ଭିମସାରର ୯ ଜଣ ଡାକ୍ତର, ୨ ଆଟେଣ୍ଡାଣ୍ଟ ଓ ଜଣେ ନର୍ସ କରୋନା ପଜିଟିଭ୍‌, ବନ୍ଦ ହେଲା ମେଡିସିନ ଓପିଡି ସେବା

ସମ୍ବଲପୁର: ଦୁଇ ଦିନ କାଳ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭିମସାର ମେଡିସିନ ବିଭାଗର ଏଚଡିୟୁରେ ଭର୍ତ୍ତି ହୋଇଥିବା ବରଗଡ଼ ଜିଲ୍ଲା ଅତାବିରାର ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେହିଦିନ ୩୯ ଜଣ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ କ୍ୱାରେଣ୍ଟାଇନକୁ ଯାଇଥିଲେ। ଏହା ପରେ ମେଡିସିନ ବିଭାଗରେ କାର୍ଯ୍ୟରତ ସମସ୍ତ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଥିଲା।

ତେବେ ମଙ୍ଗଳବାର ଦିନ ଗୋଟିଏ ସୁଦ୍ଧା ମେଡିସିନ ବିଭାଗର ୯ ଜଣ ଡାକ୍ତର, ୨ ଜଣ ଆଟେଣ୍ଡାଣ୍ଟ ଓ ଜଣେ ନର୍ସ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଭିମସାର କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ସଂକ୍ରମଣ ଯେଭଳି ଭାବେ ନ ବଢ଼େ ଏହାକୁ ଆଖି ଆଗରେ ରଖି ଭିମସାର ମେଡିସିନ ଓପିଡ଼ି ସେବା ବନ୍ଦ କରି ଦିଆଯାଇଥିବା ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି।

ତେବେ ସଂପର୍କିତ ରୋଗୀଙ୍କ ସଂସ୍ପର୍ଶରେ ଆହୁରି ଡାକ୍ତର ଓ ନର୍ସ ରହିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ମେଡିକାଲ କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି। ଭିମସାରରେ ପୂର୍ବରୁ ୨୬ ଜଣ ଡାକ୍ତର ଓ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭଲ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୬୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୨୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଜିଲ୍ଲାରୁ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର