ହକି ବିଶ୍ୱକପ୍‌ ପାଇଁ ଗଠନ ହେଲା ୯ଟି କମିଟି

ଭୁବନେଶ୍ୱର : ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌-୨୦୧୮ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଚାଲିଥିବାବେଳେ ସମସ୍ତ ଯୋଜନାକୁ କିପରି ସୂଚାରୁ ରୂପେ ପରିଚାଳନା କରାଯିବ ସେଥିପାଇଁ ରାଜ୍ୟ ସରକାର ୯ଟି କମିଟି ଗଠନ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ, ହକି ଓଡ଼ିଶା, ପୁଲିସ ଡିଜି, ଏଫ୍‌ଆଇଏଚ୍‌, କ୍ରୀଡ଼ା ସଚିବ, ବିଭିନ୍ନ ବିଭାଗର ସଚିବ, ବିଡିଏ ଉପାଧ୍ୟକ୍ଷ, ବିଏମ୍‌ସି କମିସନରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି କମିଟି ଗଠନ ହୋଇଛି।

କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଗଭର୍ଣ୍ଣିଂ ବଡି ଗଠନ ହୋଇଥିବାବେଳେ ଏଥିରେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ, ସଂସ୍ଥାର ଅଧିକାରୀ ଏଥିରେ ଅଛନ୍ତି। ୧୭ଜଣଙ୍କୁ ନେଇ ଏହି କମିଟି ଗଠନ ହୋଇଛି। ସେହିପରି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକଜିକ୍ୟୁଟିଭ୍‌ କମିଟି ହୋଇଥିବାବେଳେ ଏଥିରେ ୧୭ଜଣ ସଦସ୍ୟ ଅଛନ୍ତି। ଏହି ଦୁଇଟି କମିଟିରେ କ୍ରୀଡ଼ା ସଚିବ ସଦସ୍ୟ ସଚିବ ରହିଛନ୍ତି।

ପର୍ଯ୍ୟଟନ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଆକୋମେଡେସନ୍‌, କ୍ୟାଟରିଂ, ଟ୍ରାଭେଲ୍‌ ଆଣ୍ଡ ଟ୍ରାନ୍ସପୋର୍ଟେସନ୍‌ କମିଟି ଗଠନ ହୋଇଥିବାବେଳେ ଏଥିରେ ୧୨ଜଣ ସଦସ୍ୟ ରହିଛନ୍ତି। ଓଟିଡିସି ପରିଚାଳନା ନିର୍ଦ୍ଦେଶକ ଏହାର ସଂଯୋଗ ସଦସ୍ୟ ରହିଛନ୍ତି। ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ସେରେମନିଜ୍‌ କମିଟି ଗଠନ ହୋଇଛି। ଏଥିରେ ୬ଜଣ ସଦସ୍ୟ ରହିଛନ୍ତିି। ସିକ୍ୟୁରିଟି କମିଟି ଗୃହ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି। ଏଥିରେ ୭ଜଣ ସଦସ୍ୟ ରହିଛନ୍ତି। ପୁଲିସ ଡିଜିଙ୍କ ସମେତ ଅଗ୍ନିଶମ ବିଭାଗ ଆଇଜି ଏବଂ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀ ଅଛନ୍ତି। କ୍ରୀଡ଼ା ସଚିବଙ୍କ ଅଧ୍ୟକ୍ଷତାରେ ଷ୍ଟାଡିୟମ କମିଟି ଗଠନ ହୋଇଥିବାବେଳେ ଏଥିରେ ଇଡ୍‌କୋ, ପୂର୍ତ୍ତ ଏବଂ କଳିଙ୍ଗ ଷ୍ଟାଡିୟମର ଅଧିକାରୀଙ୍କ ସମେତ ୮ଜଣ ସଦସ୍ୟ ରହିଛନ୍ତି। ବିଏମ୍‌ସି କମିସନରଙ୍କ ଅଧ୍ୟକ୍ଷତାରେ ରିସେପ୍ସନ୍‌ କମିଟି ଗଠନ ହୋଇଛି। କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏଥିରେ ସଦସ୍ୟ ସଚିବ ରହିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସହର ଭିତ୍ତିଭୂମି ଏବଂ ସୌନ୍ଦର୍ଯ୍ୟକରଣ କମିଟି ଗଠନ ହୋଇଛି। ବିଏମ୍‌ସି କମିସନର ଏହାର ସଦସ୍ୟ ସଚିବ ରହିଛନ୍ତି। ସିଟି ଫେଷ୍ଟିଭାଲ ଏବଂ ବ୍ରାଣ୍ଡିଂ କମିଟି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି। ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର ଏହାର ସଦସ୍ୟ ସଚିବ ରହିଛନ୍ତି।

ଏହି ୯ଟି ଯାକ କମିଟି ନିୟମିତ ବ୍ୟବଧାନରେ ବସିବା ସହ ହକି ବିଶ୍ୱକପ୍‌କୁ ସୂଚାରୁ ରୂପେ ଆୟୋଜନ ପାଇଁ ସମସ୍ତ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର