ପ୍ରାଚୀନ କାଳରୁ ଶ୍ରୀମନ୍ଦିର ପ୍ରବେଶ ନିୟମ କଠୋର : ଗାନ୍ଧିଜୀ ଓ ବିନୋବାଙ୍କୁ ବି ମିଳି ନଥିଲା ଅନୁମତି

ପୁରୀ : ଶ୍ରୀମନ୍ଦିର ଅଣହିନ୍ଦୁ ପ୍ରବେଶକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ବିଚାର କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେବା ପରେ ଏ ନେଇ ବିତର୍କ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନିୟମ ଯେ କଠୋର ତାହା ଇତିହାସର ଦସ୍ତାବିଜ୍‌ ପ୍ରମାଣିତ କରୁଛି।

ଶ୍ରୀମନ୍ଦିରକୁ କେବଳ ସାଧାରଣ ନାଗରିକ ନୁହଁନ୍ତି ବରଂ ଭାରତ ତଥା ବିଶ୍ୱସ୍ତରରେ ପରିଚିତ ପ୍ରସିଦ୍ଧ ରାଷ୍ଟ୍ରନେତାଙ୍କୁ ମଧ୍ୟ ବିଭିନ୍ନ କାରଣରୁ ପ୍ରବେଶ ଅନୁମତି ମିଳିନାହିଁ। ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିନଥିବା ବିଶ୍ୱ ପ୍ରସିଦ୍ଧ ୯ ଜଣଙ୍କ ମଧ୍ୟରେ ରହିଛନ୍ତି ଜାତିର ପିତା ମହାତ୍ମାଗାନ୍ଧୀ, ଆଚାର୍ଯ୍ୟ ବିନୋବା ଭାବେ, ନୋବେଲ୍‌ ବିଜେତା ରବୀନ୍ଦ୍ରନାଥ ଟ୍ୟାଗୋର, ଇସ୍କନର ପ୍ରତିଷ୍ଠାତା ସ୍ୱାମୀ ପ୍ରଭୁପାଦ, ଭାରତର ସମ୍ବିଧାନ ପ୍ରଣେତା ଡକ୍ଟର ବିଆର ଆମ୍ବେଦକର, ବ୍ରିଟିସ୍‌ ଭାଇସରାୟ ଲର୍ଡ କର୍ଜନ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ, ଥାଇଲାଣ୍ଡର ରାଣୀ ମହାଚକ୍ରୀ ଶ୍ରୀଧରନ ଓ ସୁଇଜରଲାଣ୍ଡର ଏଲିଜାବେଥ୍‌ ଜିଗଲର। ତେବେ ହିନ୍ଦୁ ଧର୍ମରେ ଦୀକ୍ଷିତ ହେଲା ପରେ ଶ୍ରୀମନ୍ଦିରକୁ ଦୟାମାତା ନାମକ ଜଣେ ଆମେରିକୀୟ ନାଗରିକଙ୍କୁ ପ୍ରବେଶ ଅନୁମତି ମିଳିଥିବା ନଜିର ରହିଛି। ଶ୍ରୀମନ୍ଦିରକୁ ପୂର୍ବରୁ କେବଳ ନୈଷ୍ଠିକ ହିନ୍ଦୁଙ୍କ ପ୍ରବେଶ ଅନୁମତି ଥିଲା।

