୯ରୁ ହେମାଳ ପବନ

ତାମିଲନାଡ଼ୁ ଉପକୂଳରେ ଲଘୁଚାପ

ଭୁବନେଶ୍ୱର: ତାମିଲନାଡ଼ୁରେ ଲଘୁଚାପ ଜନିତ ବର୍ଷା ହେଲା; ଉପକୂଳ, ଦକ୍ଷିଣ ଓଡ଼ିଶାରେ ଭରିଗଲା ଜଳୀୟବାଷ୍ପ। ଫଳରେ ଗତକାଲି ଭଳି ଆଜି ତାପମାତ୍ରା ସାମାନ୍ୟ ବଢ଼ିଛି। ଏବେ ବାୟୁମଣ୍ଡଳରେ କେତେକାଂଶରେ ଜଳୀୟବାଷ୍ପ ରହିଛି। ଏହାର ପ୍ରଭାବରେ ଗତ ଦୁଇଦିନ ହେଲା ଥଣ୍ଡା ସାମାନ୍ୟ କମିଛି। ତେବେ ଦିନେ ଦୁଇଦିନ ଭିତରେ ଜଳୀୟବାଷ୍ପ ସଂପୂର୍ଣ୍ଣ ଶୁଖିଯିବ ଓ ପାଗ ଶୁଖିଲା ରହିବ। ଫଳରେ ସମଗ୍ର ରାଜ୍ୟରେ ଥଣ୍ଡା ବଢ଼ିବାକୁ ଆରମ୍ଭ କରିବ। ୯ ତାରିଖ ବେଳକୁ ହେମାଳିଆ ପବନ ବହିଲେ ଥଣ୍ଡାର ପ୍ରକୋପ ଆହୁରି ଅଧିକ ଅନୁଭୂତ ହେବ।

ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସୂଚନାନୁସାରେ ଗତକାଲି ଭଳି ଆଜି ମଧ୍ୟ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ବଢ଼ିଛି। କିନ୍ତୁ ଅପରିବର୍ତିତ ରହିଛି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବର୍ତମାନ ବାୟୁମଣ୍ଡଳରେ ୫୦ ପ୍ରତିଶତ ପାଖାପାଖି ଜଳୀୟବାଷ୍ପ ରହୁଛି। ଏହା ସଂପୂର୍ଣ୍ଣ ରୂପେ ଉଭେଇ ଯାଇ ପାଗ ଶୁଖିଲା ହେଲେ ଥଣ୍ଡା ବଢ଼ିବ। ତାଙ୍କ ପୂର୍ବାନୁମାନ ଅନୁଯାୟୀ ଆଗାମୀ ୯ ତାରିଖରେ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେବ। ଫଳରେ ଉତ୍ତର ପୂର୍ବ ଦିଗରୁ ପବନ ଅଧିକ ବେଗରେ ଓଡ଼ିଶାକୁ ବହିବ। ଏହି ପବନ ହେମାଳିଆ ହୋଇଥିବାରୁ ଏହାର ପ୍ରଭାବରେ ଥଣ୍ଡାର ପ୍ରକୋପ ବଢ଼ିବ।
ଆଜି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ୧୩.୫° ସେଲ୍‌ସିୟସ ଥିବା ବେଳେ ଫୁଲବାଣୀରେ ୧୫°, କୋରାପୁଟରେ ୧୬.୪° ରେକର୍ଡ ହୋଇଛି। ସେହିପରି ୧୫ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୨୦° ତଳେ ରହିଛି।

ସମ୍ବନ୍ଧିତ ଖବର