ଦେଢ଼ ଲକ୍ଷରେ ଡଙ୍ଗା‌ କିଣି ଘରକୁ ଫେରିଲେ, ଗଞ୍ଜାମର ୯ ମତ୍ସ୍ୟଜୀବୀଙ୍କୁ କ୍ବାରାଣ୍ଟିନରେ ରଖିଲା ଆନ୍ଧ୍ର

ଚିକିଟି : ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ଓଡ଼ିଶାର ଲକ୍ଷ ଲକ୍ଷ ଶ୍ରମିକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ରୋଜଗାର ହରାଇ ଖାଇବାକୁ ନ ପାଇ ଶେଷରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ପାତିସୁନାପୁରର ୯ ଜଣ ମତ୍ସଜୀବୀ ଯୁବକ ସୁଦୂର ଚେନ୍ନାଇରୁ ବିପଦପୂର୍ଣ୍ଣ ଭାବେ ସମୁଦ୍ର ପଥରେ ଫେରିବାକୁ ବାଧ୍ୟ ହୋଇଛନ୍ତି। ଆନ୍ଧ୍ରର ଆଉ ୧୭ ଜଣ ଓ ପୁରୀ କୃଷ୍ଣପ୍ରସାଦର ଜଣେ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ୧.୬୦ ଲକ୍ଷ ଟଙ୍କା ଚାନ୍ଦା କରି ଏକ ଡଙ୍ଗା କିଣି ସମୁଦ୍ର ପଥରେ ବାହାରିଥିଲେ। ହେଲେ ନିଜ ଭିଟାମାଟିରେ ପହଞ୍ଚିପାରି ନାହାନ୍ତି। ଭିଟାମାଟି ଠାରୁ ପ୍ରାୟ ୫କିମି ଦୂର ପୁସ୍ତପୁର ଠାରେ ଆନ୍ଧ୍ରପ୍ରଦେଶ ପ୍ରଶାସନ ସେମାନଙ୍କୁ ଅଟକ ରଖି ସଙ୍ଗରୋଧରେ ରଖିଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଳା ଚିକିଟି ବ୍ଲକ ଅର୍ନ୍ତଗତ ସୁନପୁର ପଞ୍ଚାୟତ ଅଧୀନରେ ଆସୁଛି ପାତିସୁନାପୁର ଗାଁ। ଏହି ଗ୍ରାମଟି ଆନ୍ଧ୍ର ସୀମାରେ। ଗ୍ରାମର ୯ଜଣ ଯୁବ ମତ୍ସଜୀବୀ କାମଧନ୍ଦା ନ ପାଇବା ପରେ ଚେନ୍ନାଇ ପଳାଇ ଯାଇଥିଲେ। ସେଠାରେ ରହି ଗଭୀର ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରୁଥିଲେ। ‌କରୋନା କଟକଣା ପରେ ମାଛ ମରା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। ଏହି ମତ୍ସଜୀବୀମାନେ ଜୀବିକା ହରାଇବା ସହ ରୋଜଗାରହୀନ ହୋଇ ପଡ଼ିଥିଲେ। ଶେଷରେ ଜଳପଥରେ ଡଙ୍ଗାରେ ଭିଟାମାଟି ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିଲାଗି ଚେନ୍ନାଇରୁ ୧ଲକ୍ଷ ୬୦ହଜାର ଟଙ୍କାରେ ଏକ ଡଙ୍ଗା କିଣିଥିଲେ। ସେଥିରେ ଖାଇବା ଜିନିଷପତ୍ର ଧରି ଗତ ୧୫ ତାରିଖ ରାତି ୯ ଟାରେ ଗୋଟିଏ ଡଙ୍ଗାରେ ଆନ୍ଧ୍ର ପ୍ରଦେଶର ୧୭ଜଣ, ଗଞ୍ଜାମ ଜିଲ୍ଲା ପାତି ସୁନାପୁର ର ୯ଜଣ ଯୁବକ ଓ ପୁରୀ ଜିଲ୍ଲା କୃଷ୍ଣପ୍ରାସଦ ବ୍ଲକ ଅଞ୍ଚଳର ଜଣେ ନିଜ ଭିଟାମାଟି ଅଭି‌ମୁଖେ ଚେନ୍ନାଇରୁ ବାହାରିଥିଲେ। ଉକ୍ତ ଡଙ୍ଗାରେ ଥିବା ପାତି ସୁନାପୁର ଗ୍ରାମର ୯ଜଣ ହେଲେ କେ.ନୋକାରାଜୁ, ଡ଼ବ୍ଲୁ.ହରିଶ୍ଚନ୍ଦ୍ର,ବି.ଭେଙ୍କଟେଶ,ଏଲ.ଭାସ୍କର ରାଓ, ପି.କେଶବ ରାଓ,ଡ଼ି.ଦେବରାଜ,ଏଲ.ଗୁରୁମୁ,ଏଲ.ଲିଙ୍ଗରାଜ ଏବଂ ବି.ରାଭଣା। ତେବେ ଏହି ମତ୍ସଜୀବୀମାନେ ଜଳପଥରେ ଫେରୁଥିବା ଖବର ଆନ୍ଧ୍ର ପୁଲିସକୁ କୌଣସି ସୂତ୍ରରୁ ମିଳିଥିଲା।

ଗତକାଲି ଆନ୍ଧ୍ରର ଡ଼ଙ୍କୁରୁ ସମୁଦ୍ର କୂଳରେ ଉକ୍ତ ଡଙ୍ଗା ଲାଗିବ ବୋଲି ସେଠାରେ ନିୟୋଜିତ ଜଣେ ପୁଲିସ କନଷ୍ଟେବଳ ନିକଟରେ ସୂଚନା ପହଞ୍ଚିଥିଲା। ସେ ଏହି ଖବର ଆନ୍ଧ୍ର ପୁଲିସକୁ ଜଣାଇବା ସହିତ ସହ ପାତ୍ରପୁର ବ୍ଲକ୍ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବଳରାମପୁର ଚେକ୍‌ପୋଷ୍ଟ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ରମାକାନ୍ତ ସାହୁଙ୍କୁ ବି ଜଣାଇଥିଲେ। ଖବର ପାଇ ଆଜି ଭୋର୍‌ରେ ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଏବଂ ଚିକିଟି ବିଡିଓ ଫାଲଗୁନି ମାଝି ଆନ୍ଧ୍ର ପ୍ରଦେଶର ଡଙ୍କୁରୁ ସମୁଦ୍ର କୂଳରେ ପହଞ୍ଚିଥିଲେ। ଡଙ୍ଗା ଲାଗିବା କ୍ଷଣି ଆନ୍ଧ୍ର ପ୍ରଶାସନ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲା। ଉକ୍ତ ଯୁବକଙ୍କୁ ଆନ୍ଧ୍ର ପ୍ରଶାସନ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଧ୍ରର ସଂଗରୋଧ ଗୃହରେ ରଖା ଯାଇଥିବା ତହସିଲଦାର ହରପ୍ରସାଦ ଭୋଇ ସୁଚନା ଦେଇଛନ୍ତି। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଇଚ୍ଛାପୁର ମଣ୍ତଳ ପୁସ୍ତପୁର ସଙ୍ଗରୋଧ ଗୃହରେ ସେମାନଙ୍କୁ ୧୪ ଦିନ ରଖାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର