୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପଡ଼ୋଶୀ ଯୁବକ ଗିରଫ

ବାଲିପାଟଣା : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି ଲଜ୍ଜାଜନକ ଘଟଣା ଘଟିଛି | ଜଣେ ୯ ବର୍ଷର ନାବାଳିକାକୁ ପଡ଼ୋଶୀ ଘରର ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି | ଦୁଷ୍କର୍ମ ପରେ ଯୁବକ ଜଣଙ୍କ ଫେରାର ହୋଇ ଯାଇଥିଲା | ପୁଲିସ ଟିମ ଚଢ଼ାଉ କରି ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଛି |

ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି ଗାଁ ଦାଣ୍ଡରେ ଏକ ପାଣି ଟ୍ୟାପ୍ ପାଖରେ ଏକୁଟିଆ ଗାଧୋଉଥିଲା। ପୂର୍ବରୁ ତା ଉପରେ ଲୋଲୁପଦୃଷ୍ଟି ରଖିଥିବା ୨୦ ବର୍ଷୀୟ ପଡ଼ୋଶୀ ଯୁବକ ପାଇଁ ମଉକା ଜୁଟି ଯାଇଥିଲା। କାରଣ ସେତେବେଳେ ଗାଁ ଦାଣ୍ଡ ନିଛାଟିଆ ଥିଲା। କାମାନ୍ଧ ଯୁବକ ଅଚାନକ ନାବାଳିକାର ମୁହଁ ବନ୍ଦ କରି ଟେକି ନେଇଥିଲା। ଉକ୍ତ ଟ୍ୟାପ୍‌ଠାରୁ କିଛି ଦୂରରେ ଏକ ନିଛାଟିଆ ବଣ ଭିତରେ ଗଛ ଅଢ଼ୁଆଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ମୁହଁକୁ ଚାପି ରଖିଥିବାରୁ ସେ ଆଉ ପାଟି କରିପାରିନଥିଲା। କିନ୍ତୁ ଅଧିକ ସମୟ ମୁହଁକୁ ଚାପି ଧରିଥିବାରୁ ନାବାଳିକାଟି ଅଣନିଃଶ୍ବାସୀ ହୋଇପଡ଼ିଥିଲା ଓ ଦୁଷ୍କର୍ମ ପରେ ବି ପାଟି କରିବା ସ୍ଥିତିରେ ନଥିଲା।

ତେଣୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ପଳାଇବା ପରେ ବି କିଛି ସମୟ ପର୍ଯ୍ୟନ୍ତ ନାବାଳିକାଟି ଗଛମୂଳେ ସେମିତି ଅବଶ ଅବସ୍ଥାରେ ପଡ଼ିରହିଥିଲା। ତେବେ କିଛି ସମୟ ପରେ ସେ ଉଠି କଷ୍ଟେମଷ୍ଟେ ଘରକୁ ଫେରିଥିଲା । ରକ୍ତାକ୍ତ ଅବସ୍ଥାରେ ତାକୁ ଦେଖିବାପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। କାନ୍ଦି କାନ୍ଦି ନାବାଳିକାଟି ମା’ ଆଗରେ ସବୁ କହିଥିଲା। ଘର କାନ୍ଦବୋବାଳିରେ ଫାଟି ପଡ଼ିଥିବା ବେଳେ ବାପା ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିଥିଲେ।

ପୁଲିସ ପିସିଆର ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆ ଯାଇଥିଲା | ନାବାଳିକା ଙ୍କ ବାପା ଗତକାଲି ରାତି ପ୍ରାୟ ସାଢେ ୯ ଟା ବେଳେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ବାଲିପାଟଣା ଥାନା କେଶ ନଂ – ୧୧ /୨୨ , ଅଣ୍ଡର ସେକ୍ସନ ୩୭୬ ( ୨ ) ( ଏମ ), ୩୭୬ ( ଏ ) ( ବି ) ଆଇପିସି , ୬ ପୋକ୍ସୋ ଆକଟ ରୁଜୁ ହୋଇଛି | ପୁଲିସ ଟିମ ବିଳମ୍ୱିତ ରାତିରେ ଚଢ଼ାଉ କରି ଅଭିଯୁକ୍ତ ଯୁବକକୁ ଧରି ଥାନାରେ ଅଟକ ରଖିଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି |

 

ସମ୍ବନ୍ଧିତ ଖବର