ନବୀନଙ୍କ ସମ୍ଭାବ୍ୟ ନୂଆ ଟିମରେ ୯ ନୂଆ ମୁହଁ !

ଭୁବନେଶ୍ୱର(ସୁବ୍ରତ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍‌ରେ ଏଥର ୯ ଜଣ ନୂଆ ମୁହଁ ସ୍ଥାନ ପାଇଥିବା ବେଳେ ୧୧ ଜଣ ପୁରୁଖା ନେତା  ପୁଣି ମନ୍ତ୍ରିମଣ୍ଡଳକୁ ଫେରୁଥିବା ସୂଚନା ମିଳିଛି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏଯାବତ୍ ନବୀନ ନିବାସରୁ ୨୦ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ଲାଗି ଡାକରା ଆସିଛି। ତେବେ ‘ସମ୍ବାଦ ଡଟ୍ ଇନ୍’କୁ  ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଏଯାବତ୍ ବିଧିବଦ୍ଧ ତାଲିକା ଜାରି ହୋଇନାହିଁ।

ତେବେ ଯେଉଁ ବିଧାୟକମାନେ ଏଥର ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ସାମିଲ ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି, ସେମାନେ ହେଲେ -ସମୀର ଦାଶ, ଟୁକୁନି ସାହୁ, ନବ କିଶୋର ଦାସ,ଦିବ୍ୟ ଶଙ୍କର ମିଶ୍ର,ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା,ପଦ୍ମିନୀ ଦିିଆନ୍‌, ରଘୁନନ୍ଦନ ଦାସ ଓ ତୁଷାର କାନ୍ତି ବେହେରା।

ଅନ୍ୟ ପକ୍ଷରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବରୁ ମନ୍ତ୍ରୀ ଥିବା ଅରୁଣ ସାହୁ, ସୁଶାନ୍ତ ସିଂହ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା, ପଦ୍ମନାଭ ବେହେରା,ବିକ୍ରମ କେଶରୀ ଆରୁଖ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,ନିରଞ୍ଜନ ପୂଜାରୀ, ସୁଦାମ ମରାଣ୍ଡି ,ସ୍ନେହାଙ୍ଗିନୀ ଛୁରିଆ ଓ ପ୍ରଫୁଲ୍ଲ ମଲ୍ଲିକଙ୍କୁ ପୁଣିଥରେ ମନ୍ତ୍ରୀ କରାଯାଉଥିବା ଜଣାପଡ଼ିଛି।

ସୁଶାନ୍ତ ସିଂହ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ ଜେନା,ବିକ୍ରମ କେଶରୀ ଆରୁଖ,ନିରଞ୍ଜନ ପୂଜାରୀ,ପ୍ରଫୁଲ୍ଲ ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ବିଦାୟୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ବେଳେ ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ସୁଦାମ ମରାଣ୍ଡି ପୂର୍ବରୁ ମନ୍ତ୍ରୀ ଥିଲେ।

ତେବେ ଏଯାବତ୍‌ ଜାରି ତାଲିକା ଅନୁସାରେ କେତେକ ଜିଲ୍ଲା ଏଥର ନୂତନ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱରୁ ବଞ୍ଚିତ ହୋଇଛି। ସେଗୁଡ଼ିକ ହେଲା- ସମ୍ବଲପୁର, ଯାଜପୁର,ବାଲେଶ୍ୱର,କେଉଁଝର,ନୂଆପଡ଼ା, କେନ୍ଦ୍ରାପଡ଼ା ଓ ଗଜପତି। ଅନ୍ୟପକ୍ଷରେ ବରଗଡ଼,ପୁରୀ,କଟକ ଓ ସୁବର୍ଣ୍ଣପୁର ପ୍ରଭୃତି ଜିଲ୍ଲାରୁ ଏକାଧିକ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର