ପିକ୍‌ଅପ୍‌ ଭ୍ୟାନ୍ ଓଲଟି ୯ମୃତ ଘଟଣା : ଛତିଶଗଡ଼ ଗଲା ୯ ମହିଳାଙ୍କ ଶବ

ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା
ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ସହାୟତା

କୋଟପାଡ : କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ମୂର୍ତ୍ତାହାଣ୍ଡି ପଞ୍ଚାୟତର ସିନ୍ଧିଗାଁ ନିକଟରେ ପିକ୍‌ଅପ୍ ଭ୍ୟାନ୍ ଓଲଟି ୯ଜଣଙ୍କ ମୃତ୍ୟୁ ଘଟଣାରେ ସମସ୍ତଙ୍କ ପରିଚୟ ମିଳିଛି। ସମସ୍ତ ମୃତକ ମହିଳା ଥିଲେ ଏବଂ ଭ୍ୟାନ୍‌ରେ ମୋଟ ୨୧ଜଣ ଥିଲେ ବୋଲି ଜଣାପଡ଼ିଛି। ଛତିଶଗଡ଼ ସରକାର ସମସ୍ତ ମୃତକଙ୍କ ଶବକୁ ୩ଟି ଆମ୍ବୁଲାନ୍ସ ଯୋଗେ ନେଇଯାଇଛନ୍ତି।

ସୂଚନା ଅନୁସାରେ, ମୃତକଙ୍କ ଶବ ବ୍ୟବଚ୍ଛେଦ କୋଟପାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହେବାପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗୁରୁତର ଆହତଙ୍କୁ ଜଗଦଲପୁର ନିକଟସ୍ଥ ଡିମରାପାଲସ୍ଥିତ ବଳରାମ କାଶ୍ୟପ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଛତିଶଗଡ଼ ପ୍ରଶାସନ ପକ୍ଷରୁ ଆଜି ୩ଟି ଆମ୍ବୁଲାନ୍‌ସ ଯୋଗେ ୯ଜଣଙ୍କ ଶବ ସେମାନଙ୍କ ଗାଁକୁ ନେବା ବ୍ୟବସ୍ଥା କରାଯାଇଥିଲା।

ଏଭଳି ହୃଦୟ ବିଦାରକ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ପ୍ରମୁଖ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ଜାତୀୟ ରିଲିଫ୍‌ ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ସୀମାନ୍ତ ଛତିଶଗଡ଼ ରାଜ୍ୟର କୁଲଚା ଗାଁରୁ ଗତକାଲି ୩୦ରୁ ଊର୍ଦ୍ଧ୍ବ ଜଣ ଗୋଟିଏ ପିକ୍‌ଅପ୍ ଭ୍ୟାନ (ସିଜି ୧୭କେୟୁ ୪୬୨୩) ଯୋଗେ କୋଟପାଡ଼ ବ୍ଲକର ସିନ୍ଧିଗାଁକୁ ଦଶାହ ଭୋଜିରେ ଯୋଗ ଦେବାକୁ ଆସିଥିଲେ। ସଂଧ୍ୟାରେ ପୁଣି ଗାଁକୁ ଫେରିବା ସମୟରେ ସିନ୍ଧିଗାଁ ଛକ ବୁଲାଣିରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଭ୍ୟାନ୍‌ଟି ଜମି ମଧ୍ୟକୁ ଖସିପଡ଼ି ଓଲଟି ଯାଇଥିଲା।

ସମ୍ବନ୍ଧିତ ଖବର