ଚଣ୍ଡିଖୋଲ: ଆଜି ସନ୍ଧ୍ୟାରେ ବାଲିଚନ୍ଦ୍ରପୁରର ପ୍ରସିଦ୍ଧ ଦାଣ୍ଡଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଯାତ୍ରା ପାଇଁ ଅଶିଳା ଗ୍ରାମସ୍ଥିତ ରାମ ମନ୍ଦିରରୁ ବାହାରି ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ଜାନକୀ, ଭାଇ ଲକ୍ଷ୍ମଣ ଓ ଶିଷ୍ୟ ହନୁମାନ ଏକ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଆସି ବାଲିଚନ୍ଦ୍ରପୁର ବଜାର ହନୁମାନ ମନ୍ଦିର ନିକଟରେ ପହଞ୍ଚିଥିଲେ।
ଏଥିପାଇଁ ଆଜି ସନ୍ଧ୍ୟାରେ ୯ ଜଣ ରାମଭକ୍ତ ଅମୀୟ କୁମାର ସାହାଣୀ, ପ୍ରଣବ କୁମାର ଷେଣ୍ଡ, ବନତ ଦାସ, ଅଜୟ କୁମାର ସାହୁ, ରଞ୍ଜନ ବେହେରା, ପବିତ୍ର ମହାରଣା, ସଞ୍ଜୟ କୁମାର ରାଉତରାୟ, ବିଭୁ ସାହୁ ଓ ଶୁଭମ ରାଉତରାୟ ପ୍ରମୁଖ ହନୁମାନ ମନ୍ଦିର ନିକଟରୁ ଦଣ୍ଡ ମାରି ୪ କିଲୋମିଟର ରାସ୍ତା ଅତିକ୍ରମ କରି ଅଶିଳା ରାମମନ୍ଦିର ନିକଟକୁ ଯାଇଥିଲେ।
କିଶୋର ବାରିକ, ସତ୍ୟାନନ୍ଦ ମଲ୍ଲିକ, ସୁରେନ୍ଦ୍ର ବାରିକ, ପ୍ରମୋଦ ମଲ୍ଲିକ, ଅନନ୍ତ ବାରିକ, ବିନୋଦ ପୃଷ୍ଟି, ମନୋଜ ମହାରଣା, ପ୍ରକାଶ ବାରିକ ଓ ସଞ୍ଜୟ କୁମାର ବେହେରା ପ୍ରମୁଖ ଦଣ୍ଡ ମାରି ଯାଉଥିବା ଭକ୍ତଙ୍କୁ ଆବଶ୍ୟକ ସେବା ଯୋଗାଇଥଲେ। ୨୦୦୧ ମସିହାରୁ ଏଠାରେ ଏହି ପ୍ରସିଦ୍ଧ ଦାଣ୍ଡ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।