କୋର୍ଟ ପରିସରରୁ ୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ରାଉରକେଲା: ଆଜି ରାଉରକେଲା ଉଦିତନଗର ନୂଆ କୋର୍ଟ ପରିସରରୁ ଏକ ୯ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସାପଟିକୁ କୋର୍ଟ ପରିସରରେ ଦେଖି ଅନେକ ଭୟଭୀତ ହୋଇ ପଡ଼ିଥିଲେ। ଏତେ ଲମ୍ବର ଅଜଗର ଉଦ୍ଧାର ହେବା ଘଟଣା କ୍ୱଚିତ।
ଓକିଲ ସଂଘ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ବଳ ଏ ନେଇ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ କୋର୍ଟ ପରିସରରେ ପହଁଚି ସାପଟିକୁ ଉଦ୍ଧାର କରିଥିଲେ। ତେବେ ସୌଭାଗ୍ୟ ବଶତଃ ଆଜି ରବିବାର କାରଣରୁ କୋର୍ଟ ଛୁଟିଥିଲା। ନଚେତ କୌଣସି ଅଘଟଣ ଘଟିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଥାନ୍ତା ବୋଲି ଆଇନଜୀବୀମାନେ ମତ ପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ବାଗଡିହି ବନବିଭାଗ କାର୍ଯ୍ୟାଳୟ ନିକଟରେ ରାସ୍ତା ପାର ହେଉଥିବା ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛଡ଼ାଯାଇଥିଲା। ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଲଇକେରା-ବାଗଡ଼ିହି ପିଚୁ ରାସ୍ତା ପାରି ହେଉଥିବା ଏକ ଅଜଗର ସାପକୁ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣ ଦେଖିବାକୁ ପାଇଥିଲେ।ନିକଟରେ ଥିବା ବନବିଭାଗର କାର୍ଯ୍ୟାଳୟକୁ ଖବର ଦେବାପରେ ଫରେଷ୍ଟର ବିଶ୍ୱନାଥ ପ୍ରଧାନ, ଫରେଷ୍ଟ ଗାର୍ଡ ସୁରେଶ ତରାଇ, ବିପିନି ସା ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ସାପଟିର ଲମ୍ବ ୮.୫ ଫୁଟ ହୋଇଥିବା ବେଳେ ଓଜନ ୨୦ କେଜି ଥିଲା। ସାପଟିକୁ ଧରି ବନବିଭାଗର କାର୍ଯ୍ୟାଳୟକୁ ଆଣି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର