ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍‌ ଗୋଡ଼ିଆବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜିରା ଗାଁରେ ବ୍ୟାପିଲା ଡେଙ୍ଗୁ। ଗତ ୧୦ଦିନ ମଧ୍ୟରେ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ତିନି ଜଣଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗାଁରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ଆକ୍ରାନ୍ତଙ୍କୁ ଜ୍ୱର ଓ ବାନ୍ତି ସହ ଗୋଡ଼ହାତ ବିନ୍ଧା ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସଲସଲ ନିଶାଲ (୨୧), ମଧୁ ସୂରିୟାଲୁ (୨୯), ବିକାଶ ସୁରିଆଲୁ (୩୨), ବୁଡ଼ୁ ବିଡ଼ିକା (୬୦), ଅଞ୍ଚନା ମହାନନ୍ଦିଆ (୨୪), ସଞ୍ଜୁ ଦାଶ (୨୪), କୃଷ୍ଣକେଶବ ପଣ୍ଡା (୫୦), ସୂର୍ଯ୍ୟ ଗୌଡ଼ (୪୦), ସୁଲୋଚନା ପରିପାକା (୬୬) ପ୍ରମୁଖଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କ ରକ୍ତ ପରୀକ୍ଷା ରିପୋର୍ଟ ‌‌ଡେଙ୍ଗୁ ପଜିଟିଭ୍‌ ଆସିଥିଲା। ଉନ୍ନତ ଚିକିତ୍ସା ପାଇଁ କୃଷ୍ଣକେଶବଙ୍କୁ ଆଜି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେହିପରି ସଲସଲ ନିଶାଲ, ମଧୁ ସୂରିୟାଲୁ, ବିକାଶ ସୁରିଆଲୁଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌କୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଋତୁପର୍ଣ୍ଣା ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଡାକ୍ତର ଶ୍ରୀନିବାସ, ବିପିଏମ୍‌ ମନୋଜ କୁମାର ପଣ୍ଡା, ମ୍ୟାଲେରିଆ ନିରୀକ୍ଷକ ଜୟଦେବ ନିମାଲପୁରୀ, ପିଏଚ୍‌ଇଓ ସଫିରା ରାଇକା, ନର୍ସିଂ ଅଫିସର ରୋଜମେରି ଦୀପ୍, ଏଏନ୍ଏମ୍ ବିଜୟଲକ୍ଷ୍ମୀ ଶବର, ନାଗେଶ୍ୱର ଶବର, ଆଶାକର୍ମୀ ମମତା ଦାଶ ପ୍ରମୁଖ ଜିରା ଗ୍ରାମକୁ ଯାଇ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ମଶାରି ବ୍ୟବହାର କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି। ଏଥିସହିତ ମଶା ବଂଶ ବିସ୍ତାର କରୁଥିବା ସ୍ଥାନକୁ ସଫା କରିବାକୁ ପରାମର୍ଶ ଦେଇ ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଗରମ ଯୋଗୁଁ ଲୋକମାନେ ମଶାରି ବ୍ୟବହାର ନ କରିବା ଏବଂ ନର୍ଦ୍ଦମା ପରିଷ୍କାର ନ ରଖିବା ଯୋଗୁ ଡେଙ୍ଗୁ ବ୍ୟାପୁଥିବା ଅନୁମାନ କରାଯାଉଛି।