ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ନକ୍ସଲ ଦମନ ପାଇଁ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ରାଜ୍ୟର ୯ ଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ମିଳିବ। ଏହି ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିମାନେ ହେଲେ ଓଏପିଏଫ୍ ସ୍ୱର୍ଗତ ଜୟରାମ କବାସୀ, ତତ୍କାଳୀନ ମାଲକାନଗିରି ଏସ୍ପି ଋଷିକେଶ ଖିଲାରୀ, ଓଏପିଏଫ୍ ରାମୁ ଦୁରୁଆ, କନ୍ଷ୍ଟେବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଜୀବନ ଶାହି, ଔଷଧିନାଥ ବେହେରା, ହାବିଲଦାର ପ୍ରବୀଣ ଥାପା ଓ ରାଜେଶ ବିଶ୍ୱକର୍ମା। ୨୦୧୯ ମସିହା ଅଗଷ୍ଟ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅନ୍ତର୍ଗତ ପକନାଗୁଡ଼ା-ସେନୁଗୁଡ଼ା ଜଙ୍ଗଲରେ ହୋଇଥିବା ପୁଲିସ ଏନ୍କାଉଣ୍ଟର ଘଟଣାରେ ସାମିଲ ଥିବା ଏହି ୯ ଜଣ ପୁଲିସ କର୍ମଚାରୀଙ୍କୁ ପଦକ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କ ସହଯୋଗରେ ମାଲକାନଗିରି ପୁଲିସ ୨୦୧୯ ଅଗଷ୍ଟ ୨୭ ତାରିଖରେ ଏକ ସଫଳ ନକ୍ସଲ ଅପରେସନ କରିଥିଲା। ଏହି ଅପରେସନ ବଳରେ କୁଖ୍ୟାତ ନକ୍ସଲ ନେତା ରାକେଶ ସୋଢ଼ୀକୁ ନିହତ କରାଯାଇଥିଲା। କୁଖ୍ୟାତ ନକ୍ସଲ ରାକେଶ ସୁରକ୍ଷା ବାହିନୀ ଓ ଜନସାଧାରଣଙ୍କର ବହୁ କ୍ଷତି ପହଞ୍ଚାଇଥିଲା ଏଥି ସହିତ ଘଟଣା ଦିନ ବଡ଼ଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲା।
୨୦୧୯ ମସିହା ଅଗଷ୍ଟ ୨୭ ତାରିଖ ସନ୍ଧ୍ୟା ୬ଟାରେ ମାଲକାନଗିରି ଏସ୍ପି ଶ୍ରୀ ଖିଲାରୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ପକନାଗୁଡ଼ା-ସୋନୁଗୁଡ଼ା ଗାଁ ନିକଟ ଜଙ୍ଗଲରେ ଆନ୍ଧ୍ର-ଓଡ଼ିଶା ସୀମା ସ୍ୱତନ୍ତ୍ର କମିଟିର ୧୫ରୁ ୨୦ ଜଣ ମାଓବାଦୀ ଚଳପ୍ରଚଳ କରୁଛନ୍ତି। ଏମାନେ ମିଲିଟାରୀ ପ୍ଲାଟୁନ୍-୧ର ନେତା ରାକେଶ ସୋଢ଼ୀ ନେତୃତ୍ୱରେ ବଡ଼ଧରଣର କାଣ୍ଡ କରିବାକୁ ଯାଉଛନ୍ତି। ଏହି ସୂଚନା ମିଳିବା ପରେ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲେ। ଏହି ଏନ୍କାଉଣ୍ଟର ୪୫ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏହି ଏନ୍କାଉଣ୍ଟରରେ ନକ୍ସଲ କମାଣ୍ଡର ରାକେଶ ନିହତ ହେବା ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାୟନ କରିଥିଲେ।