୯ ଡିଗ୍ରି ଉପରେ ସବୁ ସହର

ଭୁବନେଶ୍ବର: ବଢ଼ିଲା ରାତିର ପାରଦ। ତଳଚେରକୁ ଛାଡ଼ି ରାଜ୍ୟର ସମସ୍ତ ସହର‌ରେ ରାତିର ତାପମାତ୍ରା ୧୦ ଡିଗ୍ରି ଟପିଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ବି ତାପମାତ୍ରା ୧୧.୫ ଡିଗ୍ରିରେ ପହଞ୍ଚିଛି। ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ବୃଦ୍ଧି ପାଇଛି। ଦୀର୍ଘଦିନ ହେଲା ଭୁବନେଶ୍ବରରେ ରାତିର ତାପମାତ୍ରା ୧୫ ଡିଗ୍ରି ତଳେ ରହୁଥିଲା। ଆଜି ତାହା ୧୫.୭ ଡିଗ୍ରିକୁ ବୃଦ୍ଧି ପାଇଛି। ଭୁବନେଶ୍ବର ସମେତ କଟକ, ବାଲେଶ୍ବର, ଚାନ୍ଦବାଲି, ପାରାଦୀପ, ଗୋପାଳପୁର, ପୁରୀ, ବାରିପଦା, ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା‌ ଇତି ମଧ୍ୟରେ ୧୪ ଡିଗ୍ରି ପାର୍‌ ହୋଇଛି। ଏଣିକି ରାତିର ପାରଦ ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି କୁହାଯାଇଛି ଯେ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବ। ଭୋର ୪ଟାରୁ ୭ଟା ପର୍ଯ୍ୟନ୍ତ କୁହୁଡ଼ିର ମାତ୍ରା ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର