ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ: ୯ ଗିରଫ

ରିଆମାଳ ପୁଲିସକୁ ବଡ଼ ସଫଳତା

ରିଆମାଳ: ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ନିଶାବିରା ଗ୍ରାମରେ ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗତ ସୋମବାର ଦିନ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ୯ ଜଣ ଶିକାରୀକୁ ଗିରଫ କରିଛି ରିଆମାଳ ପୁଲିସ୍।

ସୂଚନା ଅନୁସାରେ ତାର ସଂସ୍ପର୍ଶରେ ସେହି ଗ୍ରାମର ଦେବ ସାହୁ (୫୦)ଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳେ ପରିବାର ଓ ଗ୍ରାମବାସୀ ଜାଣିଥିଲେ।ସଙ୍ଗେ ସଙ୍ଗେ ଦେବର ପୁଅ କୁନା ସାହୁ(୨୫) ରିଆମାଳ ଥାନାର ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ରିଆମାଳ ଥାନା ଅଧିକାରୀ ଲଳିତା ପ୍ରଧାନ ସଦଳବଳେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଦେବଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା। ୧୦ ଜଣ ଶିକାରୀ ମିଶି ଏପରି ବେଆଇନ ଭାବେ ଶିକାର ପାଇଁ ତାର ବିଛାଇଥିବା ପକ୍ଷରୁ ପୁଲିସ୍ ତଦନ୍ତରୁ ଜାଣିଥିଲା। ଏହି ମାମଲା ନିଜେ ଥାନା ଅଧିକାରୀ ଶ୍ରୀମତୀ ପ୍ରଧାନ ହାତକୁ ନେଇ  ତଦନ୍ତ ଚଳାଇଥିଲେ।

ନିଶାବିରା ନିକଟସ୍ଥ କାଇଁସର ଗ୍ରାମର ଶିକାରୀ ଏଥିରେ ସାମିଲ ଥିବା ଜଣା ପଡ଼ିଥିଲା। ଘଟଣା ଘଟାଇ ଶିକାରୀମାନେ ନିଶାବିରା ପାଣୁନାଳୀ କଣ୍ଟା ଜଙ୍ଗଲରେ ଲୁଚି ଶିକାର କରୁଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଶନିବାର ସକାଳ ୯ଟା ୪୫ରେ ଥାନା ଅଧିକାରୀଙ୍କ ସହ ୧୦ ଜଣ ପୁଲିସ ବଳ ଧରି ଉକ୍ତ ସ୍ଥାନରେ ପହଞ୍ଚି ଚଢାଉ କରିଥିଲେ । ଦୁଇ ଦଳ ହୋଇ ଶିକାରୀମାନେ ଲୁଚି ରହିଥିଲେ। ପୁଲିସ ସେମାନଙ୍କୁ ଗିରଫ କରିବରେ ସକ୍ଷମ ହୋଇଥିଲା।

ସେମାନେ ହେଲେ ସେହି ଗ୍ରାମର ବିଷ୍ଣୁ ପ୍ରଧାନ(୩୭),ତଅଁଳୁ ସାହୁ(୨୫),ପ୍ରତାପ କିସାନ(୨୬)(ବାଙ୍ଗୁରୁ),ତନୁ ପ୍ରଧାନ(୩୫),ବିକାଶ କିସାନ(୨୮),କାଇଁସର ଗ୍ରାମର ଅର୍ଜୁନ ପ୍ରଧାନ(୩୬),ପ୍ରମୋଦ ପ୍ରଧାନ(୩୫)(ପରି),ନିଶାବିରା ନୁଆଁସାହିର ମାନସ ସାହୁ(୩୨) ଓ ବାବୁଲି ସାହୁ (୩୫)। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ,ଟାଙ୍ଗିଆ, ୫ଶହ ମିଟର ବିଦ୍ୟୁତ ତାର, ୧ଶହ ମିଟରର ଆଲୁମିନିୟମ୍ ତାର,ବିଦ୍ୟୁତ ତାର ରେ ହୁକ ପାଇଁ ବ୍ୟବହାର ହେଉଥିବା ବାଉଁଶ,କାଠ ଓ ବାଉଁଶରେ ତିଆରି ୧୬ଟି କାଠି,୩ଟି ମୋବାଇଲ ଫୋନ,୬ଟି ଖାଲି ବିଅର ବୋତଲ୍, ୨୨ଲିଡ୍ ପ୍ଲେଟ୍ ଜବତ କରାଯାଇଛି। ଗିରଫ ପରେ ସେମାନଙ୍କୁ ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର