ପୁଣି ୯ଜଣଙ୍କର ପ୍ରାଣହାନି, ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଲା

ଭୁବନେଶ୍ୱର : ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୨୪୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ କରୋନାରେ ୯ଜଣଙ୍କର ପ୍ରାଣହାନି ଘଟିଛି। ଏମାନଙ୍କ ଭିତରୁ ସମ୍ବଲପୁରର ୪, କଟକର ୨ ଓ ଗଞ୍ଜାମ, ନୟାଗଡ଼, କେନ୍ଦୁଝରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଥିବା ଜଣାଯାଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩୩ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବଲପୁରର ଯେଉଁ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ଭିତରେ ୭୪ ଓ ୭୮ ବର୍ଷ ବୟସ୍କ ଦୁଇଜଣ ପୁରୁଷ ଓ ୫୦ ଏବଂ ୬୫ ବର୍ଷ ବୟସ୍କା ଦୁଇଜଣ ମହିଳା ଅଛନ୍ତି। କଟକର ଯେଉଁ ୨ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି, ସେମାନଙ୍କ ଭିତରେ ଜଣେ ୬୭ ବର୍ଷୀୟା ମହିଳା ଓ ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଥିବା ଜଣାଯାଇଛି। ଅପରପକ୍ଷରେ ଗଞ୍ଜାମ, ନୟାଗଡ଼, କେନ୍ଦୁଝରରୁ ଯେଉଁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି, ସେମାନେ ସମସ୍ତେ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୫୩, ୭୫ ଓ ୫୮ ବର୍ଷ। ଏମାନଙ୍କର କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା ହୋଇଛି । ଦିନକରେ ୪୭,୮୮୭ ନମୁନା ପରୀକ୍ଷା ସଂପନ୍ନ ହୋଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩୯,୨୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭,୫୩୫ ରହିଛି।

ସମ୍ବନ୍ଧିତ ଖବର