ନୂଆଦିଲ୍ଲୀ: ଇସ୍ରାଏଲରେ ଫସିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଅପରେସନ ଅଜୟ ଆରମ୍ଭ କରିଛନ୍ତି। ଭାରତ ସରକାରଙ୍କ ଦ୍ବାରା ପ୍ରଥମ ବ୍ୟାଚ‌ରେ ୨୧୧ ଜଣ ସୁରକ୍ଷିତ ଉଦ୍ଧାର ହୋଇ ଦିଲ୍ଲୀରେ ପହଞ୍ଚିଛନ୍ତି। ସେଥିରେ ୯ ଜଣ ଓଡ଼ିଶାର ରହିଛନ୍ତି। ସେମାନେ ହେଲେ ଜିତେନ କୁମାର ପଟ୍ଟନାୟକ ଓ ତାଙ୍କ ପତ୍ନୀ, ଶତାବ୍ଦୀ ନାୟକ, ବରୁଣ ବାରିକ, ଭୂପେଶ ମେହେର, ବିମଳେନ୍ଦୁ ମହାପାତ୍ର, ସୁମନ୍ତ ସାହୁ, ନୀଳକଣ୍ଠ ମେହେର ଓ ସୁବ୍ରତ ମେହେର। ଇସ୍ରାଏଲରୁ ବିମାନରେ ଫେରିବା ପରେ ସେମାନଙ୍କୁ ଦିଲ୍ଲୀର ଓଡ଼ିଶା ନିବାସରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ସଂଧ୍ୟାରେ ବିମାନ ଯୋଗେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି।

Advertisment

ଦିଲ୍ଲୀରେ ପହ଼ଞ୍ଚିବା ପରେ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆବାସିକ କମିସନରଙ୍କ କାର୍ଯ୍ୟାଳୟରୁ ନିୟୋଜିତ ଅଧିକାରୀମାନେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସେଠାରୁ ଆଣି ଓଡ଼ିଶା ନିବାସରେ ରଖିଥିଲେ। ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ କହିଥିଲେ ସେମାନେ ଉତ୍ତର ଇସ୍ରାଏଲରେ ରହୁଥିବାରୁ ଯୁଦ୍ଧର ବିଭୀଷିକା ସେତେଟା ଅନୁଭବ କରିନଥିଲେ। ହେଲେ ଯେତେବେଳେ ସାଇରନ ବାଜି ଉଠୁଥିଲା ସେତେବେଳେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହେଉଥିଲା। ଇସ୍ରାଏଲ କର୍ତ୍ତୃପକ୍ଷ ଆମକୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରାମର୍ଶ ଦେଉଥିଲେ ବୋଲି ଛାତ୍ରୀ ଶତାବ୍ଦୀ ନାୟକ କହିଥିଲେ। ସେ ପୁଣି କହିଥିଲେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ସାଇରନ ବାଜି ଉଠିଥିଲା। ସାଇରନ ବାଜିବା ପରେ ଛାତ୍ରଛାତ୍ରୀମାନେ ନିରାପଦ ଗୃହକୁ ଚାଲିଯାଉଥିଲେ। ସେଠାରେ ସେଭଳି କିଛି ବିପଦ ନଥିଲା। ସେହି ଘରଗୁଡ଼ିକ ସଂପୂର୍ଣ୍ଣ ରୂପେ ଲୁହାରେ ତିଆରି ହୋଇଥିବା ସେ କହିଥିଲେ। ଅନ୍ୟ ଜଣେ ଛାତ୍ର ଭୂପେଶ ମେହେରଙ୍କ କହିବା ଅନୁସାରେ ଇସ୍ରାଏଲର ସୀମାରେ ସ୍ଥିତି ବହୁତ ଖରାପ ରହିଛି। ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା ଅତି ଉଚ୍ଚମାନର ଥିବାରୁ ଶତ୍ରୁପକ୍ଷରୁ ମିଜାଇଲକୁ ନଷ୍ଟ କରିଦିଆଯାଉଛି ବୋଲି ସେ କହିଥିଲେ।

ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ ‌ନିରାପଦ ସ୍ଥାନରେ ରହୁଥିବା ବେଳେ ସେମାନେ ସ୍ଥିତିକୁ ନେଇ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିଥିଲେ। ଇସ୍ରାଏଲ ସରକାରଙ୍କ ଦ୍ବାରା ଅନେକ ସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ଯାହା ସୁରକ୍ଷା ପାଇଁ ଅସ୍ତ୍ର ସାଜିଛି ବୋଲି ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ହେଲେ ସେମାନଙ୍କ ପରିବାରଙ୍କ ପକ୍ଷରୁ ଫେରି ଆସିବା ପାଇଁ କୁହାଯିବାରୁ ସେମାନେ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ସାହାଯ୍ୟ କରିଥିବାରୁ ସେମାନେ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷେ ଆବାସିକ କମିସନର ରବିକାନ୍ତଙ୍କ ସୂଚନା ଅନୁସାରେ ଇସ୍ରାଏଲରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ସଂପର୍କରେ ଆମେ ଅବଗତ ହୋଇଥିଲୁ। ଯେଉଁମାନେ ଫେରିବା ପାଇଁ ଚାହୁଛନ୍ତି ଆମେ ସେମାନଙ୍କ ସହ ଓ ବିଦେଶ ବ୍ୟାପାର ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛୁ। ପ୍ରଥମ ବ୍ୟାଚରେ ୯ ଜଣ ଓଡ଼ିଆ ଫେରିଛନ୍ତି। ଏବେବି ୫୦ ଜଣ ଓଡ଼ିଆ ଛାତ୍ରଛାତ୍ରୀ ଇସ୍ରାଏଲରେ ଫସି ରହିଛନ୍ତି। ତେବେ ସେମାନେ ସୁରକ୍ଷିତ ଥବା ଆବାସିକ କମିସନର କହିଛନ୍ତି।