ଖେଳନା ବନ୍ଧୁକ ଦେଖାଇ ଲୁଟ କରୁଥିବା ୯ ଜଣ ଅଭିଯୁକ୍ତ ଗିରଫ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୁଲିସ ଆଜି ୯ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛି | ଗିରଫ ଅଭିଯୁକ୍ତମାନେ ଜିଲ୍ଲା ତଥା ଜିଲ୍ଲା ବାହାରେ ଘଟିଥିବା ବିଭିନ୍ନ ଲୁଟ ଘଟଣାରେ ସମ୍ପୃକ୍ତ ଥିଲେ | ଅଭିଯୁକ୍ତମାନେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ପାଖରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ କରୁଥିଲେ | ଆଜି ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ଛତ୍ରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଏହି ଅପରାଧୀଙ୍କ ବାବଦରେ ସୂଚନା ଦେଇଛନ୍ତି | ଏସପିଙ୍କ ସୂଚନା ମୁତାବକ ୧୩ଟି ଲୁଟ ଘଟଣାରେ ଏମାନଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ |

ଏହି ଅଭିଯୁକ୍ତମାନେ ଖେଳନା ବନ୍ଧୁକ ଦେଖାଇବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ କରୁଥିଲେ | ଗିରଫ ଅଭିଯୁକ୍ତମାନେ ହେଲେ ଯୋଗୀ ଗୌଡ଼, ଶିବରାମ ଦାସ, ସୁନୀଲ ମହାନ୍ତି, ଅଶ୍ୱିନୀ ଗୌଡ଼, ତନୁଜ ସ୍ୱାଇଁ, ମନୋଜ ଗୌଡ଼, ସଞ୍ଜୟ ନାହାକ, ଆଦିତ୍ୟ ପଲେଇ ଓ ଭରତ ପ୍ରଧାନ | ଭରତର ଘର କନ୍ଧମାଳ ଜିଲ୍ଲାରେ ହୋଇଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି |

ଏମାନଙ୍କ ପାଖରୁ ୪ଟି ପିସ୍ତଲ, ଗୋଟିଏ ଖେଳନା ବନ୍ଧୁକ, ୧୦ଟି ଜୀବନ୍ତ ଗୁଳି, ଖଣ୍ଡା, ୪ଟି ଗାଡି ଓ ୧୬ଟି ମୋବାଇଲ ଜବତ କରାଯାଇଛି | ନୟାଗଡ ଓ ଗଞ୍ଜାମ ଜିଲ୍ଲାରେ ଏହି ଅପରାଧୀମାନେ ସକ୍ରିୟ ଥିବାବେଳେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୬ ଜଣ ଲୁଟେରା ଓ ୩ ଜଣ ଅପରାଧୀଙ୍କୁ ସୂଚନାଦାତା ଥିବା ଜଣାପଡିଛି |

ସମ୍ବନ୍ଧିତ ଖବର