ରାୟଗଡ଼ା: ସେବାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷାରେ ଢ଼ିଲା। ମେଟ୍ରୋନଙ୍କ ହାତରେ ଦାୟିତ୍ବ ନ୍ୟସ୍ତ କରି ଖସି ଯାଉଛନ୍ତି ବିଦ୍ୟାଳୟ ମୁଖ୍ୟ। ଫଳରେ ବିଭିନ୍ନ ସମୟରେ ଅଘଟଣ ଘଟି ଅକାଳରେ ଚାଲି ଯାଉଛି ଅନ୍ତେବାସୀଙ୍କ ଜୀବନ। ଖୋଦ୍ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ଜିଲ୍ଲା ରାୟଗଡ଼ାରେ ଗତ ୨ ବର୍ଷରେ ୯ ଅନ୍ତେବାସୀଙ୍କ ମୃତ୍ୟୁ ବିଭାଗର ହଷ୍ଟେଲ୍ ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଘଟଣର କାରଣ ଖୋଜିବା ବଦଳରେ ବିଭାଗୀୟ ଅଧିକାରୀ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବାରୁ କିଛି ଦିନ ଅନ୍ତରରେ ଘଟି ଚାଲିଛି ଅଘଟଣ।

Advertisment

ଅଗଷ୍ଟ ୧୫ ତାରିଖରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ ଝୋରଡ଼ି ସେବାଶ୍ରମରେ ଘଟିଥିବା ଅଘଟଣ ଏହାର ବଡ଼ ଉଦାହରଣ। ସହପାଠୀଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ର ଜୀବନ ହାରିବା ଘଟଣା ବିଭାଗୀୟ ଅଧିକାରୀଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଇଛନ୍ତି। ଆକ୍ରମଣରେ ଗୁରୁତର ଛାତ୍ର କୋଲନରା, ରାୟଗଡ଼ା ପରେ ବ୍ରହ୍ମପୁର ବଡ଼  ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ସମସ୍ତ ପ୍ରମାଣ ସତ୍ତ୍ବେ ଛାତ୍ର ମୃତ୍ୟୁ ପଛର କାରଣକୁ ଲୁଚାଇ ବିଭାଗୀୟ କର୍ତ୍ତୃପକ୍ଷ ମୃତ ଛାତ୍ର ସିକିଲସେଲ୍ ରୋଗରେ ପୀଡ଼ିତ ଥିବା ଦର୍ଶାଇ ନିଜ ମୁଣ୍ଡରୁ ଦୋଷ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଅଘଟଣ ଘଟିବା ସଂଧ୍ୟାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅନୁପସ୍ଥିତ ଥିଲେ। ଏପରିକି ଗୁରୁତର ଛାତ୍ରର ପରିବାର ଲୋକଙ୍କୁ ଅଘଟଣ ସଂପର୍କରେ ମଧ୍ୟ ସୂଚନା ଦିଆଯାଇନଥିଲା। କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକ ପହଞ୍ଚିବା ପରେ କିଛି ମେଡ଼ିସିନ୍ ଦେଇ ସ୍କୁଲ୍ କର୍ତ୍ତୃପକ୍ଷ ଘରକୁ ପଠାଇଦେଲେ। ଅଗଷ୍ଟ ୧୮ ତାରିଖରେ ଛାତ୍ର ଗୁରୁତର ହେବା ପରେ ପରିବାର ଲୋକ ନିଜ ଉଦ୍ୟମରେ ମେଡ଼ିକାଲ୍ ନେଇଥିଲେ। ‌ଶେଷରେ ୨ ଦିନ ତଳେ ନିଷ୍ପାପ ପ୍ରଥମ ଶ୍ରେଣୀର ଛାତ୍ରର ମୃତ୍ୟୁ ହୋଇଥିଲା।

ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ପ୍ରତ୍ୟେକ ସେବାଶ୍ରମ ଅନ୍ତେବାସୀଙ୍କ ମୃତ୍ୟୁ ପଛରେ ଏମିତି ଅନେକ ଗୁଢ଼ ରହସ୍ୟ ରହିଛି। କିନ୍ତୁ ସରଳ ନିଷ୍କପଟ ଅଭିଭାବକଙ୍କୁ ଭୁଲାଇ ଅନ୍ତେବାସୀଙ୍କ ମୃତ୍ୟୁ ରହସ୍ୟକୁ ଚାପି ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଖସାଇ ଚାଲିଛନ୍ତି ବିଭାଗୀୟ ମୁଖ୍ୟ। ଯାହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ୨୦୨୨ ମେ ୨୫ ତାରିଖରେ ରାୟଗଡ଼ା ବ୍ଲକ୍ ପିପିଳଗୁଡ଼ା ପଞ୍ଚାୟତ ଚମ୍ପିକୋଟା ସେବାଶ୍ରମର ଚତୁର୍ଥ ଶ୍ରେଣୀ ଛାତ୍ର ରିଙ୍କୁ ତୋଇକାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟଣାରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ‌ବେଫିକର। ପରିବାର ଲୋକଙ୍କ ଅଭିଯୋଗ ସତ୍ତ୍ବେ ବିଭାଗ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।

ଅଭିଭାବକଙ୍କ ଅଭିଯୋଗ କିମ୍ବା କୌଣସି ଅଘଟଣକୁ ବିଭାଗ ଗୁରୁତର ସହ ନେଉନଥିବାରୁ ଦିନକୁ ଦିନ ଅଘଟଣ ବଢ଼ି ଚାଲିଛି। ଚମ୍ପିକୋଟା ଅଘଟଣ ପୂର୍ବରୁ ବିଷମକଟକ ବ୍ଲକ୍ କପାପଦର ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଅନ୍ତେବାସୀ ଛାତରୁ ପଡ଼ି ମୃତ୍ୟୁବରଣ କରିଥିଲେ। ହଷ୍ଟେଲ୍ ଛାତ ଉପରକୁ ରାତିରେ ଯାଇ ମୋବାଇଲ୍ ଦେଖୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ୨୦୨୧ରେ ଚିକିତ୍ସା ଅବହେଳା କାରଣରୁ ଉକ୍ତ ସ୍କୁଲର ଜଣେ ସପ୍ତମ ଶ୍ରେଣୀ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିଲା। ସେହିପରି ରାମନାଗୁଡା ବ୍ଲକ ତାଣ୍ଡିକଣା, କାଶୀପୁର ବ୍ଲକ୍ ଥୁଟିବର ସ୍କୁଲର ଅନ୍ତେବାସୀଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଛି। ମୁନିଗୁଡ଼ା ବ୍ଲକ୍ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଜଣେ ଅନ୍ତେବାସୀଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଛି। ଚନ୍ଦ୍ରପୁର ବାଳିକା ହାଇସ୍କୁଲର ଅନ୍ତେବାସୀ ଘରକୁ ଫେରୁଥିବା ସମୟରେ ପ୍ରେମିକ ଦ୍ବାରା ଦୁର୍ଷ୍କମ ପରେ ହତ୍ୟାର ଶିକାର ହୋଇଥିଲେ। ଗୁଣପୁର ବ୍ଲକର ପୁଟାସିଂ, ପଦ୍ମପୁର ବ୍ଲକ କେନ୍ଦୁଗୁଡା ସେବାଶ୍ରମରେ ପଢ଼ୁଥିବା ୩ ଅନ୍ତେବାସୀ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଅଜାଣତରେ ଦାଦନ ଯାଇ ଆନ୍ଧ୍ରର ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ସଟ୍ ସର୍କିଟରେ ଜଳି ଯାଇ ମୃତ୍ୟୁବରଣ କରିବା ଘଟଣା ସେବାଶ୍ରମ ସ୍କୁଲର ସୁରକ୍ଷା ପ୍ରତି ଅଙ୍ଗୁଳି ଉଠାଇଛି।