୫ବର୍ଷରେ ଦୁର୍ଘଟଣା ନେଲାଣି ୨୩ ହଜାର ମୁଣ୍ଡ : ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ପାଇଁ ଖୋଲିବ ୯ ଟ୍ରମା କେୟାର ୟୁନିଟ୍‌

କଟକ : ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମ୍‌ କରିବା ଲକ୍ଷ୍ୟରେ ଜାତୀୟ ରାଜପଥ ପାର୍ଶ୍ୱ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ୯ଟି ନୂତନ ଟ୍ରମା କେୟାର ୟୁନିଟ୍‌ ଖୋଲାଯିବ। ଏହି ଟ୍ରମା କେୟାର୍‌ ୟୁନିଟ୍‌ରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରିବାର ଯୋଜନା ରହିଛି ବୋଲି ସୁପି୍ରମ୍‌ କୋର୍ଟ କମିଟି ନିକଟରେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା କଟକ ଏସ୍‌ସିବିର ପ୍ରଫେସର ତଥା ରାଜ୍ୟ ଟ୍ରମା ଏଣ୍ଡ ବର୍ଣ୍ଣ କେୟାର ୟୁନିଟ୍‌ର ନୋଡ଼ାଲ ଅଫିସର ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ କହିଛନ୍ତି।

ଗତ ୫ବର୍ଷ ଅର୍ଥାତ୍‌ ୨୦୧୩ରୁ ୨୦୧୮ ମାର୍ଚ୍ଚ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୫୪ ହଜାର ୧୪୮ଟି ଦୁର୍ଘଟଣା ଘଟିଛି। ଏଥିରେ ୨୨ ହଜାର ୯୩୯ଜଣଙ୍କ ଜୀବନ ଯାଇଥିବା ବେଳେ ୫୯ ହଜାର ୬୫୪ଜଣ ଆହତ ହୋଇଥିବା ସରକାରୀ ତଥ୍ୟରୁ ସୂଚନା ମିଳିଛି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଦୁର୍ଘଟଣା ତଥା ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା ସମ୍ପର୍କିତ କମିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ, ଗତକାଲି ଦିଲ୍ଲୀ ବିଜ୍ଞାନ ଭବନରେ ସୁପ୍ରିମ୍‌କୋର୍ଟଙ୍କ ସଡ଼କ ସୁରକ୍ଷା ସଂପର୍କିତ କମିଟି ନିକଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବ୍ୟକ୍ତିଗତ ଭାବେ ହାଜିରା ହୋଇଥିଲେ। ଏହି ଅବସରରେ ଶ୍ରୀ ପାଢ଼ୀ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ କମିଟି ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ରାଜ୍ୟରେ ରହିଥିବା ୮ଟି ଟ୍ରମା କେୟାର ଯୁନିଟ୍‌ ପର୍ଯ୍ୟାପ୍ତ ନ ଥିବାରୁ ଅଧିକ ସଂଖ୍ୟକ ଡାକ୍ତର, କର୍ମଚାରୀଙ୍କୁ ତାଲିମ୍‌ ତଥା ନିଯୁକ୍ତି ଦିଆଯିବା ପାଇଁ ସରକାର ଯୋଜନା କରିଥିବା କମିଟିକୁ ଅବଗତ କରାଯାଇଥିଲା। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟରେ ୯ଟି ନୂତନ ଟ୍ରମା କେୟାର ୟୁନିଟ୍‌ ଖୋଲିବା ପାଇଁ ଯୋଜନା କରାଯାଇଛି। ରାଜପଥପାର୍ଶ୍ୱ ଅର୍ଥାତ୍‌ ଦୁର୍ଘଟଣାପ୍ରବଣ ଅଂଚଳରେ ଏହି ଟ୍ରମା କେୟାର ୟୁନିଟ୍‌ ଖୋଲାଯିବ। ଫଳରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକାଯାଇପାରିବ ବୋଲି କମିଟିର ଶୁଣାଣି ସମୟରେ ସୂଚନା ଦିଆଯାଇଥିବା ପ୍ରଫେସର ଡାକ୍ତର ଅରୁଣ ଚୌଧୁରୀ ସୂଚନା ଦେଇଛନ୍ତି। ରାଜ୍ୟର ଚଣ୍ଡିଖୋଲ, ଅନୁଗୁଳ, କେନ୍ଦୁଝର, ରେଢ଼ାଖୋଲ, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ରାୟଗଡ଼ା ଓ କୋରାପୁଟରେ ଏହି ଟ୍ରମା କେୟାର ଯୁନିଟ୍‌ ସ୍ଥାପନ ପାଇଁ ସରକାର ଯୋଜନା କରଥିବା ପ୍ରଫେସର ଚୌଧୁରୀ କହିଛନ୍ତି। ଏସବୁ ବ୍ୟବସ୍ଥା ପାଇଁ ୧୮୯୦ଜଣ ଡାକ୍ତରଙ୍କ ସହ ମେଡିକାଲ ଷ୍ଟାଫ୍‌ଙ୍କୁ ୬ମାସ ମଧ୍ୟରେ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ରାଜ୍ୟର ୭ଟି ଜିଲ୍ଲାକୁ ଦୁର୍ଘଟଣାପ୍ରବଣ ଜିଲ୍ଲା ତଥା ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ବୋଲି ମଧ୍ୟ କମିଟିକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ବିଜ୍ଞାନ ଭବନରେ ଅନୁଷ୍ଠିତ କମିଟିର ଶୁଣାଣିରେ ପ୍ରଫେସର ଚୌଧୁରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବ ଓ ପଦାଧିକାରୀ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର