ବାଣ ନେଲା ୯ ଜୀବନ

ବାଲେଶ୍ୱରରେ ବିସ୍ଫୋରଣ, ୭ ମୃତ, ରାଉରକେଲାରେ ୧, ପିପିଲିରେ ୧

ବାଲେଶ୍ୱର/ଭୁବନେଶ୍ୱର : ଦୀପାବଳି ପୂର୍ବରୁ ଆଜି ରାଜ୍ୟର ତିନିଟି ସ୍ଥାନରେ ହୋଇଥିବା ବାଣ ବିସ୍ଫୋରଣ ଯୋଗୁଁ ୯ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୧୯ ଜଣ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି। ସେମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତି କରାଯାଇଛି। ତେବେ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି ବାଲେଶ୍ୱରରେ। ଏଠାରେ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ସେହିଭଳି ରାଉରକେଲାର ବାଣ ବଜାରରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ଜଣେ ପ୍ରାଣ ହରାଇଥିବା ବେଳେ ପିପିଲିରେ ମଧ୍ୟ ଜଣେ ପ୍ରାଣ ହରାଇଛନ୍ତି।

ବାଲେଶ୍ୱରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାର ସଦର ବ୍ଲକ୍‌ ବାହାବଳପୁର ଗ୍ରାମରେ ଆଜି ଅପରାହ୍ନରେ ଗୋଲକ ପ୍ରଧାନଙ୍କ ବାଣ କାରଖାନାରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଗୋଲକ ପ୍ରଧାନ ଗତ ୪ ବର୍ଷ ହେବ ବାଣ ବ୍ୟବସାୟ କରୁଥିଲେ। ଘର ନିକଟରେ ଥିବା କାରଖାନାରେ ବିଭିନ୍ନ ପ୍ରକାର ବାଣ ତିଆରି ହେଉଥିଲା। ଗୋଲକଙ୍କ ପରିବାରର ସଦସ୍ୟଙ୍କ ସହ ଗ୍ରାମର ପାଖାପାଖି ୮ ଜଣ ଲୋକ ଏଠାରେ କାମ କରୁଥିଲେ। ତେବେ ଆଜି କାରଖାନାରେ ନିଆଁ ଲାଗିଯାଇଥିଲା। ଗୋଲକଙ୍କ ନାତି ଏକ ବାଣ ଫୁଟାଇବାରୁ ନିଆଁ ଝୁଲ ଗୋଦାମ ଭିତରେ ଥିବା ବାଣରେ ପଡ଼ି ଦୁର୍ଘଟଣା ଘଟିଥିଲା। ଗଚ୍ଛିତ ଥିବା ବାଣ ଓ ବାରୁଦରୁ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଆଜବେଷ୍ଟସ ଓ ମାଟି କାନ୍ଥର କାରଖାନା ହୁତୁହୁତୁ ହୋଇ ଜଳିବା ସହ ବିଭିନ୍ନ ଆସବାବପତ୍ର ଓ ଛପର ଏଣେତେଣେ ଛିଟିକି ପଡ଼ିଥିଲା। ଏମିତି କି ସେଗୁଡ଼ିକ ପାଖରେ ଥିବା ଗଛଗୁଡ଼ିକରେ ଝୁଲି ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏପରି ସମୟରେ ଗୋଲକ ଓ ତାଙ୍କ ପରିବାରେ ସଦସ୍ୟଙ୍କ ସହ ବାଣ ତିଆରି କରୁଥିବା କାରିଗର ତଥା ବାଣ କିଣିବାକୁ ଆସିଥିବା ଗ୍ରାହକ ଓ ବ୍ୟବସାୟୀମାନେ ମଧ୍ୟ ଅଗ୍ନିକାଣ୍ଡର ଶିକାର ହୋଇଥିଲେ। ବର୍ଷା ହେଉଥିବା ଯୋଗୁଁ ସମସ୍ତେ କାରଖାନା ଭିତରେ ଥିଲେ।

ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀମାନେ ଦୌଡ଼ି ଆସିଥିଲେ ବି କାରଖାନା ଜଳୁଥିବା ସହ ଚାରିଆଡ଼ ଧୂଆଁମୟ ହୋଇଯାଇଥିବାରୁ କାହାକୁ ଉଦ୍ଧାର କରିବା ସମ୍ଭବ ହୋଇନଥିଲା। ତେବେ ବସ୍ତା ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିବା ପରେ ଦମକଳ କର୍ମଚାରୀ ତଥା ଗ୍ରାମବାସୀ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଯାହା ଜଣାପଡ଼ିଛି; ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ୬ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ; ଗୋଲକଙ୍କ ପୁଅ କହ୍ନେଇଲାଲ ପ୍ରଧାନ, ୪ ବର୍ଷର ନାତି ତଥା କହ୍ନେଇଲାଲଙ୍କ ପୁଅ ରାକେଶ ପ୍ରଧାନ ଓ ବଡପୁଅ ବୋଲାଇ ପ୍ରଧାନ, ନିମାଇଁ ଭୁୟାଁ, ପିଣ୍ଟୁ ମଣ୍ଡଳ, ବାଇନ ମଣ୍ଡଳ, ପ୍ରମୁଖ।

ସେହିପରି ଗୁରୁତରଙ୍କ ମଧ୍ୟରେ ଗୋଲକ, ନାତୁଣୀ ନନ୍ଦିନୀ ପ୍ରଧାନ, ମଝିଆଁ ପୁଅ, ତାଙ୍କ ପତ୍ନୀ ପାର୍ବତୀ ପ୍ରଧାନ, ସାନପୁଅ ନିମାଇଁ ପ୍ରଧାନ, ଖକନ ପ୍ରଧାନ, ରାମପଦ ମାଇତି, ପ୍ରଦୀପ ବେରା, ମୁକେଶ ପରିଡ଼ା, ରଂଜିତ ସାମନ୍ତରାୟ, ବିଟୁ ବାରିକ, ରଣଜିତ ସାମନ୍ତ ରହିଥିବା ବେଳେ ଜଣକଙ୍କ ପରିଚୟ ମିଳିପାରିନାହିଁ। ଗୁରୁତରଙ୍କ ମଧ୍ୟରୁ ୧୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ସେହିପରି ଦୁର୍ଘଟଣାସ୍ଥଳରେ ଥିବା ଜଳାଶୟ ଏବଂ ଜଙ୍ଗଲରେ କିଛି ବ୍ୟକ୍ତି ଛିଟିକିପଡି ଥିବା ସନ୍ଦେହ କରାଯାଉଥିବାରୁ ଆସନ୍ତାକାଲି ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି କରାଯିବ। ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି।

ଏହି ଘଟଣାକୁ ମର୍ମନ୍ତୁଦ କହିବା ସହ ଜିଲ୍ଲାପାଳ ପ୍ରତି ମୃତକଙ୍କ ପରିବାରକୁ ରେଡକ୍ରସ୍‌ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରାଯିବା ସହ ଗୁରୁତରଙ୍କୁ ଡାକ୍ତରଖାନା ଆଣିଥିବା ବ୍ୟକ୍ତିଗତ ଗାଡ଼ିଗୁଡ଼ିକର ସମସ୍ତ ଖର୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।
ଇତିମଧ୍ୟରେ କର୍ତବ୍ୟରେ ଅବହେଳା ଲାଗି ମେରାଇନ୍‌ ଥାନା ଅଧିକାରୀ ସନ୍ତୋଷ ବେହେରାଙ୍କୁ ସସପେଣ୍ଡ କରାଯାଇଛି।

ମୃତକଙ୍କୁ ଦୁଇ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର : ବାଲେଶ୍ୱର ବାହାବଳପୁରଠାରେ ବାଣ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ନିକଟତମ ଅତ୍ମୀୟଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିସହ ଗୁରୁତର ଆହତ ବ୍ୟକ୍ତିିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘଟଣାରେ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର