ବଜ୍ରାଘାତରେ ସାରା ଓଡ଼ିଶାରେ ୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ବଜ୍ରାଘାତ ନେଲା ୯ ଜୀବନ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ମାଡି ଆସିବା ସହ ଖୁବ୍ ଜୋରରେ ବଜ୍ରାଘାତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବାରଡାଙ୍ଗ ଗାଁର ସରୋଜ ଜେନାଙ୍କ ମୃତ୍ୟୁ ହୋଇଛି । ସରୋଜ ଜମିକୁ ଧାନ ବୁଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ ଜଣଙ୍କ ପ୍ରାଣ ଯାଇଛି ।

ABC News

କଟକ ଟାଙ୍ଗୀରେ ୨ ଜଣ ଓ ଢେଙ୍କାନାଳ ସଦର ଥାନା ଅଂଚଳରେ ୨ ଜଣଙ୍କ ଜୀବନ ନେଇଛି ବଜ୍ରାଘାତ । ଦେବଗଡ ବାଘମାରୀ ଗାଁରେ ଜଣଙ୍କର ଜୀବନ ନେଇଥିବାବେଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ ବଜ୍ରାଘାତରେ ନାବାଳକ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ସୁନାଡ଼ଙ୍ଗରି ଗ୍ରାମର୍ ରାମଧର ମାଝୀଙ୍କ ପୁଅ ନରସିଂହ ମାଝୀ କ୍ରିକେଟ ଖେଳ ଦେଖିବା ନିମନ୍ତେ ମିରିଗୁଡା ଗ୍ରାମକୁ ଯାଇଥିଲା । ଦିନ ୩ଟା ସମୟରେ କ୍ରିକେଟ ଖେଳ ଦେଖି ନିଜ ଘର ସୁନାଡ଼ଙ୍ଗରିକୁ ଫେରୁଥିଲା ।

ଏହି ସମୟରେ ମାଝୀଗୁଡା ଗ୍ରାମରେ ହଠାତ ବର୍ଷା ସହ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ନରସିଂହ ଟଳି ପଡିଥିଲା । କିଛି ସମୟ ପରେ ମାଝୀଗୁଡା ଗ୍ରାମବାସୀ ରାସ୍ତା କଡରେ ଟଳି ପଡିଥିବା ନାବାଳକକୁ ଦେଖି ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର