ଅନାହାରରେ ଛଟପଟ ୯ ଶହ ଗୋରୁ

ସୋର: ବାରିକପୁର ଆଞ୍ଚଳିକ ବଜାର କମିଟି ପରିଚାଳିତ ଗୋରୁହାଟ ଏବେ ଗୋରୁ ଚୋରା ଚାଲାଣର କେନ୍ଦ୍ରସ୍ଥଳୀ ପାଲଟିଛି। ହାଟରେ ବିକ୍ରିହେବା ନାଁରେ ହଜାର ହଜାର ଗୋରୁ ବିଭିନ୍ନ ଅଞ୍ଚଳରୁ ଗାଡ଼ି ଯୋଗେ ଅଣାଯାଇ ଏଠାରେ ଠୁଳ କରାଯାଉଛି। ମାଲିକମାନେ ଆରଏମସିରେ ନାମକୁମାତ୍ର ୫୦ ଟଙ୍କାର ରସିଦ କାଟି ଗୋରୁମାନଙ୍କୁ ଏଠାରୁ ବାହାରକୁ ଚାଲାଣ କରୁଛନ୍ତି। ଏହାର ସୁଯୋଗରେ ଅସାଧୁ କର୍ମଚାରୀମାନଙ୍କୁ ବେପାରିମାନେ ଗୋରୁ ପିଛା ୨୦୦ଟଙ୍କା ହାତଗୁଞ୍ଜା ଦେଇ ରାତିରେ ପିକଅପ୍, କଣ୍ଟେନର ଭଳି ଗାଡ଼ିରେ ବାହାରକୁ ଚାଲାଣ କରୁଛନ୍ତି।

ଏହି ସମୟରେ ଅତି ଅମାନୁଷିକ ଭାବେ ଗୋରୁଗୁଡ଼ିକୁ ନିଶା ଇଂଜେକ୍ସନ ଦେଇ ବସ୍ତା ଭଳି ଲଦାଲଦି କରି ଗାଡ଼ିରେ ଚାଲାଣ କରାଯାଉଛି। ଏଥିପାଇଁ ଭଦ୍ରକ ଓ ବାସୁଦେବପୁର ଅଞ୍ଚଳର କିଛି ଚୋରା ଗୋରୁ ବେପାରି ବାରିକପୁରଠାରେ ଜମି କିଣି ଘରଦ୍ବାର କରି ସ୍ଥାୟୀ ଭାବେ ରହୁଥିବା ଦେଖାଯାଇଛି। ଗତକାଲି ଏଠାରେ ଗୋରୁ ବିକ୍ରି ନାମରେ ବାହାରକୁ ଚାଲାଣ ପାଇଁ ଆଣିଥିବା ଗୋରୁ ବେପାରିମାନଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କାରଣରୁ ଗଣ୍ତଗୋଳ ଲାଗିବା ଦ୍ବାରା ବାହାରକୁ ଚାଲାଣ ହୋଇ ନପାରି  ୧୦୮୦ ଗୋରୁ ଭୋକ ଉପାସରେ ଗତକାଲିଠାରୁ ପଡ଼ି ରହିଛନ୍ତି। ଏ ବିବାଦ ତୁଟି ନଥିବା ବେଳେ ଆଜି ସଂଧ୍ୟା ସୁଦ୍ଧା ପୁଣି ୯୦୦ ଗୋରୁ  ସେଠାରେ ଭୋକ ବିକଳରେ ରଡ଼ି ଛାଡ଼ୁଥିବା ଦେଖିବାକୁ ମିଳିଛି। ତୁରନ୍ତ ପୁଲିସ ଏବଂ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର