ପାରିବାରିକ କଳହ! ଗର୍ଭବତୀଙ୍କୁ ମାରି ପୋତିଦେଲା ସ୍ବାମୀ

ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଜିଲ୍ଲାରେ ଦିନକୁ ଦିନ ପାରିବାରିକ କଳହ ଉଗ୍ରରୂପ ନେଉଛି। ଦୁଇଦିନ ପୂର୍ବରୁ ଅର୍ଥାତ୍‌ ଗତ ୩୧ ତାରିଖରେ ଜିଲ୍ଲାର ସିମୁଳିଆ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ବେକ ଓ ଗୋଡ଼ରେ ବାଲିବସ୍ତା ବାନ୍ଧି ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା। ଆଉ ଆଜି ଜିଲ୍ଲା ସଦର ମହକୁମାରୁ ମାତ୍ର ୫ କିମି ଦୂର ଚାନ୍ଦିପୁର ଥାନା ମୁଲଣାନଗରରେ ଆଉ ଜଣେ ୯ ମାସର ଗର୍ଭବତୀଙ୍କୁ ତାଙ୍କ ସ୍ବାମୀ ଅତି ନିର୍ଦ୍ଦୟ ଭାବେ ହତ୍ୟା କରି ଘର ବାଡ଼ିରେ ପୋତି ଦେଇଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖବର ପ୍ରଘଟ ହେବା ପରେ ଚାନ୍ଦିପୁର ଥାନା ପୁଲିସ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିବା ଜଣାଯାଇଛି।

ମୃତକଙ୍କ ଭାଇ ରାଜା ମାରାଣ୍ଡିଙ୍କ କହିବା ମୁତାବକ, ମୁଲଣାନଗର ଗ୍ରାମର ଅଭିଯୁକ୍ତ ଲକ୍ଷ୍ମଣ ବେହେରା ୭/୮ ବର୍ଷ ପୂର୍ବରୁ ବାଲେଶ୍ବର ସହର ହେମକାପଦା ଅଞ୍ଚଳର ଟିକିନା ମାରାଣ୍ଡି(୩୦)ଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏବେ ୬ ବର୍ଷର ଗୋଟିଏ ପୁଅ, ୨ ବର୍ଷର ଝିଅ ଅଛନ୍ତି। ଏହାରି ଭିତରେ ଟିକିନା ପୁଣି ୯ ମାସର ଗର୍ଭବତୀ ଥିଲେ। ବାହାଘରର କିଛିଦିନ ପରେ ଉଭୟଙ୍କ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ଆପୋସ ବୁଝାମଣା ମଧ୍ୟରେ ସେସବୁର ସମାଧାନ ହେଉଥିଲା। ହେଲେ ଗତ ଦୁଇଦିନ ହେଲା ପଡ଼ୋଶୀ ଲୋକେ ଟିକିନାଙ୍କୁ ତାଙ୍କ ଘରେ ଦେଖିବାକୁ ନପାଇ ବାପଘର ଲୋକଙ୍କୁ ଖବର ଦେଇଥିଲେ। ଆଜି ସେଠାରେ ବାପଘର ଲୋକ ପହଞ୍ଚି ଆଖପା‌ଖ ଲୋକଙ୍କୁ ପଚାରିବା ସହ ଟିକିନାଙ୍କୁ ଖୋଜାଖୋଜି କରିଥିଲେ।

ଏହାପରେ ଚାନ୍ଦିପୁର ଥାନାର ଦ୍ବାରସ୍ଥ ହୋଇ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ପୁଲିସ ମୁଲଣାନଗର ଗାଁକୁ ଯାଇ ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ଧରିବା ସହ ପଚରାଉଚରା କରିଥିଲା। ପରେ ସେ ସବୁକଥା ପୁଲିସ ଆଗରେ ମାନିଯାଇଥିଲା। ଦୁଇଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେବା ପରେ ସେ ପତ୍ନୀ ଟିକିନାକୁ ହତ୍ୟା କରି ଘରବାଡ଼ିରେ ମାଟି ଖୋଳି ପୋତି ଦେଇଥିବା କହିଥିଲା ଲକ୍ଷ୍ମଣ। ସେହି ସ୍ଥାନରେ ଖୋଳାଯାଇ ଟିକିନାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ସେହିପରି ଏନେଇ ଟିକିନାଙ୍କ ଭାଇ ରାଜା ମାରାଣ୍ଡିଙ୍କ ଅଭିଯୋଗ ମୂଳେ ଚାନ୍ଦିପୁର ଥାନାରେ ୭୯/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଲକ୍ଷ୍ମଣକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛି।

ସୂଚନା ଥାଉକି, ବାଲେଶ୍ବର ଜିଲ୍ଲାରେ ଗତ କିଛିମାସ ମଧ୍ୟରେ ପାରିବାରିକ କଳହଜନିତ ହତ୍ୟା କିମ୍ବା ଆତ୍ମହତ୍ୟା ଘଟଣା ବଢ଼ିଚାଲିଛି। ବିଶେଷ କରି ସିମୁଳିଆ ଓ ଖଇରା ଥାନା ଅଞ୍ଚଳରେ ଏହି ମାମଲା ବୃଦ୍ଧି ପାଇଥିବା ବେଳେ ଆଜିର ଘଟଣା ପରେ ବାଲେଶ୍ବର ସଦର ବ୍ଲକ ସେଥିରେ ଯୋଡ଼ିହେବା ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର