୋଇନାହିଁ। ରେଲୱେ ଅନୁପାଳନକୁ ନେଇ ଏହି ତଥ୍ୟ ଦେଇଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)।
ରିପୋର୍ଟରେ କୁହାଯାଇଛି, ବୋଝେଇ ଓ ଖଲାସ ବେଳେ ୱାଗନଗୁଡ଼ିକର କ୍ଷତିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ରେଳ ମନ୍ତ୍ରାଳୟ ସମସ୍ତ ରେଳ ଜୋନ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଯୁଗ୍ମ ପ୍ରକ୍ରିୟା ଆଦେଶ (ଜିଓପି) ଜାରି କରାଯାଇଥିଲା। ସାଇଡିଂ ଭିତରେ କ୍ଷତିର ପରିମାଣକୁ ଧାର୍ଯ୍ୟ କରିବା ପାଇଁ ରେଳ ଅଧିକାରୀ ଓ ସାଇଡିଂ ମାଲିକମାନଙ୍କ ଦ୍ବାରା ନିୟମିତ ଯୁଗ୍ମ ଯାଞ୍ଚ ନିର୍ଦ୍ଧାରିତ ହୋଇଥିଲା। ସାଇଡିଂ ମାଲିକଙ୍କ ଠାରୁ କ୍ଷତି ଓ ନିଅଣ୍ଟ ବାବଦ ଅର୍ଥ ଆଦାୟ କରାଯିବାର ବ୍ୟବସ୍ଥା ରହିଥିଲା। ତେବେ ଖୋର୍ଦ୍ଧାରୋଡ ଡିଭିଜନରେ ଘରୋଇ ସାଇଡିଂରେ କ୍ଷତିଗ୍ରସ୍ଥ ୱାଗନର ମରାମତି କ୍ଷତି ଓ ନିଅଣ୍ଟ ବାବଦରେ ବିଲ୍ ପ୍ରସ୍ତୁତ କରାଯାଇନଥିଲା। ଯାହା ଫଳରେ ଏହି କ୍ଷତି ହୋଇଛି ବୋଲି ସିଏଜି କହିଛନ୍ତି।
ରେଳ ମନ୍ତ୍ରାଳୟ ମାର୍ଗଦର୍ଶିକାର ଭୁଲ୍ ବ୍ୟାଖ୍ୟା ଯୋଗୁ ପୂର୍ବତଟ ରେଲୱେରେ ଅନିୟମିତତା ବ୍ୟୟ ହୋଇଥିବା ସିଏଜି ରିପୋର୍ଟରେ କୁହାଯାଇଛି। ସାମ୍ବିଧାନିକ ବ୍ୟବସ୍ଥାରେ ସମସ୍ତ ଖର୍ଚ୍ଚ ପାଇଁ ସଂସଦର ଆଗୁଆ ଅନୁମୋଦନର ଆବଶ୍ୟକତା ହୋଇଥାଏ। ରେଳ ମନ୍ତ୍ରାଳୟର ମାର୍ଗଦର୍ଶିକା ଓ ବଜେଟ ଅନୁମୋଦନ ପ୍ରକ୍ରିୟାକୁ ଉଲ୍ଲଂଘନ କରାଯାଇ ପୂର୍ବତଟ ରେଳ ପ୍ରଶାସନ ଦ୍ବାରା ଅଫିସ କୋଠା ନିର୍ମାଣ ପାଇଁ ୬.୨୨ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯାଇଥିଲା। ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ‘ରେଳ ସଦନ’ ବଜେଟ ପାଣ୍ଠିରେ ପ୍ରତିଷ୍ଠା ହୋଇଥିଲା।
ହେଲେ ରେଳ ସଦନର ଦ୍ବିତୀୟ ଓ ତୃତୀୟ ତଳ ଅଫିସ କୋଠା ନିର୍ମାଣ ପାଇଁ ବଜେଟ୍ ବ୍ୟବସ୍ଥା ଲୋଡ଼ାନଯାଇ ସାଇଡିଂ ସର୍ଭେ ଓ ନିର୍ମାଣ ବାବଦରେ ଉପରୋକ୍ତ ପରିମାଣର ଅର୍ଥ ବ୍ୟୟ ହୋଇଛି। ଯାହାକି ରେଳ ମନ୍ତ୍ରାଳୟର ଏପ୍ରିଲ ୨୦୦୬ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଛି। ଏ ସମ୍ପର୍କରେ ସିଏଜି ରେଳ ମନ୍ତ୍ରାଳୟକୁ ଅବଗତ କରିଥିଲେ। ତେବେ ରେଳ ବୋର୍ଡ ଉତ୍ତରରେ ସନ୍ତୁଷ୍ଟ ହୋଇନାହାନ୍ତି ସିଏଜି। ଭିତ୍ତିଭୂମି ସ୍ଥାପନର ଆବଶ୍ୟକତାକୁ ନେଇ ସିଏଜି ଆପତ୍ତି ଉଠାଇନଥିବା ବେଳେ ବଜେଟ୍ ହାସଲ ପାଇଁ ଯେଉଁ ନିର୍ଦ୍ଧାରିତ ପ୍ରକ୍ରିୟା ରହିଛି, ତାକୁ ପାଳନ କରାଯାଇ ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/32-6.jpg)