କଲମାର ୯ ଗେଟ୍‌ ଖୋଲିଲା, କାଲି ସୁଦ୍ଧା ୪୦ ଖୋଲିବ

ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୦୭.୮୧ ଫୁଟ

ସମ୍ବଲପୁର: ଛତିଶଗଡ଼ ସରକାର ମହାନଦୀ ଉପରେ କଲମାଠାରେ ଥିବା ବ୍ୟାରେଜ୍‌ର ୯ଟି ଗେଟ୍ ସମେତ ଅନ୍ୟ ୬ ବ୍ୟାରେଜ୍‌ର ଗେଟ୍‌ ଖୋଲିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଥିପୂର୍ବରୁ ସରାଡ଼ି, ଶିଓରିନାରାୟଣ କିଛି ଗେଟ ଖୋଲାଯାଇଥିଲା। ଏହାର ସବୁ ଗେଟ ସମେତ କଲମା, ମିରୋନି, ବସନ୍ତପୁର, କେଲୋର ଗେଟ୍‌ ଖୋଲି ଯିବ। ଆସନ୍ତାକାଲି ସୁଦ୍ଧା କଲମାର ୪୦ ସମେତ ଅନ୍ୟ ବ୍ୟାରେଜ୍‌ର ଗେଟ୍‌ ଖୋଲିଯିବ। ଏଥିଯୋଗୁଁ ମହାନଦୀ ଜଳପତ୍ତନ ବଢ଼ିବ। ସୂଚନା‌ଯୋଗ୍ୟ ଛତିଶଗଡ଼ କଲ୍‌ମା ବ୍ୟାରେଜ୍‌ରେ ସମୁଦାୟ ୬୬ଟି ଗେଟ୍‌ ରହିଛି। ଆଗାମୀ ଦିନରେ ଆହୁରି ଗେଟ ଖୋଲିବାର ସମ୍ଭାବନା ରହିଛି। ଏହି ବ୍ୟାରେଜ୍‌ରୁ ହୀରାକୁଦ ନଦୀବନ୍ଧ ମଧ୍ୟରେ ଦୂରତା ୮୩ କିଲୋମିଟର। ପାଣି ଏତିକି ବାଟ ଅତିକ୍ରମ କରି ଜଳଭଣ୍ଡାରରେ ପହଞ୍ଚିବା ପାଇଁ ପ୍ରାୟ ୧୦ରୁ ୧୨ ଘଣ୍ଟା ସମୟ ଲାଗିଥାଏ। ଅନ୍ୟ ଦିଗରେ କେଲୋ ବ୍ରିଜରୁ ହୀରାକୁଦ ମଧ୍ୟରେ ଦୂରତା ୨୦ କିଲୋମିଟର। ଏଠାରୁ ଜଳଭଣ୍ଡାରକୁ ପାଣି ପହଞ୍ଚିବା ପାଇଁ ୪ ଘଣ୍ଟା ଲାଗିଯାଏ।

ହୀରାକୁଦ ବନ୍ଧ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୦୭.୮୧ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨୦ ହଜାର ୯୦୨ କ୍ୟୁସେକ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି। ୧୪ ହଜାର ୦୯୭ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ଗତ ବର୍ଷ ତୁଳନାରେ ଜଳଭଣ୍ଡାରରେ ଅଧିକ ପାଣି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ନଦୀବନ୍ଧର ଉପରମୁଣ୍ଡରେ ୨୪.୯୮ ମିଲିମିଟର ଏବଂ ତଳମୁଣ୍ଡରେ ୯.୬୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର