୯ ବର୍ଷର ଝିଅର ସାହସିକତା : କୂଅକୁ ଡେଇଁ ଭଉଣୀର ଜୀବନ ରଖିଲା

ତରଭା : ଜଣେ ୯ ବର୍ଷର ଝିଅ ୨୫ ଫୁଟ ଗଭୀର କୂଅକୁ ଡେଇଁ ନିଜ ସାନ ଭଉଣୀର ଜୀବନ ରକ୍ଷା କରିଛି। ତା’ର ଏହି ସାହସିକତା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରୁ ୭ କିମି ଦୂର ବଡ଼ଭଇଁରୋ ପଞ୍ଚାୟତ କେନ୍ଦୁମୁଣ୍ଡା ନିବାସୀ ଲକ୍ଷ୍ମୀଚରଣ ବାଘଙ୍କ ୩ ବର୍ଷର ଝିଅ ମିଲି ତା’ର ବଡ଼ ଭଉଣୀ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଲି ବାଘ (୯) ଓ ଝିଲିଙ୍କ ସାଙ୍ଗ ରୀତାଞ୍ଜଳି ବଗର୍ତ୍ତୀ (୯) ଘର ସମ୍ମୁଖ ବଗିଚାରେ ଖେଳୁଥିଲେ। ଏହି ସମୟରେ ଏକ ଖୋଲା କୂଅରେ ମିଲି ପଡ଼ି ଯାଇଥିଲା। ମିଲି କୂଅରେ ପଡ଼ିଯିବା ଦେଖି ବଡ଼ ଭଉଣୀ ଝିଲି ସଙ୍ଗେ ସଙ୍ଗେ ତାର ସାଙ୍ଗ ରୀତାଞ୍ଜଳିକୁ ଶୀଘ୍ର ଘର ଲୋକଙ୍କୁ ଡାକି ଆଣିବାକୁ କହି ନିଜେ କୂଅକୁ ଡେଇଁ ପଡ଼ିଥିଲା। କୂଅରେ ଝିଲିର ବେକ ପର୍ଯ୍ୟନ୍ତ ପାଣି ଥିବା ସତ୍ତ୍ୱେ ସେ ନିଜ ଛୋଟ ଭଉଣୀକୁ ଟେକି ଧରିଥିଲା। ଖବର ପାଇ ପରିବାର ଲୋକଙ୍କ ସହ ଗ୍ରାମବାସୀ ସେଠାରେ ପହଞ୍ଚି ଦଉଡ଼ି ସାହାଯ୍ୟରେ ୨ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ସାହସୀ ଝିଅ ଝିଲିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର