ରାୟଗଡ଼ା: ଦାରିଦ୍ର୍ୟ ଯୋଗୁ ସାମଗ୍ରୀ ଭଳି ବିକ୍ରି ହୋଇଗଲା ୯ଦିନର ଶିଶୁକନ୍ୟା। ଜନ୍ମକଲା ବାପା, ମା’ ଦର କଷିଲେ ମାତ୍ର ୨୦ହଜାର ଟଙ୍କା। ଷ୍ଟାମ୍ପ ପେପରରେ ଦସ୍ତଖତ କରି ଶିଶୁକନ୍ୟାକୁ ନେଇ ଯାଇଛନ୍ତି ଆନ୍ଧ୍ରର ଦମ୍ପତି। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡ଼ା ବସ୍ତିର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖବର ପାଇ ଶିଶୁ ସୁରକ୍ଷା ୟୁନିଟ୍ ତଦନ୍ତ ଆରମ୍ଭ କରିଛି। ତଦନ୍ତ ସରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ନୂଆପଡ଼ା ବସ୍ତିର କୁମୁଦ ଗାଣ୍ଟାଙ୍କ ପୂର୍ବରୁ ୩ବର୍ଷର ଝିଅ ରହିଥିବା ବେଳେ ଚଳିତ ମାସ ୩ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦ୍ବିତୀୟ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସ୍ବାମୀ ରାହୁଲ ଧନବେଡ଼ା ଟ୍ରକ୍ରେ ହେଲପର ଭାବେ କାମ କରୁଛନ୍ତି। ଅନଟନ ମଧ୍ୟରେ ପରିବାର ଚଳୁଥିବା ବେଳେ ଦ୍ବିତୀୟ ସନ୍ତାନ ମଧ୍ୟ ଝିଅ ହେବାରୁ ଭାଙ୍ଗି ପଡ଼ିଥିଲେ। ଶିଶୁକନ୍ୟାର ପାଳନପୋଷଣ କରିବା ସମ୍ଭବ ନଥିବାରୁ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମାନ୍ୟମ ଜିଲ୍ଲା ଅନ୍ତର୍ଗତ ପେଦାପେଙ୍କି ଗାଁର କେ. ଚନ୍ଦ୍ରଶେଖରଙ୍କୁ ଯୋଗାଯୋଗ କରିଥିଲେ। ଗତ ୧୧ତାରିଖରେ ପତ୍ନୀଙ୍କ ସହ ରାଜଶେଖର ରାୟଗଡ଼ା ଆସି ନୋଟାରି ମାଧ୍ୟମରେ ବୁଝାମଣାପତ୍ରରେ ଦସ୍ତଖତ କରି ନବଜାତ ଶିଶୁକନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।
ଘରକୁ ଫେରିବା ପରେ ଶିଶୁକନ୍ୟା ହଠାତ୍ ଉଭାନ ହୋଇଯିବା ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ସନ୍ଦେହରେ ପକାଇଥିଲା। ତେଣୁ ଦଂପତିଙ୍କ ସନ୍ଦିଗ୍ଧ ଆଚରଣ ବିଷୟରେ ଚାଇଲ୍ଡ ଲାଇନ୍ର ହେଲ୍ପଲାଇନ୍ ନମ୍ବରକୁ ଫୋନ୍ କରି ଜଣାଇଥିଲେ। ଡିସିପିୟୁର ନିରାକାର ପାଢ଼ୀ ଓ ସିଡବ୍ଲ୍ୟୁସି ସଭ୍ୟ ନୂଆପଡ଼ା ବସ୍ତିକୁ ଯାଇ ତଦନ୍ତ କରିଥିଲେ। ଷ୍ଟାମ୍ପ ପେପରରେ ବୁଝାମଣା କରି ଦମ୍ପତି ଶିଶୁକନ୍ୟାକୁ ଅନ୍ୟ ହାତକୁ ଟେକି ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ଟଙ୍କା ଗ୍ରହଣ କଥାକୁ ଦମ୍ପତି ଅସ୍ବୀକାର କରିଥିଲେ। ଖୋଳତାଡ଼ ହେବାରୁ ୨୦ହଜାର ଟଙ୍କାରେ ଶିଶୁକନ୍ୟା ବିକ୍ରି ହୋଇଥିବା ପ୍ରମାଣ ମିଳିଥିଲା। ବିଳମ୍ବ ନ କରି ଆନ୍ଧ୍ର ଦମ୍ପତିଙ୍କୁ ଯୋଗାଯୋଗ କରିଥିଲେ ସିଡବ୍ଲୁସି ଟିମ୍। ତୁରନ୍ତ ଶିଶୁକନ୍ୟାକୁ ନେଇ ରାୟଗଡ଼ା ନ ପହଞ୍ଚିଲେ ଆଇନର ଆଶ୍ରୟ ନିଆଯିବ ବୋଲି କୁହାଯାଇଛି। ଷ୍ଟାମ୍ପ ପେପରରେ ବୁଝାମଣା କରି ସନ୍ତାନ ହସ୍ତାନ୍ତର କରିବା ସଂପୂର୍ଣ୍ଣ ବେଆଇନ। ତେଣୁ ଶିଶୁ ସୁରକ୍ଷା ବିଭାଗର ନିରାକାର ପାଢ଼ୀ, ଶିଶୁ ମଙ୍ଗଳ କମିଟି ସଦସ୍ୟା ପ୍ରିୟଦର୍ଶିନୀ ମହାକୁଢ଼, ସତ୍ୟପ୍ରିୟା ପ୍ରଧାନ ପ୍ରମୁଖ ତଦନ୍ତ ଜାରି ରଖିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀଙ୍କୁ ଯୋଗାଯୋଗ କରିବାରୁ ପିଲା ବିକ୍ରି ଅଭିଯୋଗ ପରେ ତଦନ୍ତ ଚାଲିଛି। ଶିଶୁ ରାୟଗଡ଼ା ପହଞ୍ଚିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/20/JWmkNHb1cwfweFknS0cS.jpg)