ଗରିବୀ: ଭୁବନେଶ୍ବରରେ ବନ୍ଧାପଡ଼ିଛନ୍ତି ୯ ଶିଶୁ ଶ୍ରମିକ, ବୋର୍ଡ ପରୀକ୍ଷାରୁ ବଞ୍ଚିତ ହେବେ ୩ ମାଟ୍ରିକ୍‌ ଛାତ୍ର

ପ୍ରଶାସନକୁ ନେହୁରା ହେଲେ ଅଭିଭାବକ

କାଳିଆପାଣି: ଭୋକର ଭୂଗୋଳ ଭାବେ କୁଖ୍ୟାତି ଅର୍ଜିଥିବା ନଗଡ଼ାର ୯ଜଣ ଶିଶୁ ଶ୍ରମିକ ଭୁବନେଶ୍ବରରେ ବନ୍ଧା ପଡ଼ିଛନ୍ତି। ପରିବାରର ଆର୍ଥିକ ସମସ୍ୟା ପାଇଁ ରୋଜଗାର ଆଶାରେ ଘରୁ ଗୋଢ଼ କାଢ଼ିଥିବା ୯ ନାବାଳକ ଠିକାଦାରଙ୍କ ପଞ୍ଝାରେ ଫଶି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ୩ ଜଣ ଛାତ୍ର ତଳ ନଗଡ଼ାର ସମ୍ବାରିଆ ପ୍ରଧାନଙ୍କ ପୁଅ ମିଟୁ, ସ୍ବର୍ଗତ ଜେନା ପ୍ରଧାନଙ୍କ ପୁଅ ନିଶାକର ଓ ପଦୁ ପ୍ରଧାନଙ୍କ ପୁଅ ରବି । ଏହି ତିନିଜଣ ମାଟ୍ରିକ୍‌ ବୋର୍ଡ ପରୀକ୍ଷାରୁ ବଞ୍ଚିତହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେହିପରି ନବମ ଶ୍ରେଶୀ‌ରେ ପଢ଼ୁଥିବା ଉପର ନଗଡ଼ାର ମଣିଆ ପ୍ରଧାନଙ୍କ ପୁଅ ଯୋଗେନ୍ଦ୍ର ଓ ତଳ ନଗଡ଼ାର ବନା ପ୍ରଧାନଙ୍କ ପୁଅ ଅଲା ଏବଂ ଅଷ୍ଟମ ଶ୍ରେଣୀ ଛାତ୍ର କୃପା ପ୍ରଧାନଙ୍କ ପୁଅ ମୁଖିଆ ଓ ମଙ୍ଗୁଳୁ ପ୍ରଧାନଙ୍କ ପୁଅ ବୁଟୁଙ୍କ ପାଠପଢ଼ାରେ ଡୋରି ବନ୍ଧାହେବା ଜଳଜଳ ଦିଶୁଛି। ଉକ୍ତ ୭ ଜଣ ଛାତ୍ରଙ୍କ ସହ ଆଉ ୨ ଶିଶୁ ଶ୍ରମିକ ବିନୋଦ ପ୍ରଧାନଙ୍କ ପୁଅ ଚୈତନ୍ୟ ଓ ସୁଜୁନା ପ୍ରଧାନଙ୍କ ପୁଅ କାଳିଆ ଏବେ ଭୁବନେଶ୍ବରରେ ଶ୍ରମିକ ଭାବେ ଖଟୁଛନ୍ତି। ଦଲାଲ୍ ସଞ୍ଜୟ ବେହେରା ଉକ୍ତ ୯ ଶିଶୁ ଶ୍ରମିକଙ୍କ ସମେତ ଆଉ କିଛି ନାବାଳକଙ୍କୁ ସାଥୀରେ ନେଇ ଭୁବନେଶ୍ବର ଜନୈକ ଠିକାଦାର ପାଖେ ପହୁଞ୍ଚାଇଥିବା ସୂଚନା ମିଳିଛି।

ଶ୍ରମିକ ଦଲାଲ୍‌ ସଞ୍ଜୟ ଦଶହରା ପରେପରେ ନଗଡ଼ାରେ ପହଞ୍ଚିଥିଲା। ନଗଡ଼ା-ଏକୁଲ ସୀମାନ୍ତ ନାଳରେ ବଣଭୋଜି ନାଁରେ ଏହି ପିଲାମାନଙ୍କୁ ସାମିଲ କରାଇଥିଲା। ସମସ୍ତେ ସେଦିନ ମଦ ଓ କୁକୁଡ଼ା ମାଂସ ଭୋଜି ଖାଇଥିଲେ। ଗତ ଅକ୍ଟୋବର ମାସ ୨୫ ତାରିଖ ସକାଳୁ ପିଲାମାନେ ଘରୁ ଭୁବନେଶ୍ବର ବାହାରିଥିଲେ। ଭୁବନେଶ୍ବରରେ ପହଞ୍ଚି ଠିକାଦାର ଫୋନରୁ ଘରକୁ କଲ୍‌ କରିଥିଲେ। ଇଲେକ୍ଟ୍ରି କାମ କରୁଛନ୍ତି, ଖାଦ୍ୟପେୟ ସହ ଦୈନିକ ସେମାନଙ୍କୁ ୪ ଶହ ଟଙ୍କା ମଜୁରି ମିଳିବ ବୋଲି କହିଥିଲେ। ସପ୍ତାହ କିମ୍ବା ୧୦ ଦିନ ମଧ୍ୟରେ ଟଙ୍କା ଧରି ସେମାନେ ଘରକୁ ଫେରିବେ ବୋଲି କଥା ଛିଣ୍ଡିଥିଲା। କିନ୍ତୁ ମାସେରୁ ଅଧିକ ହେଲାଣି ପିଲାମାନଙ୍କ ଖୋଜଖବର ମିଳୁନି ବୋଲି ସଂପୃକ୍ତ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏପରିକି କଥା ହେବାକୁ ବି ସୁଯୋଗ ନାହିଁ ବୋଲି ଅଭିଯୋଗ ହୋଇଛି। ଶ୍ରମିକ ଦଲାଲ୍‌ ସଞ୍ଜୟ କିମ୍ବା ଠିକାଦାର ଫୋନ୍‌ ଉଠାଉ ନଥିବାରୁ ସବୁ ପରିବାର ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ନିଜ ପାଇଁ ଭଲ ପୋଷାକ କିଣିବ କହି ନିଶାକର ଘରୁ ଗୋଢ଼ କାଢ଼ିଥିବା ନେଇ ତାଙ୍କ ବଡ଼ଭାଇ ଦେଶ ପ୍ରଧାନ ମତ ରଖିଛନ୍ତି। ସେହିପରି ପୁଅ ଲୁଚିକରି ଘରୁ ଯାଇଛି ବୋଲି ମଣିଆ ପ୍ରଧାନ କହିଛନ୍ତି।

ବଡ଼ ପରିବାର ଦୁଃଖ ବୁଝି ପୁଅ ରୋଜଗାର ପାଇଁ ମନ ବଳାଇଥିଲା, ହେଲେ ଠିକାଦାର ଆମକୁ ଠକିଦେଲା ବୋଲି ୧୧ ଜଣିଆ ପରିବାର ମୁଖ୍ୟ ପଦୁ ପ୍ରଧାନ କହିଛନ୍ତି। ପାଠ ପଢ଼ୁଆ ଜୁଆଙ୍ଗ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ବୋଲି ତଳ ନଗଡ଼ା ମୁଖିଆ ପୂର୍ବତନ ୱାର୍ଡମେମ୍ବର ଗଦା ପ୍ରଧାନ କ୍ଷୋଭର ସହ କହିଛନ୍ତି। ନାବାଳକ ଶ୍ରମିକଙ୍କ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ଗୁହାରି କରାଯାଇଛି। ଏ ସଂପର୍କରେ ସୁକିନ୍ଦା ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପତିଙ୍କୁ ଯୋଗାଯୋଗ କରିବାରୁ ପ୍ରସଙ୍ଗକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଯଥାଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାୟତାରେ ଏହି ଶିଶୁମାନଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର