ଆଶା ଆଶଙ୍କାରେ ଏନ୍‌ଆଇଟିର ୯ ଆଫଗାନୀ ଛାତ୍ର

ପ୍ରିୟଜନଙ୍କ ଦୁର୍ଦ୍ଦଶାରେ ଭାଙ୍ଗିପଡ଼ିଲେଣି, ଉଜୁଡ଼ିଗଲା ସ୍ବପ୍ନ

ରାଉରକେଲା: ଆଫଗାନିସ୍ତା‌ନରେ ତାଲିବାନର କବ୍‌ଜା ପରେ ସବୁକିଛି ଓଲଟପାଲଟ ହୋଇଯାଇଛି। ସେଠାକାର ଜନସାଧାରଣଙ୍କ ଭବି‌ଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିବାବେଳେ ବର୍ତ୍ତମାନ ଜୀବନ ଦୁର୍ବିସହ ହୋଇପଡ଼ିଛି। ଏସବୁ ଦୃଶ୍ୟ ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ଅଧ୍ୟୟନରତ ଆଫଗାନିସ୍ତାନ ଛାତ୍ରଙ୍କ ଆଖିରୁ ନିଦ ହଜାଇ ଦେଇଛି। ନିଜର ପ୍ରିୟଜନଙ୍କଠାରୁ ଦୂରେଇ ରହିଥିବା ଏହି ଛାତ୍ର ମଧ୍ୟ ଏବେ ଆଶା ଆଶଙ୍କାରେ ଦିନ କାଟୁଛନ୍ତି। ତାଲିବାନୀ ଉଗ୍ରପନ୍ଥୀଙ୍କ ତୀକ୍ଷ୍‌ଣ ନଜରରେ ଥିବା ନିଜର ବାପା, ମାଆ ଓ ପରିବାର ସହ କଥା ହେବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ଫଳରେ ଏବେ ଦୁଶ୍ଚିନ୍ତା ଅତଳ ଗହ୍ବର ଭିତରେ ପଡ଼ି ଯାଇଛନ୍ତି ଏନ୍‌ଆଇଟିର ୯ ଜଣ ଆଫଗାନୀ ଛାତ୍ର।
ଚଳିତବର୍ଷ ଏନ୍‌ଆଇଟିରେ ମୋଟ୍‌ ୧୧ ଜଣ ଜଣ ଆଫଗାନୀ ଛାତ୍ର ଛାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ୯ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଥିଲେ। ଏଥିମଧ୍ୟରୁ ୪ ଜଣଙ୍କ ବି.ଟେକ୍‌ ଶିକ୍ଷା ସମାପ୍ତି ହୋଇସାରିଲାଣି। ଶିକ୍ଷା ସମାପ୍ତ କରିସାରିଥିବା ଦୁଇ ଛାତ୍ରୀ ଗତ ଜୁଲାଇ ମାସ ଦ୍ବିତୀୟ ସପ୍ତାହରେ ଆଫଗାନିସ୍ତାନର କାବୁଲ ଓ ଗଜନୀ ସ୍ଥିତ ନିଜ ନିଜ ଘରକୁ ଫେରିଯାଇଛନ୍ତି। କିନ୍ତୁ ବି.ଟେକ୍‌ ଶିକ୍ଷା ସମାପ୍ତି ଶେଷହୋଇସାରିଥିଲେ ମଧ୍ୟ ଆଫଗାନିସ୍ତାନକୁ ବିମାନ ଚଳାଚଳ ବନ୍ଦ ଥିବା ଯୋଗୁଁ ଅନ୍ୟ ଦୁଇ ଜଣ ଛାତ୍ର ସ୍ବଦେଶକୁ ଫେରିପାରିନାହାନ୍ତି। ଏହି ଦୁଇଜଣଙ୍କ ବ୍ୟତୀତ ଅବଶିଷ୍ଟ ୭ ଜଣ ଛାତ୍ର ହେଉଛନ୍ତି ତୃତୀୟ ଓ ଚତୁର୍ଥ ବର୍ଷ ସିଭିଲ ଇଂଜିନିଅରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂ ଓ କମ୍ପ୍ୟୁଟର ଇଞ୍ଜିନିଅରିଂର ଛାତ୍ର। ଅର୍ଥାତ୍‌ ଶିକ୍ଷାସମାପ୍ତ କରିସାରିଥିବା ୨ ଛାତ୍ରଙ୍କ ସମେତ ମୋଟ୍‌ ୯ ଜଣ ଆଫଗାନୀ ଛାତ୍ର ଏବେ ଏନ୍‌ଆଇଟି କ୍ୟାମ୍ପସ୍‌ରେ ଅଛନ୍ତି।

ଜନ୍ମମାଟି ଆଫଗାନିସ୍ତାନରେ ତାଲିବାନର ତାଣ୍ଡବଲୀଳାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏହି ଛାତ୍ରମାନେ। ସେମାନଙ୍କ ଦେଶର ଓ ତାଙ୍କ ନିଜର, ଏଠାରେ କରିଥିବା ପାଠପଢ଼ାର ଭବିଷ୍ୟତ କ’ଣ ହେବ, ସେମାନେ କିଛି ଜାଣି ପାରୁନାହାନ୍ତି। ନାମ ଗୋପନ ରଖିବା ସର୍ତ୍ତରେ କୋହଭରା କଣ୍ଠରେ ଜଣେ ଛାତ୍ର ‌ଯାହା ବର୍ଣ୍ଣନା କଲେ, ଶୁଶିଲେ ଛାତି ଥରି ଉଠିବ। ‘ସମ୍ବାଦ’ ସହ କଥା ହେବାବେଳେ ଏହି ବି.ଟେକ୍‌ ଛାତ୍ର ବାରମ୍ବାର କାନ୍ଦି ପକାଉଥିଲେ। କହିଲେ, ‘‘ତାଲିବାନ ଶାସନରେ ଯାହା ସବୁ ଘଟୁଛି, ତା’କୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଆଫଗାନିସ୍ତାନରେ ତାଲିବାନର ଦମନଲୀଳା ବିଷୟରେ ବିଶ୍ବ ଏକ ପ୍ରତିଶତ ବି ଜାଣୁନାହିଁ। ବାପା-ମା, ଭାଇ, ଭଉଣୀ, ପ୍ରିୟଜନଙ୍କ ମୁଣ୍ଡରେ ଡେମୋକ୍ଲିସ୍‌ ଖଣ୍ଡା ଝୁଲୁଛି କହିଲେ ଅତ୍ୟୁକ୍ତି ହେବନାହିଁ। ଗତ ୪-୫ ଦିନ ହେଲା ଆଖିକୁ ନିଦ ନାହିଁ। ପରିବାର ସହ ଠିକ୍‌ଭାବେ କଥା ହୋଇପାରୁନୁ।

ଅବଶ୍ୟ ଗତକାଲି ସଂଧ୍ୟାରୁ ପ୍ରିୟଜନଙ୍କ ସହ ସାମାନ୍ୟ ଯୋଗାଯୋଗ ସମ୍ଭବ ହୋଇପାରିଛି। ହ୍ବାଟ୍‌ସଆପ୍‌ କଲ୍‌ ଓ ମେସେଜ୍‌ ମାଧ୍ୟମରେ କଥା ହେଉଛୁ, ତାହା ପୁଣି କ୍ଷଣିକ ସମୟ ପାଇଁ। ପରିବାର ସଦସ୍ୟ ଭୟଭୀତ ହୋଇ ଘରେ ତାଲାବନ୍ଦ କରି ରହୁଛନ୍ତି। ରାତି ୧୧ଟା ହେଲେ ତାଲିବାନୀମାନେ ଘରକୁ ଘର ଯାଇ ଯାଞ୍ଚ କରୁଛନ୍ତି। ମନମର୍ଜି ଯାହାକୁ ପାରିଲେ ତାକୁ ଉଠାଇନେଉଛନ୍ତି। ଯେଉଁମାନଙ୍କୁ ନେଇଯାଉଛନ୍ତି ତାଙ୍କର ଆଉ କୌଣସି ପତ୍ତା ମିଳୁନି। ବିଶେଷକରି ପୂର୍ବରୁ ଯେଉଁମାନେ ତାଲିବାନକୁ ବିରୋଧ କରୁଥିଲେ, ସାମାଜିକ ଗଣମାଧ୍ୟମରେ ତାଲିବାନ ବିପକ୍ଷରେ ମତ ଦେଇଥିଲେ, ସମସ୍ତଙ୍କୁ ଚିହ୍ନଟକରି ରାତିଅଧରେ ସେମାନେ ଟେକି ନେଇ ପଳାଉଛନ୍ତି।’’ ଏସବୁ ଭିତରେ ଏନ୍‌ଆଇଟିର ରହଣୀ ପ୍ରସଙ୍ଗରେ ଆଉ ଜଣେ ଆଫଗାନୀ ଛାତ୍ର କହିଲେ, ‘‘ଆମେ ଏଠାରେ ଅଛୁ, ସୁରକ୍ଷିତ ଅଛୁ। ଅନୁଷ୍ଠାନର ବରିଷ୍ଠ ପଦାଧିକାରୀମାନେ ବାରମ୍ବାର ଫୋନ୍‌ କରି ଧୈର୍ଯ୍ୟହରା ନ ହେବାକୁ ପରାମର୍ଶ ଦେଉଛନ୍ତି। ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଦୃଢ଼ମନା ହୋଇ ରହିବାକୁ ପରାମର୍ଶ ଦେବାସହ ମନୋବଳ ବଢ଼ାଉଛନ୍ତି। କିନ୍ତୁ ଆଫଗାନିସ୍ତାନରେ ନିଜର ପ୍ରିୟଜନଙ୍କ ଯାତନା ମନରୁ ଲିଭୁନି। ପ୍ରକୃତରେ ଆମ ଶରୀର ରାଉରକେଲାରେ ଅଛି, ଆତ୍ମା କିନ୍ତୁ ଆଫଗାନିସ୍ତାନରେ। ନିକଟ ଭବିଷ୍ୟତରେ ସ୍ଥିତିରେ ସୁଧାର ଆସିବାର କାଣିଚାଏଁ ସମ୍ଭାବନା ବି ନାହିଁ। ଏହି ତାଣ୍ଡବଲୀଳା ଆଗାମୀ ଦିନରେ ଆହୁରି ଅସହ୍ୟ ହେବା ଜଳଜଳ ହୋଇ ଦିଶୁଛି। କାରଣ, ଆମେ ଜାଣିଛୁ ତାଲିବାନ ଶାସନ କ’ଣ ସବୁ ହୁଏ। ଆମେ ଭୋଗିଛୁ ଏମାନଙ୍କ ଆତଙ୍କରାଜ। ଆମର ସୁଃଖସ୍ବାଛନ୍ଦ୍ୟ ତ ରହିବନି, ଜୀବନ ବଞ୍ଚିଲେ ଯଥେଷ୍ଟ ହେବ।’’

ସମ୍ବନ୍ଧିତ ଖବର