୧୯୩୪ ମସିହାରେ ଜାତିର ପିତା ମହାତ୍ମା ଗାନ୍ଧୀ ପୁରୀ ଆସିଥିଲେ। ସେତେବେଳେ ସେ ହରିଜନମାନଙ୍କୁ ନେଇ ମନ୍ଦିର ଭିତରକୁ ଯିବାକୁ ଚାହିଁବାରୁ ତାଙ୍କୁ ଅନୁମତି ମିଳିନଥିଲା। ସେହିଭଳି ଭୂଦାନ ଆନ୍ଦୋଳନର ମହାନାୟକ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିନଥିଲା। ସେ ମଧ୍ୟ ଦଳିତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଯୁକ୍ତି ବାଢିଥିଲେ। ଇସ୍କନର ପ୍ରତିଷ୍ଠାତା ସ୍ୱାମୀ ପ୍ରଭୁ ପାଦ ୧୯୭୭ରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଯିବାକୁ ଚାହିଁଥିଲେ। ସେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବାରୁ ସେ ମନ୍ଦିର ଭିତରକୁ ଯିବାକୁ ଚାହିଁଥିଲେ। ମାତ୍ର ତାଙ୍କୁ ମଧ୍ୟ ଅନୁମତି ଦିଆଯାଇନଥିଲା। ଭାରତର ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକର ଜୁଲାଇ ୧୯୪୫ରେ ପୁରୀ ଆସିଥିଲେ। କୌଣସି କାରଣରୁ ତାଙ୍କୁ ମଧ୍ୟ ଶ୍ରୀମନ୍ଦିରକୁ ଯିବାକୁ ଅନୁମତି ଦିଆଯାଇନଥିଲା।

ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଫିରୋଜଙ୍କୁ ବିବାହ କରିଥିବାରୁ ଇନ୍ଦିରାଙ୍କୁ ମଧ୍ୟ ମନ୍ଦିର ପ୍ରବେଶରୁ ବାରଣ କରାଯାଇଥିଲା। ସେ ପତିତପାବନ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ୨୦୦୫ରେ ଥାଇଲାଣ୍ଡର ରାଣୀ ମହାଚକ୍ରୀ ଶ୍ରୀଧାରିଣୀଙ୍କୁ ଶ୍ରୀମନ୍ଦିର ଅନୁମତି ମିଳିନଥଲା। ସେ ବୌଦ୍ଧଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କୁ ଏହି ସୁଯୋଗ ଦିଆଯାଇନଥିଲା। ସେ ବାହାରୁ ନୀଳଚକ୍ର ଦର୍ଶନ କରି ଫେରିଯାଇଥିଲେ।

ସୁଇଜରଲାଣ୍ଡର ନାଗରିକ ଏଲିଜାବେଥ୍‌ ଜିଗଲର ନାମକ ମହିଳା ଶ୍ରୀମନ୍ଦିରକୁ ବହୁ ଦାନ କରିଥିଲେ। ସୁଇଜରଲାଣ୍ଡରୁ ଦାନ ସଂଗ୍ରହ କରି ସେ ଏସ୍‌ବିଆଇ ଶାଖା ମାଧ୍ୟମରେ ଶ୍ରୀମନ୍ଦିର ଆକାଉଣ୍ଟ୍‌କୁ ପ୍ରାୟ ଏକ କୋଟି ୭୮ ଲକ୍ଷ ଟଙ୍କା ଦାନ କରିଥିଲେ। ମାତ୍ର ସେ ଶ୍ରୀମନ୍ଦିରକୁ ପ୍ରବେଶ କରି ପାରିନଥିଲେ। ସେ ଅନ୍ୟ ଧର୍ମାବଲମ୍ବୀ ହୋଇଥିବାରୁ ନିଜ ଆଡୁ ବାରଣ ହୋଇ ରହିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ରହି ନୀଳଚକ୍ର ଦର୍ଶନ କରିଥିଲେ। ସେ ନୀଳଚକ୍ରରେ ଏକ ଧ୍ୱଜା ବନ୍ଧିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଗରିବଙ୍କୁ ମାଗଣା ମହାପ୍ରସାଦ ଦେବାକୁ ସେ ଆଗ୍ରହ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଆମେରିକା ନାଗରିକ ତଥା ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଦୟାମାତା ୧୯୫୦ ମସିହା ତଥା ରାଜା ବୀରକିଶୋର ଦେବଙ୍କ ସମୟରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେତେବେଳେ ରାଜାଙ୍କ ଅଧୀନରେ ମନ୍ଦିର ପରିଚାଳନା ଥିଲା।

ସମ୍ବନ୍ଧିତ ଖବର