ଛତ୍ରପୁର : ଗୁଣାତ୍ମକ ଶିକ୍ଷାର ବିକାଶ ଓ ପିଲାମାନଙ୍କୁ ଯୁଗୋପଯୋଗୀ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ହାଇସ୍କୁଲ୍କୁ ରୂପାନ୍ତରଣ କରି ସ୍ମାର୍ଟସ୍କୁଲ୍ରେ ପରିଣତ କରିଛନ୍ତି। ଯେଉଁଠି ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ପାଠାଗାର ଓ ଲ୍ୟାବ୍ ଭଳି ଅନେକ ଅତ୍ୟାଧୁନିକ ସୁବିଧା ଯୋଗାଇଦିଆଯାଉଛି। ଏହା ଏକ ବୈପ୍ଳବିକ ପଦକ୍ଷେପ ସତ। କିନ୍ତୁ ଦୁଃଖର କଥା ହେଉଛି, ବ୍ଲକ୍ସ୍ତରରେ ଶିକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଖାଲି ପଡ଼ିଥିବା ବ୍ଲକ୍ ଶିକ୍ଷାଧିକାରୀ ପଦବି ଏବଂ ବିଦ୍ୟାଳୟ ଗୁଡ଼ିକରେ ପ୍ରଧାନଶିକ୍ଷକ ପଦବି ପୂରଣ କରିବା ଦିଗରେ ସରକାରଙ୍କ ନିଘା ନାହିଁ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ଗଞ୍ଜାମ ଜିଲ୍ଲାରେ। କେବଳ ପ୍ରଧାନଶିକ୍ଷକ ନୁହଁନ୍ତି, ବିଭିନ୍ନ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ଶିକ୍ଷକଙ୍କ ଅଭାବ ବି ମୁଣ୍ଡ ଟେକଛି। ୩୭୩ ବିଦ୍ୟାଳୟ ରୂପାନ୍ତରଣ ହୋଇଥିଲେ ହେଁ, ମାନବସମ୍ବଳ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।
ମିଳିଥିବା ସୂଚନାନୁସାରେ, ବୃହତ୍ତମ ଜିଲ୍ଲା ଗଞ୍ଜାମରେ ବର୍ତ୍ତମାନ ୯ଟି ବ୍ଲକ୍ରେ ବ୍ଲକ୍ ଶିକ୍ଷାଧିକାରୀ (ବିଇଓ) ଏବଂ ୧୬ଟି ହାଇସ୍କୁଲର ପ୍ରଧାନଶିକ୍ଷକ ପଦବି ଖାଲି ପଡ଼ିଛି। ସବୁଠି କାମଚଳା ନୀତିରେ ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି। ଏଭଳି ପରିସ୍ଥିତିରେ ସଂପୃକ୍ତ ବ୍ଲକ୍ ଅଧୀନରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ କିଏ ତଦାରଖ କରିବ ଏବଂ ବିଦ୍ୟାଳୟକୁ କିଏ ପରିଚାଳନା କରିବ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବର୍ତ୍ତମାନ ଆସିକା, ବେଗୁନିଆପଡ଼ା, ବୁଗୁଡ଼ା, ଜଗନ୍ନାଥପ୍ରସାଦ, କୁକୁଡ଼ାଖଣ୍ତି, ଖଲ୍ଲିକୋଟ, ପୋଲସରା, ରଙ୍ଗେଇଲୁଣ୍ତା ଓ ସୋରଡ଼ା ଆଦି ୯ଟି ବ୍ଲକ୍ରେ ବିଇଓ ପଦବି ଖାଲି ପଡ଼ିଛି। କିଛି ବ୍ଲକ୍ରେ ଅନ୍ୟ ବିଇଓମାନଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କିନ୍ତୁ କାର୍ଯ୍ୟର ଚାପ ହେଉ ଅଥବା ଅନ୍ୟ କୌଣସି କାରଣରୁ, ସେମାନେ ଏହି ଦାୟିତ୍ବକୁ ସୁଚାରୁ ରୂପେ ସଂପାଦିତ କରିପାରୁନାହାନ୍ତି।
ସେହିପରି ବ୍ରହ୍ମପୁରର ଭିଭି ଗିରି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ବ୍ରହ୍ମପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଭଞ୍ଜନଗର ୟୁବି ହାଇସ୍କୁଲ୍, ଭଞ୍ଜନଗର ଡିବି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଛତ୍ରପୁରର ଅନ୍ସ୍ଲୋ ହାଇସ୍କୁଲ୍, ଛତ୍ରପୁରର ବାଳିକା ଉଚ୍ଚବିଦ୍ୟାଳୟ, ନୂଆପଡ଼ା ହାଇସ୍କୁଲ୍, କୁରୁ ହାଇସ୍କୁଲ୍, ପୋଲସରାର ଗୋପବନ୍ଧୁ ହାଇସ୍କୁଲ୍, ପୁରୁଷୋତ୍ତମପୁରର ଏନଡି ହାଇସ୍କୁଲ୍, ବ୍ରହ୍ମପୁରର କୁଇନସ୍ ଅଫ୍ ଦି ମିସନ୍ ହାଇସ୍କୁଲ, ଡୁରାର ନ୍ୟାସନାଲ୍ ହାଇସ୍କୁଲ୍, ବରଗଡ଼ ହାଇସ୍କୁଲ୍, ସୋରଡ଼ାର ଏସ୍ବି ହାଇସ୍କୁଲ୍, କ୍ଷତ୍ରିୟବରପୁର ହାଇସ୍କୁଲ ଓ ଏସ୍କେଏଚ୍ଏସ୍ ବାଲୁକେଶନଗର (କେଲୁଆପଲ୍ଲୀ), ଏଭଳି ଭାବେ ମୋଟ ୧୬ଟି ବିଦ୍ୟାଳୟରେ କେହି ମଧ୍ୟ ସ୍ଥାୟୀ ପ୍ରଧାନଶିକ୍ଷକ ନାହାନ୍ତି। ଫଳରେ ଶିକ୍ଷାଦାନଠୁ ଆରମ୍ଭ କରି ବ୍ଲକ୍ସ୍ତରରେ ବିଦ୍ୟାଳୟ ପରିଚାଳନା ଆଦି କ୍ଷେତ୍ରରେ ସମସ୍ୟା ଦେଖାଦେଇଛି। ଓଡ଼ିଶା ଶିକ୍ଷା ସେବା(ଓଇସ୍)-୨ ଯୋଗ୍ୟତା ହାସଲ କରିଥିବା ବର୍ଗର ବ୍ୟକ୍ତିବିଶେଷଙ୍କୁ ବ୍ଲକ୍ ଶିକ୍ଷାଧିକାରୀ ତଥା ହାଇସ୍କୁଲ୍ ଗୁଡ଼ିକରେ ପ୍ରଧାନଶିକ୍ଷକ ଭାବେ ସରକାର ନିଯୁକ୍ତି ଦେଇଥାନ୍ତି। ହେଲେ ଗଞ୍ଜାମ ଜିଲ୍ଲାରେ ଓଇଏସ୍-୨ ପଦବି ବହୁ ସଂଖ୍ୟାରେ ଖାଲି ପଡ଼ିଛି। ୨୨ ବ୍ଲକ୍ ବିଶିଷ୍ଟ ଗଞ୍ଜାମ ଜିଲ୍ଲାରେ ଖାଲିପଡ଼ିଥିବା ୯ଟି ବ୍ଲକ୍ ଶିକ୍ଷାଧିକାରୀ ଏବଂ ୧୬ ହାଇସ୍କୁଲ୍ର ପ୍ରଧାନଶିକ୍ଷକ ପଦବି ପୂରଣ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।