ଟିକେଟ କରାଇଦେବା ନାଁରେ ରୋଗୀଙ୍କୁ ଲୁଟୁଥିଲେ: ଏମ୍ସରୁ ଧରାପଡ଼ିଲେ ୯ ଦଲାଲ

ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଟିକେଟ୍‌ କରାଇ‌ଦେବା ନଁାରେ ଏମ୍ସଠାରେ ରୋଗୀଙ୍କୁ ଲୁଟୁଥିବା ୯ଜଣ ଦଲାଲ ଧରାପଡ଼ିଛନ୍ତି। ସାଦା ପୋଷାକରେ ଯାଇଥିବା ପୁଲିସ୍‌ର ଏକ ଟିମ୍‌ ସେମାନଙ୍କୁ କାବୁ କରିଛନ୍ତି। ଦଲାଲଙ୍କ ବିରୋଧରେ ଏତେବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ପୁଲିସକୁ ପ୍ରଶଂସା କରାଯାଇଛି। ପୁଲିସର ଏଭଳି ଅଭିଯାନ ଅଗାମୀ ଦିନରେ ଦଲାଲମାନଙ୍କ ବିରୋଧ ଜାରି ରହୁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଦୀର୍ଘଦିନ ଧରି ଏମ୍ସ‌ ହସ୍ପିଟାଲ ଭଳି ଏକ କେନ୍ଦ୍ରୀୟ ହସ୍ପିଟାଲରେ ଦଲାଲ ସକ୍ରିୟ ଥିବା ଅଭିଯୋଗ ହୋଇ ଆସୁଥିଲା। ସାଧାରଣ ରୋଗୀଟିଏ ହସ୍ପିଟାଲରେ ଚିକିତ୍ସା ହେବା କାଠିକର ପାଠ ହୋଇ ପଡ଼ୁଥିଲା। କେତେକ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଦଲାଲଙ୍କ ହାବୁଡ଼ରେ ପଡ଼ି ଲୁଟ୍‌ର ଶିକାର ହେଉଥିଲେ। ଏଭଳି ଏକାଧିକ ଅଭିଯୋଗ କମିସନରେଟ ପୁଲିସ ନିକଟରେ ପହଞ୍ଚିବା ପରେ ଆଜି ଭୋର୍‌ରୁ ଖଣ୍ଡଗିରି ଥାନା ପୁଲିସ ଆରମ୍ଭ କରିଥିଲା ‘ଅପରେସନ୍ ଏମ୍ସ’।

ପୁଲିସର ଏହି ଅପରେସନ୍ ପାଇଁ ବଛା ହୋଇଥିଲେ କେତେକ ଦକ୍ଷ ଓ ଯୁବ ପୁଲିସ ଅଫିସର। ସମସ୍ତେ ସାଦା ପୋଷାକରେ ହସ୍ପିଟାଲ ସାରା ଖେଦି ଯାଇଥିଲେ। ରୋଗୀ ବେଶରେ ଏ ୱାର୍ଡରୁ ସେ ୱାର୍ଡକୁ ଘୂରି ବୁଲିଥିଲେ। ଧାଡ଼ି ଲଗାଇ ସାଧାରଣ ରୋଗୀଙ୍କ ପରି କେତେକ ପୁଲିସ ଅଫିସର ଟିକେଟ୍ କାଟିବାର ବାହାନା ମଧ୍ୟ କରିଥିଲେ। ଠିକ୍ ସକାଳ ୮ଟାବେଳକୁ ମାଛ ଜାଲରେ ପଡ଼ିବା ଭଳି ଜଣେ ଜଣେ ଦଲାଲ ଆସି ପୁଲିସ ହାବୁଡ଼ରେ ପଡ଼ିଥିଲେ। କେଉଁ ଦଲାଲ ପଚାରୁଥାଏ ରୋଗୀ କିଏ, ତ ଆଉ କିଏ ପଚାରୁଥା’ନ୍ତ ହସ୍ପିଟାଲ କାହିଁକି ଆସିଛ, ଟିକେଟ୍ ଦରକାର କି, କେଉଁ ବିଭାଗର ଡାକ୍ତରଙ୍କୁ ଦେଖା କରିବେ, କାହାକୁ ଦେଖା କରିବେ? ଯେଉଁମାନେ ଏଭଳି କଥାବାର୍ତା କରି ୱାର୍ଡରେ ବୁଲୁଥିଲେ ପୁଲିସ ସମସ୍ତଙ୍କୁ କାବୁ କରିବା ଆରମ୍ଭ କରିଥିଲା। ପୁଲିସ ଜଣ ଜଣ କରି ୫ ଜଣକୁ ମାଡ଼ି ବସିବା ପରେ ହସ୍ପିଟାଲରେ ଥିବା ଦଲାଲମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଅନେକ ହସ୍ପିଟାଲରୁ ଦୌଡ଼ିବା ଆରମ୍ଭ କରିଥିଲେ। ପୁଲିସ ଓ ସିକ୍ୟୁରିଟି ଗାର୍ଡ଼ ମିଶି ଗୋଡ଼ାଇ ଗୋଡ଼ାଇ ୧୩ ଜଣ ଦଲାଲଙ୍କୁ ଧରିଥିଲେ। ଆଉ ଉଠାଇ ଆଣିଥିଲେ ଥାନାକୁ।

ଯାଞ୍ଚ ପରେ ଜଣାପଡ଼ିଥିଲା, ୧୩ ଜଣଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ପ୍ରକୃତ ଦଲାଲ। ଗିରଫ ହୋଇଥିବା ଦଲାଲମାନେ ହେଲେ ମୃତ୍ୟୁଞ୍ଜୟ ମିଶ୍ର, ଜୟନ୍ତ ଗିରି, କ୍ରିଷ୍ଣା ପ୍ରସାଦ ସାମନ୍ତ, କମଲ ପକ୍ଷୀରିଆ, ଅମିତ ପ୍ରତିହାର, ଦୀପକ କୁମାର ସାହୁ, ରଶ୍ମୀରଂଜନ ଦାସ, ଅବିନାଶ ବେହେରା, ସରୋଜ କୁମାର ଭୁଜବଳ ପ୍ରମୁଖ। ସମସ୍ତେ ବରମୁଣ୍ଡା ଓ ଏମ୍ସ ପାଖାପାଖି ଅଞ୍ଚଳରେ ରହନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ବଙ୍ଗାଳୀ। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍, କିଛି ଟଙ୍କା, ଗୋଟିଏ ବାଇକ୍, ଅଧାରକାର୍ଡ, ରୋଗୀଙ୍କ କାର୍ଡ ଏବଂ ଓପିଡି ରିକ୍ୟୁଜେସନ୍ ସ୍ଲିପ୍ ଆଦି ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖଣ୍ଡଗିରି ଥାନା ଇନ୍ସପେକ୍ଟର ଦୟାନିଧି ନାୟକ କହିଛନ୍ତି।

ଅନ୍ୟପକ୍ଷରେ ଏମ୍ସର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି, ବିଗତ ଏକ ବର୍ଷ ହେବ ଏମ୍ସର ଓପିଡି ଟିକେଟରେ ଘୋଟାଲା ହେଉଥିବା ଖଣ୍ଡିଗିରି ଥାନା ପୁଲିସକୁ ଅବଗତ କରାଯାଉଥିଲା। ଆମେ ମଧ୍ୟ ଏ ଦିଗରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।

ଆଗାମୀ ଦିନରେ ପୁଲିସ ଦଲାଲଙ୍କ ବିରୋଧରେ ଆହୁରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯଦି କୋଣସି ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ଦଲାଲଙ୍କ ହାବୁଡ଼ରେ ପଡ଼ନ୍ତି, ସେମାନେ ତୁରନ୍ତ ମୋ-୭୦୭୭୭୯୮୧୧୧ରେ ଖବର ଦେବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର