ଧାନ କ୍ରୟ ତଥା ଋଣ କାରବାରରେ ଆର୍ଥିକ ଅନିୟିମତତା ପ୍ରସଙ୍ଗ : ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ୯ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର : କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ଼ ଶାଖା ଅଧୀନରେ ଥିବା ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ୍ କାରବାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସମିତିର ୯ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଆଇଡି, କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ବରର ଏସ୍‌ପିଙ୍କୁ ଅନୁରୋଧ କରାଯାଇଛି ଓ ତଦନ୍ତ ପ୍ରକ୍ରିୟା ଜାରି ରହିଛି। କ୍ଷତିଗ୍ରସ୍ତ ହୋଇଥିବା ଋଣୀ ଚାଷୀଙ୍କର ସ୍ବାର୍ଥକୁ ଆଇନ ଅନୁଯାୟୀ ସୁରକ୍ଷା‌ ପ୍ରଦାନ କରାଯିବ ବୋଲି ସମବାୟ ସମିତି ସମୂହ ନିବନ୍ଧକଙ୍କ ପକ୍ଷରୁ କୁହାଯାଇଛି।

ନିବନ୍ଧକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ସମବାୟ ସମିତି ସମୂହର ନିବନ୍ଧକ ଓ ମହାସମୀକ୍ଷକ ୨୦୨୦ ମାର୍ଚ୍ଚ ୧୨ ତାରିଖରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ସମବାୟ ସମିତି କଟକର ଉପନିବନ୍ଧକ, ସହକାରୀ ମହାସମୀକ୍ଷକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଓ ସମବାୟ ସମିତି ସମୂହର ନିବନ୍ଧକଙ୍କ ପ୍ରତିନିଧିଙ୍କୁ ନେଇ ଏକ ୧୧ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ୨୦୨୦ ଜୁନ୍ ୩ ତାରିଖରେ ତଦନ୍ତକାରୀ ଦଳ ସମିତିରେ ହୋଇଥିବା ଧାନ କ୍ରୟ ତଥା ଫସଲ ଋଣ କାରବାରରେ ୧,୦୯,୫୦,୨୯୦ ଟଙ୍କାର ଆର୍ଥିକ ହେର୍‌ଫେର୍‌ ଓ ଅନିୟମିତତା ହୋଇଥିବା ଦର୍ଶାଇଥିଲେ। ଏହି ତଦନ୍ତ ରିପୋର୍ଟ ଆଧାରରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ଼ ଶାଖାର ୬ ଜଣ କର୍ମଚାରୀ ଯଥା ଶାଖା ପରିଚାଳକ ପ୍ରମୋଦ କୁମାର ଦାଶ, ସହ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟ, ଚିତ୍ରାନନ୍ଦ ଜେନା, ବାବାଜୀ ପ୍ରଧାନ, ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡ଼ା ଓ ଚୌଦ୍ବାର ବ୍ୟାଙ୍କ ଶାଖାର ସହ ପରିଚାଳକ ଜିତେନ୍ଦ୍ର ମହାନ୍ତିଙ୍କ ସହ ଗୁରୁଡ଼ିଝାଟିଆ ସେବା ସମିତିରେ କାର୍ଯ୍ୟରତ ଥିବା ୩ କର୍ମଚାରୀ ସମ୍ପାଦକ ବିଜୟ କୁମାର ଦାଶ, ସହ ସମ୍ପାଦକ ସଂଗ୍ରାମ କେଶରୀ ସାହୁ ଓ ପିଅନ ପ୍ରବୋଧ ରଞ୍ଜନ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଆଇନ ମୁତାବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ତଦନ୍ତ ପ୍ରକ୍ରିୟାକୁ ଶୀଘ୍ର ଶେଷ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସମବାୟ ସମିତି ନିବନ୍ଧକଙ୍କ ପକ୍ଷରୁ ଗତ ୬ ତାରିଖରେ ସିଆଇଡି, କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖାର ଏସ୍‌ପିଙ୍କୁ ଚିଠି ଲେଖାଯାଇଛି। ଏହି ତଦନ୍ତ ଆଧାରରେ ଯେଉଁ ଚାଷୀଙ୍କ ଋଣ ଅର୍ଥ ପ୍ରଦାନରେ ହେର୍‌ଫେର୍ ପ୍ରମାଣିତ ହେବ, ସେହି ଅର୍ଥ ଦାୟୀ କର୍ମଚାରୀଙ୍କଠାରୁ ଆଦାୟ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର